fbpx

ଜନ୍ମବେଦୀରେ ସରିଲା ଲୀଳାଖେଳା: ଆଜି ବାହୁଡ଼ିବେ ମହାବାହୁ

ପୁରୀ: ଜନ୍ମ ବେଦୀରେ ସରିଲା ଲୀଳାଖେଳା । ଆଜି ବାହୁଡ଼ିବେ ମହାବାହୁ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବାହୁଡ଼ା ନୀତି ପାଇଁ ଆଡପ ମଣ୍ଡପରେ ସନ୍ଧ୍ୟା ଦର୍ଶନ ସନ୍ଧ୍ୟା ୫ଟାରୁ ଭକ୍ତଙ୍କ ପାଇଁ ବନ୍ଦ କରି ଦିଆଯାଇଛି । ରବିବାର ସକାଳେ ଶରଧାବାଲିରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।

ତେବେ ସୋମବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଯାଇଛି । ସୋମବାର ଭୋର୍ ୪ଟାରେ ମଙ୍ଗଳ ଆଳତି, ୪.୧୫ରେ ମଇଲମ୍, ୪.୩୦ରେ ତଡ଼ପଲାଗି ଓ ରୋଷହୋମ, ୫ଟାରେ ଅବକାଶ, ୫.୧୫ରେ ସୂର୍ଯ୍ୟପୂଜା, ୫.୩୦ରେ ଦ୍ୱାରପାଳ ପୂଜା ଓ ବେଶ ଶେଷ ହୋଇ ସକାଳ ୫.୪୫ ରୁ ୬.୪୫ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପରେ କେବଳ ଖେଚୁଡ଼ି ଭୋଗ, ସକାଳ ୭ଟାରୁ ୧୧.୩୦ ସେନାପଟା ଲାଗି, ୧୧.୪୫ରେ ମଙ୍ଗଳାର୍ପଣ, ମଧ୍ୟାହ୍ନ ୧୨ଟାରୁ ୨.୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ଅପରାହ୍ନ ୧ଟା ରୁ ୨.୩୦ ମଧ୍ୟରେ ବେଶ ଶେଷ, ଅପରାହ୍ନ ୨.୩୦ରୁ ୩.୩୦ ଛେରାପହଁରା, ଅପରାହ୍ନ ୩ଟା ରୁ ୪ଟା ମଧ୍ୟରେ ଚାରମାଳ ଫିଟା ଓ ଘୋଡା ଲାଗିରଥ ଟାଣିବା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି ।

ଏଥି ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଭକ୍ତଙ୍କ ନିମନ୍ତେ ପାଣି, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଜରୁରୀ କାଳୀନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନ୍ୟପଟେ ସୋମବାର ବାହୁଡ଼ା ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଏସ୍ପି ପିନାକ ମିଶ୍ର ସୂଚନା ପ୍ରଦାନ କରିଥିଲେ । ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ରବିବାର ରାତି ୧୨ଟାରୁ ସହରରେ ଟ୍ରାଫିକ କଟକଣା ଲାଗୁ କରାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି । ବାହୁଡ଼ା ଯାତ୍ରାଦିନ ରଥଯାତ୍ରା ପରି ଯେପରି କୌଣସି ଅଘଟଣ ନ ଘଟେ ସେଥିନେଇ ନଜର ରଖାଯିବ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶନିବାରଠାରୁ ପୁରୀରେ ରହି ସ୍ଥିତି ଉପରେ ନଜର ରଖିବା ସହ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।

Get real time updates directly on you device, subscribe now.