ସ୍ୱାତୀ ମାଲିୱାଲଙ୍କୁ ମିଳିଲା ପ୍ରିୟଙ୍କା ଗାନ୍ଧୀଙ୍କ ସମର୍ଥନ, କହିଲେ- ତାଙ୍କ ସହ ମୁଁ ଛିଡା ହୋଇଛି

ନୂଆଦିଲ୍ଲୀ: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଆପ ସାଂସଦ ସ୍ୱାତୀ ମାଲିୱାଲଙ୍କ ସହ ଏକଜୁଟ ହେବା ଦେଖିବାକୁ ମିଳିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ତାଙ୍କୁ ମାରପିଟ ହୋଇଥିଲା ବୋଲି ଖବର ଆସିଛି । ତେବେ ପ୍ରିୟଙ୍କା ଗାନ୍ଧୀ ଗୁରୁବାର ଦିନ କହିଛନ୍ତି ଯେ, ସେ ଆମ ଆଦମୀ ପାର୍ଟୀର ସାଂସଦ ସ୍ୱାତୀ ମାଲିୱାଲଙ୍କ ସହ ଛିଡା ହୋଇଛନ୍ତି ।

ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ମହିଳାମାନଙ୍କ ସହ ଯଦି କେଉଁଠି ବି ଅତ୍ୟାଚାର ହେଉଛି, କି କିଛି ଭୁଲ ହେଉଛି ତେବେ ଆମେ ତାଙ୍କ ସହ ଛିଡା ହୋଇଛୁ । ମୁଁ ସର୍ବଦା ମହିଳାମାନଙ୍କ ସହ ଛିଡା ହୋଇଛି, ତେବେ ସେ ଯେକୌଣସି ପାର୍ଟୀର ହୁଅନ୍ତୁ ନା କାହିଁକି । ସେ ଆମ ଆଦମୀ ପାର୍ଟୀର ନେତା ତେବେ ସେ କେଉଁ ନିଷ୍ପତ୍ତି ନେଉଛନ୍ତି, ଏହା ତାଙ୍କ ଉପରେ ନିର୍ଭର କରେ ।

ମାଲିୱାଲ କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ତାଙ୍କ ସହ ମାରପିଟ କରିବାର ଅଭିଯୋଗ ଲଗାଇଛନ୍ତି । ଏହି ବିଷୟରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ମୁଁ ବର୍ତ୍ତମାନ ୟୁପିରେ ଅଛି । ମୁଁ ଏହି ମାମଲାକୁ ଦେଖିନାହିଁ । ଯଦି ଏହା ସତ, ଯଦି କିଛି ଭୁଲ ହୋଇଛି ତେବେ ମୁଁ ସେହି ମହିଳାଙ୍କ ସହ ଛିଡା ହୋଇଛି । ଯଦି ସ୍ୱାତୀ ମାଲିୱାଲ ମୋ ସହ କଥା ହେବାକୁ ଚାହୁଁଛନ୍ତି ତେବେ ମୁଁ କଥା ହେବି ।

ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଯଦି ଅରବିନ୍ଦ କେଜ୍ରିୱାଲ ଏହି ମାମଲା ବିଷୟରେ ଜାଣିଛନ୍ତି ତେବେ ମୋତେ ଆଶା ରହିଛି ଯେ, ସେ ଉଚିତ କାର୍ଯ୍ୟାନୁଷ୍ଠାନ ନେବେ । ମୋତେ ଆଶା ରହିଛି ଯେ, କେଜ୍ରିୱାଲ କୌଣସି ଏକ ସମାଧାନ ବାହାର କରିବେ ଯାହା ସ୍ୱାତୀ ମାଲିୱାଲ ସ୍ୱୀକାର କରିବେ । ଏହି ମାଲାରେ ବିଜେପିର ନେତା କଣ କହୁଛନ୍ତି । ତାଙ୍କ ପାର୍ଟୀ ଗ୍ୟାଙ୍ଗରେପ, ନିର୍ଯାତନା ମାମଲାରେ କିଛି କୁହନ୍ତି ନାହିଁ ।