fbpx

ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ: ଶ୍ରୀମନ୍ଦିର ଭିତରକୁ ଗଲେ ୧୫ ଜଣିଆ ଓଡ୍ରାଫ ଟିମ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବହୁପ୍ରତୀକ୍ଷିତ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ନେଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଭିତରକୁ ୧୫ ଜଣିଆ ଓଡ୍ରାଫ ଟିମ୍ ପ୍ରବେଶ କରିଛନ୍ତି । ହାଇମାସ୍କ ଲାଇଟ୍ ଧରି ଟିମର ସଦସ୍ୟମାନେ ମନ୍ଦିର ଭିତରେ ପ୍ରବେଶ କରିଛନ୍ତି । ଏଥିସହିତ ସ୍ନେକ ହେଲପ୍ ଲାଇନ ଟିମ୍ ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିଛନ୍ତି । ରତ୍ନଭଣ୍ଡାର ଭିତରକୁ କମିଟିର ୨ ଜଣ ସଦସ୍ୟ ଯିବେ ବୋଲି ଅଧ୍ୟକ୍ଷ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି ।

ଏହା ମଧ୍ୟରେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଶ୍ରୀଲୋକନାଥ ମନ୍ଦିରରୁ ଶ୍ରୀମନ୍ଦିରକୁ ଆଜ୍ଞାମାଳ ଆସିଛି । ଲୋକନାଥଙ୍କ ପାଖରେ ପୂଜାର୍ଚ୍ଚନା କରାଯିବା ପରେ ସେବାୟତମାନେ ଆଜ୍ଞାମାଳ ଆଣିଛନ୍ତି । ରତ୍ନଭଣ୍ଡାର ଖୋଲିବା, ରତ୍ନଭଣ୍ଡାରରୁ ଅସ୍ଥାୟୀ ଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର କରିବା ଓ ଗଣତି ପାଇଁ ଏସଓପି ପ୍ରସ୍ତୁତ ହୋଇଛି । ଯେଉଁମାନେ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବେ ସେମାନେ ବେହରଣ ଦ୍ୱାର ଦେଇ ଯିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।

ରତ୍ନଭଣ୍ଡାର ଖୋଲାଯିବା ସମୟରେ ଶ୍ରୀମନ୍ଦିରର ସିଂହଦ୍ୱାରକୁ ଛାଡ଼ି ଅନ୍ୟ ୩ଟି ଦ୍ୱାର ବନ୍ଦ ରଖାଯିବ । ଜଷ୍ଟିସ ବିଶ୍ୱନାଥ ରଥ ଓ ସିବିକେ ମହାନ୍ତି ରତ୍ନଭଣ୍ଡାର ଭିତରକୁ ଯିବ । ୧୦ରୁ ଅଧିକ ବିଶେଷଜ୍ଞ ଦଳ ରତ୍ନଭଣ୍ଡାର ସଫେଇ ଓ ସଂରକ୍ଷଣ କାମ ପାଇଁ ପ୍ରସ୍ତୁତ ରହିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏସଓପି ଅନୁସାରେ ରତ୍ନଭଣ୍ଡାର ଖୋଲାଯିବ । ଦିନ ୧ଟାରୁ ୧.୩୦ ମଧ୍ୟରେ ରତ୍ନଭଣ୍ଡାର ଖୋଲିବା ପାଇଁ ଶୁଭ ସମୟ ରହିଛି ବୋଲି ପୂର୍ବରୁ କମିଟି ଅଧ୍ୟକ୍ଷ କହିଥିଲେ । ୨ କମିଟି ସଦସ୍ୟ, ଜିଲ୍ଲାପାଳ, ଏଏସଆଇ ଟିମ୍, ଭଣ୍ଡାର ମେକାପ, ତାଲା ଭଙ୍ଗା ଟିମ, ତଡଉ କରଣ ପ୍ରମୁଖ ଭିତରକୁ ପ୍ରବେଶ କରିବେ । ସମସ୍ତ କାର୍ଯ୍ୟ ସ୍ୱଚ୍ଛତାର ସହ ସମ୍ପାଦିତ ହେବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.