fbpx

ଟ୍ୱିନ୍ ସିଟିରେ କାଳବୈଶାଖୀ ତାଣ୍ଡବ; ବସ୍ତିରେ ଘର ଭାଙ୍ଗିଲା ପବନ, ବିଦ୍ୟୁତ ସେବା ପ୍ରଭାବିତ

ଭୁବନେଶ୍ୱର: କିଛି ଦିନ ହେବ ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରଭାବରୁ ଲୋକମାନଙ୍କୁ ଆଶ୍ୱସ୍ତି ଦେଇଛି କାଳବୈଶାଖୀ । ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ପବନ ହୋଇଥିଲା । ତେବେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବର୍ଷା ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଉପକୂଳରେ ମଧ୍ୟ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ଭୁବନେଶ୍ୱରରେ ୭୬.୮ ମିମି, ବାଲେଶ୍ୱରରେ ୩୫ ମିମି, ଚାନ୍ଦବାଲିରେ ୩୨ ମିମି, ପାରାଦୀପରେ ୫୧.୪ ମିମି, ପୁରୀରେ ୩୭.୮ ମିମି ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି । ରାତି ରାତି ପ୍ରାୟ ୧୧ଟା ବେଳକୁ ପବନ ସହ ପ୍ରବଳରୁ ଅତିପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା । କ୍ଷୟକ୍ଷତି ନେଇ କୌଣସି ତଥ୍ୟ ମିିଳିନଥିଲେ ମଧ୍ୟ ରାଜଧାନୀର ବିଭିନ୍ନ ବସ୍ତିରେ ଘର ଗୁଡ଼ିକ ପ୍ରଭାବିତ ହୋଇଛି । ତଳିଆ ଅଂଚଳରେ ରହିଥିବା ଘର ଗୁଡିକରେ ପାଣି ପଶିବା ସହିତ ଆସବାପତ୍ର ଗୁଡ଼ିକ ମଧ୍ୟ ନଷ୍ଟ ହୋଇଥିବା ଜଣାପଡିଛି । ହଠାତ୍‌ ବିଜୁଳି, ଘଡ଼ଘଡ଼ି ସହ  ବର୍ଷା ହେବାରୁ ଯିଏ ଯେଉଁଠି ପାରିଲେ ଛିଡ଼ା ହୋଇ ରହିଥିଲେ।  ସହରର ବିଭିନ୍ନ ସ୍ଥାନରେ ବିଜୁଳି ସେବା ମଧ୍ୟ ପ୍ରଭାବିତ ‌ହୋଇଥିଲା । ଏଥିସହ ଜୋର୍‌ରେ ପବନ ହେବାରୁ ସ୍ଥାନେସ୍ଥାନେ ଗଛ ଡାଳ ଭାଙ୍ଗି ପଡିଥିଲା । ଖଣ୍ଡଗିରି, କଳିଙ୍ଗବିହାର, ଆଚାର୍ଯ୍ୟବିହାର, ବାଣୀବିହାର, ରାଜମହଲ ଛକ, ଜୟଦେବବିହାର ଛକ ଓଭରବ୍ରିଜ୍‌ ତଳେ ଲୋକେ ଅଟକି ରହିଥିଲେ । କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ କାଳବୈଶାଖିର ପ୍ରଭାବ ଦେଖିବାକୁ ମିଳିଛି । ୨୪ ଘଂଟା ମଧ୍ୟରେ କେନ୍ଦ୍ରାପଡା ରାଜନଗରରେ ସର୍ବାଧିକ ୧୦୧ ମିଲିମିଟର ବର୍ଷା ହୋଇଥିବା ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୧୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ଅପରପକ୍ଷରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ବିଶେଷ କରି କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କଟକ ଜିଲ୍ଲାର କେତେକ ଅଂଚଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ସେହିପରି ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ନୟାଗଡ଼ ଏବଂ ଗଞ୍ଜାମ ଜିଲ୍ଲାକୁ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

Get real time updates directly on you device, subscribe now.