fbpx

ଏହି ଗାଁରେ ଅଛନ୍ତି କେବଳ ୧୫୯ ଭୋଟର, ହେଲିକପ୍ଟର ଯୋଗେ ପଠାଯାଇଛି EVM ମେଶିନ୍‌

ଶିମଲା: ଲୋକସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଯାଇଛି । ଅବଶିଷ୍ଟ ୩ଟି ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି । ପ୍ରାର୍ଥୀ ଠାରୁ ଆରମ୍ଭ କରି ଷ୍ଟାର ପ୍ରଚାରକ ଏବଂ ନେତାମାନେ ଘରକୁ ଘର ଯାଇ ଭୋଟ ଭିକ୍ଷା କରୁଛନ୍ତି । ଏଥିମଧ୍ୟରେ ହିମାଚଳ ପ୍ରଦେଶରେ ଏମିତି ଏକ ଗାଁ ରହିଛି ଯେଉଁଠି ଏପର୍ଯ୍ୟନ୍ତ କୌଣସି ନେତା ଭୋଟ ମାଗିବାକୁ ଆସିନାହାଁନ୍ତି । ଏପରି ଏକ ଗାଁ ହେଉଛି ହିମାଚଳ ପ୍ରଦେଶ କାଙ୍ଗରା ଜିଲ୍ଲା ସ୍ଥିତ ‘ବଡ଼ା ଭଙ୍ଗାଲ’ ଗାଁ ।

ଦୁର୍ଗମ ଅଂଚଳରେ ରହିଛି ‘ବଡ଼ା ଭଙ୍ଗାଲ’ ଗାଁ ଯେଉଁଠି ମାତ୍ର ୧୫୯ ଭୋଟର ଅଛନ୍ତି । ଏହି ଗାଁ ସମୁଦ୍ର ପତନ ଠାରୁ ୨୮୮୨ ମିଟର ଉପରେ ଅବସ୍ଥିତ । ବୈଜନାଥର ଅତି ଦୁର୍ଗମ ଅଞ୍ଚଳରେ ବଡ଼ା ଭଙ୍ଗାଲ ଗାଁରେ ଆଜି ପର୍ଯ୍ୟନ୍ତ କୌଣସି ନେତା ନିର୍ବାଚନୀ ପ୍ରଚାର କିମ୍ବା ଭୋଟ୍ ମାଗିବାକୁ ଆସିନାହାଁନ୍ତି । କାରଣ ଏହି ସ୍ଥାନକୁ ପହଂଚିବା ବହୁତ କଠିନ । ଏଥିପାଇଁ ୩ରୁ ୪ ଦିନ ସମୟ ଲାଗିଥାଏ । କହିରଖୁଛୁ ୨୦୧୧ରେ ଭଙ୍ଗାଲ ପଂଚାୟତରେ ପ୍ରଥମ ଥର ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ଧୁମଲ, ତତ୍କାଳୀନ ଉଲ୍ ଫେଡେରେସନ୍ ଅଧ୍ୟକ୍ଷ ତ୍ରିଲୋକ କପୁର ହେଲିକପ୍ଟର ଯୋଗେ ଏଠାରେ ପହଂଚିଥିଲେ ଏବଂ ଲୋକଙ୍କୁ ସମ୍ବୋଧିତ କରିଥିଲେ । ଏହା ପରେ ୨୦୧୮ରେ ପ୍ରଥମ ଥର ପାଇଁ ତତ୍କାଳୀନ ବୈଜନାଥ ବିଧାୟକ ମୁଲ୍‌ଖ ରାଜ ପ୍ରେମୀ ହେଲିକପ୍ଟର ଯୋଗେ ଏହି ଗାଁ ଗସ୍ତ କରିଥିଲେ । ସେଠାକୁ ହେଲିକପ୍ଟର ଯୋଗେ ଇଭିଏମ୍ ମେଶିନ୍ ପଠାଯିବ । ବର୍ତ୍ତମାନ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଗାଁରେ ଭୋଟିଂ ସମ୍ପନ୍ଧୀୟ ସମସ୍ତ ସୁବିଧା ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିଂ ପାର୍ଟି ପଠାଯାଇଛି । ଏହି ଅଂଚଳର ମତଦାନ କେନ୍ଦ୍ରରେ ନିର୍ବାଚନ ଆୟୋଗ ଦ୍ୱାରା ଇଭିଏମ୍ ଏବଂ VVPATମେଶିନ୍ ପଠାଯାଇଛି । ଏହି ଗାଁ ରାଜ୍ୟର ଅନ୍ୟ ଅଞ୍ଚଳରୁ ସବୁବେଳେ ଅଲଗା ରହୁଥିଲା । ତେଣୁ ଏଠିକାର ଅଧିକାଂଶା ଅଧିବାସୀ ଅନ୍ୟ ଗାଁରେ ବସବାସ କରିବା ପାଇଁ ଚାଲିଯାଉଥିଲେ । ଜୁନ ୧ରେ ହିମାଚଳ ପ୍ରଦେଶର ୪ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ଏହି ୪ଟି ଆସନ ହେଉଛି କାଙ୍ଗରା, ମଣ୍ଡି, ହମୀରପୁର ଏବଂ ଶିମଲା ।

 

Get real time updates directly on you device, subscribe now.