ନୂଆଦିଲ୍ଲୀ: ଗୁଗୁଲର ଗୁଗୁଲ୍ ପେ ସେବା ଭାରତ ସମେତ ଅନେକ ଦେଶରେ ଅନଲାଇନ୍ ପେମେଣ୍ଟ ପାଇଁ ବ୍ୟବହୃତ ହୁଏ । ୨୦୨୨ ରେ ଗୁଗୁଲ୍ ୱାଲେଟ୍ ପ୍ରଚଳନ ପରେ ଜିପେ ବ୍ୟବହାରକାରୀଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟିଥିଲା । ଅନଲାଇନ୍ କାରବାର ପାଇଁ ଏହା ଉପଭୋକ୍ତାମାନଙ୍କ ପ୍ରଥମ ପସନ୍ଦ ହୋଇପାରିଥିଲା । ଯଦି ଆପଣ ନିଜ ସ୍ମାର୍ଟଫୋନରେ ଗୁଗୁଲ୍ ପେ ଆପ୍ ଇନଷ୍ଟଲ୍ କରିଛନ୍ତି, ତେବେ ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି । ଗୁଗୁଲ୍ ପେ ସେବା ଜୁନ୍ ୪ ପରେ ବନ୍ଦ ହେବାକୁ ଯାଉଛି ।
ଗୁଗୁଲ ୪ ଜୁନ୍ ୨୦୨୪ ରୁ ଗୁଗୁଲ୍ ପେ ବନ୍ଦ କରିବାକୁ ଯାଉଛି । ଏହି ଖବର ଅନଲାଇନ୍ କାରବାର କରୁଥିବା ଉପଭୋକ୍ତାଙ୍କ ଟେନସନକୁ ବଢ଼ାଇ ଦେଇଛି । ଜିପେ ବନ୍ଦ ହେବ, ଏହି ଖବର ସତ ଅଟେ । ଏହା ଗୁଗୁଲ ନିଜେ ନିଶ୍ଚିତ କରିଛି । ଗୁଗୁଲର ଏହି ନିଷ୍ପତ୍ତି ଦ୍ୱାରା କେଉଁ ଦେଶ ପ୍ରଭାବିତ ହେବାକୁ ଯାଉଛନ୍ତି ତାହା ଆସନ୍ତୁ ଜାଣିବା ।
ଏହି ଉପଭୋକ୍ତାମାନେ ପ୍ରଭାବିତ ହେବେ ନାହିଁ :-
ଗୁଗୁଲ ଏହାର ଗୁଗୁଲ୍ ପେ ସେବା ବନ୍ଦ କରିବାକୁ ଯାଉଛି, କିନ୍ତୁ ଗୁଗୁଲର ଏହି ନିଷ୍ପତ୍ତି ଭାରତୀୟ ବ୍ୟବହାରକାରୀଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଗୁଗୁଲ ଆମେରିକାରେ ଗୁଗୁଲ୍ ପେ ର ସେବା ୪ ଜୁନ୍ ୨୦୨୪ ରୁ ବନ୍ଦ କରିବାକୁ ଯାଉଛି । ଏହାର ଅର୍ଥ ଗୁଗୁଲ୍ ପେ ଭାରତ ନୁହେଁ ବରଂ ଆମେରିକାରେ ବନ୍ଦ ହେବାକୁ ଯାଉଛି ।
ଜୁନ୍ ୪ ପରେ ଗୁଗୁଲ୍ ପେ ଆପ୍ କେବଳ ଭାରତ ଏବଂ ସିଙ୍ଗାପୁରରେ କାମ କରିବ । ଯେତେବେଳେ କି ଅନ୍ୟ ଦେଶରେ ଏହାର ସେବା ସଂପୂର୍ଣ୍ଣ ବନ୍ଦ ହୋଇଯିବ । କମ୍ପାନୀ ଅନୁଯାୟୀ ସମସ୍ତ ବ୍ୟବହାରକାରୀଙ୍କୁ ଗୁଗୁଲ ୱାଲେଟକୁ ସ୍ଥାନାନ୍ତର କରାଯିବ । ଏହି ତାରିଖ ପରେ ଗୁଗୁଲ ପେ ଆମେରିକାରେ ସଂପୂର୍ଣ୍ଣ ଅଦରକାରୀ ହୋଇଯିବ ।