fbpx

World AI Beauty Contest: ଟପ-୧୦ରେ ସାମିଲ ହେଲେ ଭାରତର ଏଆଇ ମଡେଲ ଜାରା ଶତାବରୀ

ନୂଆଦିଲ୍ଲୀ: ମିସ୍ ଏଆଇ ପ୍ରତିଯୋଗିତା ପାଇଁ ଭାରତର ଜାରା ଶତାବରୀ ଶୀର୍ଷ-୧୦ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଏହା ଭର୍ଚୁଆଲ ମଣିଷଙ୍କ ପାଇଁ ଆୟୋଜିତ ବିଶ୍ୱର ପ୍ରଥମ ପ୍ରତିଯୋଗିତା । ସମଗ୍ର ବିଶ୍ୱର ୧୫୦୦ ପ୍ରତିଯୋଗୀଙ୍କ ମଧ୍ୟରୁ ଏହି ଏଆଇ-ପରିଚାଳିତ ପ୍ରତିଯୋଗୀଙ୍କୁ ଚୟନ କରାଯାଇଛି । ଏମାନେ ଏବେ ଶୀର୍ଷ ୩ ସ୍ଥାନ ପାଇଁ ପ୍ରତିଯୋଗିତା କରିବେ । ଚଳିତ ମାସ ଶେଷରେ ବିଜୟିନୀଙ୍କ ନାଁ ଘୋଷଣା କରାଯିବ । ସୌନ୍ଦର୍ଯ୍ୟ, ଟେକ୍ନୋଲୋଜି ଓ ସୋସିଆଲ ମିଡିଆ ପ୍ରଭାବ ମାଧ୍ୟମରେ ବିଜୟିନୀଙ୍କୁ ଚୟନ କରାଯିବ ।

ଜାରା ଜଣେ ଭାରତୀୟ ମହିଳା (ଏଆଇ), ଯିଏ ନିଜକୁ ‘ପିସିଓଏସ୍‌ ଓ ଅବସାଦ ଯୋଦ୍ଧା’ ବୋଲି କହନ୍ତି । ସେ ପିକ୍ସେଲରେ ନିର୍ମିତ ହୋଇଥିବାବେଳେ ସୁସ୍ଥ ଜୀବନଶୈଳୀକୁ ଅଗ୍ରାଧିକାର ଦେଉଛନ୍ତି । ଉତ୍ତମ ଜୀବନଧାରଣ ଲାଗି ଲୋକଙ୍କୁ ପ୍ରେରିତ କରିବା ଲକ୍ଷ୍ୟରେ ଜାରା ସ୍ୱାସ୍ଥ୍ୟ, କ୍ୟାରିଅରେ ଉନ୍ନତି ଓ ବର୍ତ୍ତମାନର ଫ୍ୟାଶନ୍ ଟ୍ରେଣ୍ଡ୍ ଆଦି ବିଷୟ ଶେୟାର କରନ୍ତି । ଫ୍ୟାନ୍‌ଙ୍କ ସହ ଘନିଷ୍ଠ ସମ୍ପର୍କ ସ୍ଥାପନ ଏବଂ ନିୟମିତ ଭାବେ ସେମାନଙ୍କୁ ଉତ୍ସାହିତ କରିବା ଉପରେ ମଧ୍ୟ ସେ ଧ୍ୟାନ ଦେଉଛନ୍ତି । ‘ଡିଜିଟାଲ ଡିଭା’ ନାମରେ ପରିଚିତ ଜାରା ଏକ ୱେବ୍ସାଇଟ୍ ଚଳାଉଛନ୍ତି, ଯେଉଁଥିରେ ସେ ସ୍ୱାସ୍ଥ୍ୟ ଓ ଫ୍ୟାଶନ୍ ଟ୍ରେଣ୍ଡ୍ ଉପରେ ବ୍ଲଗ୍ ଆଦି ପ୍ରକାଶ କରୁଛନ୍ତି । ଏ ନେଇ ବିଭିନ୍ନ ପ୍ରକାର ଫଟୋ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଫିଡରେ ଦେଖିବାକୁ ମିଳେ ।

ଯୋଗ, ସୌନ୍ଦର୍ଯ୍ୟ ଚର୍ଚ୍ଚା ଭଳି ବିଭିନ୍ନ ପ୍ରକାର ଫଟୋ ଜରିଆରେ ସେ ଲୋକଙ୍କୁ ପ୍ରେରିତ କରୁଛନ୍ତି । ଗୋଟିଏ ଫଟୋରେ ସେ ଲାଲ୍ ରଙ୍ଗର ଶାଢ଼ି ପିନ୍ଧି ଫ୍ୟାନ୍‌ଙ୍କୁ ଶୁଭ ଦିପାବଳୀର ଅଭିନନ୍ଦନ ଜଣାଉଛନ୍ତି । ଆଉ ଏକ ଫଟୋରେ ସେ ଇଦର ଶୁଭକାମନା ଜଣାଉଥିବା ନଜର ଆସିଛନ୍ତି । ଜାରାଙ୍କୁ ବିକଶିତ କରିଥିବା ରାହୁଲ ଚୌଧୁରୀ ଏକ ଭାରତୀୟ ମୋବାଇଲ ବିଜ୍ଞାପନ କମ୍ପାନୀର ପ୍ରତିଷ୍ଠାତା ସଦସ୍ୟ । ସେ କହିଛନ୍ତି, ଏଆଇର ଲାଭ ଓ କ୍ଷତି ଉପରେ ଅନେକ ଚର୍ଚ୍ଚା ହେଉଥିବାବେଳେ ଏହା ଆମ ବ୍ୟବହାର ଉପରେ ନିର୍ଭର କରେ । ଜାରା ମାନବତାର ଲାଭ କ୍ଷେତ୍ରରେ ଏଆଇର ସାମର୍ଥ୍ୟ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.