ନୂଆଦିଲ୍ଲୀ: ସାରା ଦେଶରେ ଏବେ ପ୍ରଦୂଷଣ ବଡ ସମସ୍ୟା ହୋଇଯାଇଛି । ଏପରି ସ୍ଥିତିରେ ସରକାର ସିଏନଜି, ଏଲଏନଜି, ଇଲେକ୍ଟ୍ରିକ୍ ଓ ବାୟୋଫୁଏଲ୍ରେ ଚାଲୁଥିବା ଗାଡିକୁ ଅଧିକ ମାତ୍ରାରେ ପ୍ରୋତ୍ସାହିତ କରୁଛନ୍ତି । ଅନ୍ୟପକ୍ଷରେ ପୋଲିସ ବି ଲଗାତର ଏପରି ଗାଡି ଉପରେ ନଜର ରଖିଛନ୍ତି ଯାହା ଅଧିକ ପ୍ରଦୂଷଣ ସୃଷ୍ଟି କରୁଛି । ଏହି କ୍ରମରେ ପୁଣେରେ ଏକ ସ୍ୱୟଂଚାଳିତ ସିଷ୍ଟମ ବିକଶିତ କରାଯାଉଛି । ଏହି ସିଷ୍ଟମ ଏପରି ଗାଡି ଉପରେ ନଜର ରଖିବ ଯାହାର ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ୍ (PUC) ପ୍ରମାଣପତ୍ର ଏକ୍ସପାୟାର ହୋଇଯାଇଛି ।
ମିଡିଆ ରିପୋର୍ଟସ୍ ଅନୁସାରେ ଏହି ସିଷ୍ଟମ ପୁଣେର ପେଟ୍ରୋଲ ପମ୍ପରେ ଲଗାଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିରେ ପେଟ୍ରୋଲ ପମ୍ପରେ କ୍ୟାମେରା ଇନଷ୍ଟଲ କରାଯିବ ଯାହା ଯାଆସ କରୁଥିବା ସମସ୍ତ ଗାଡି ଉପରେ ନଜର ରଖିବ । ଏହି କ୍ୟାମେରା ସେହି ଗାଡିକୁ ସିଷ୍ଟମରେ ଫିଡ୍ ହୋଇଥିବା ଡାଟା ସହ ମ୍ୟାଚ୍ କରାଇ ସହଜରେ ଚିହ୍ନଟ କରିବ ଯାହା ବିନା ଭ୍ୟାଲିଡ୍ PUC ରେ ଚାଲୁଥିବ । ତେବେ ଏପରି ଗାଡି ଧରାଯିବା ପରେ ମାଲିକ ଠାରୁ ୧୦,୦୦୦ଟଙ୍କା ଚାଲାଣ କଟାଯିବ । ଏପରି ଯୋଜନା ଦିଲ୍ଲୀରେ ବି ଲାଗୁ କରାଯିବାକୁ ପ୍ରସ୍ତୁତି ଚାଲିଛି ।
ଯଦି ଆପଣ ପ୍ରତିଦିନ ଗାଡି ଚଳାଉଛନ୍ତି ତେବେ ଗାଡିର PUC ଭ୍ୟାଲିଡିଟି ଚେକ୍ କରି ନିଅନ୍ତୁ । ଯଦି ତାହା ଏକ୍ସପାୟାର ହୋଇଯାଇଛି ତେବେ ତୁରନ୍ତ ଯାଞ୍ଚ କରି ନୂଆ ପ୍ରମାଣପତ୍ର ଆଣନ୍ତୁ । ଏବେ ସମସ୍ତ ପେଟ୍ରୋଲ ପମ୍ପ ପାଖରେ ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ନିର୍ମାଣ କରାଯାଇଛି । ଆପଣ ଏଠାରେ ନିଜ ଗାଡିର ପଲ୍ୟୁସନ ଲେବୁଲ ଯାଞ୍ଚ କରି PUC ହାସଲ କରିପାରିବେ ।