fbpx

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା; ପ୍ରବଳ ବର୍ଷା ହେବାନେଇ ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜିଠାରୁ ୪ଦିନ ଯାଏଁ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି । ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଆଜିଠାରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ ଏବଂ କେତେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବ ।

ଅସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୧୪ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ୧୪ ତାରିଖରେ ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୫ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ପ୍ରକାଶ ପାଇଛି। ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ପ୍ରବଳରୁ ଅତିପ୍ରବଳ ଏବଂ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୧୬ ତାରିଖରେ ମଧ୍ୟ ସେହି ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରକୋପ ରହିପା‌ରେ। ପରବର୍ତ୍ତୀ ସମୟରେ ବର୍ଷା ପରିମାଣ ବଢ଼ିବ।

Get real time updates directly on you device, subscribe now.