fbpx

ରାଜ୍ୟରେ ଆସନ୍ତା ସୋମବାର ଦିନ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନପାଇଁ ଆଜି ପ୍ରଚାର କାର୍ଯ୍ୟ ଶେଷ

ଭୁବନେଶ୍ୱର: ରାଜ୍ୟର ପ୍ରଥମ ତଥା ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା ସୋମବାର ଦିନ ମତଦାନ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଚାର କାର୍ଯ୍ୟ ଆଜି ଅପରାହ୍ନ ୫ଟାରେ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍‍ଗ୍ରହଣ ଅନୁଷ୍ଠିତ ହେବ । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ୍‍ ସଂସଦୀୟ କ୍ଷେତ୍ର ପାଇଁ ୩୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେମାନଙ୍କ ମଧ୍ୟରେ ୩୦ଜଣ ପୁରୁଷ ଏବଂ ୭ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।

କୋରାପୁଟ, କଳାହାଣ୍ଡି ଏବଂ ବ୍ରହ୍ମପୁର ଲୋକସଭା ଆସନ ପାଇଁ ୧୧ ଜଣ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ନବରଙ୍ଗପୁର ଲୋକସଭା ଆସନ ପାଇଁ ୪ ଜଣ ପ୍ରାର୍ଥୀ ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରୁଛନ୍ତି । ୨୮ଟି ବିଧାନସଭା ଆସନ ପାଇଁ ୨୪୩ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ମୋଟ୍‍ ୬୨ ଲକ୍ଷ ୮୭ ହଜାର ୨୨୨ ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ୭ ହଜାର ୨୮୯ଟି ଏବଂ ୧୪ଟି ଅତିରିକ୍ତ ବୁଥ୍‍ ପ୍ରସ୍ତୁତ କରାଯାଇଛି । ସେଥିମଧ୍ୟରୁ ୭୪୮ଟି ସହରାଞ୍ଚଳ ଓ ୬ ହଜାର ୫୫୫ଟି ବୁଥ୍‍ ଗ୍ରାମାଞ୍ଚଳରେ ରହିଛି । ମତଦାତାଙ୍କ ମଧ୍ୟରେ ୩୦ ଲକ୍ଷ ୯୭ ହଜାର ୫୨୭ ଜଣ ପୁରୁଷ, ୩୧ ଲକ୍ଷ ୮୯ ହଜାର ୬୦ ଜଣ ମହିଳା ଏବଂ ୬୩୫ ଜଣ ତୃତୀୟ ଲିଙ୍ଗୀ ମତଦାତା ଅଛନ୍ତି ।

ସମ୍ଭାବ୍ୟ ଅଂଶୁଘାତ ମୁକାବିଲାପାଇଁ ପ୍ରତିଟି ମତଦାନ କେନ୍ଦ୍ରରେ ଆଶାକର୍ମୀ ରହିବେ । ଅଂଶୁଘାତର ଜରୁରୀ ଚିକିତ୍ସା ପାଇଁ ସେଠାରେ ଆଶୁଚିକିତ୍ସା ବ୍ୟବସ୍ଥା ସହ ଓ.ଆର୍‍.ଏସ୍‍. ମହଜୁଦ ରଖାଯିବ । ପ୍ରତି ସେକ୍ଟର ଅଫିସରଙ୍କ ସହ ଜଣେ ପାରା-ମେଡିକାଲ୍‍ ଷ୍ଟାଫ୍‍ ଜରୁରୀ ଔଷଧପତ୍ର ସହ ଉପସ୍ଥିତ ରହିବେ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି । ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କପାଇଁ ଘରୁ ବୁଥ୍‍କୁ ଯିବାଆସିବାପାଇଁ ନିଃଶୁଳ୍କ ଯାନର ବ୍ୟବସ୍ଥା କରାଯାଇଛି । ଏଥିସହିତ ସମ୍ବେଦନଶୀଳ ବୁଥ୍‍ଗୁଡ଼ିକରେ ସି.ସି.ଟି.ଭି. ଓ ୱେବ୍‍କାଷ୍ଟିଂର ବ୍ୟବସ୍ଥା କରାଯାଇଥିବା ଶ୍ରୀ ଧଳ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.