fbpx

ରାକ୍ଷୀ ବାନ୍ଧୁଛି ରାଜ୍ୟ, ଦୁର୍ଲ୍ଲଭ ସଂଯୋଗରେ ଭୋଳାନାଥଙ୍କୁ କାଉଡିଆଙ୍କ ଜଳାଭିଷେକ, ଦୃଶ୍ୟମାନ ହେବ ବିରଳ ସୁପର ‘ବ୍ଲୁ ମୁନ’

ଓଡ଼ିଶା ଭାସ୍କର: ରକ୍ଷା ବନ୍ଧନ! ଭାଇ ଓ ଭଉଣୀଙ୍କ ମଧ୍ୟରେ ଏକ ପବିତ୍ର ସଂପର୍କର ବନ୍ଧନ ହେଉଛି ରାକ୍ଷୀ। ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀଟିଏ ବାନ୍ଧିଦିଏ ଭଉଣୀ । ତାହା ସହ ଭଉଣୀ ନିଜ ଅଲିଅଳ ଭାଇକୁ ସ୍ନେହରେ କୁହେ – ରାକ୍ଷୀ ବାନ୍ଧିଲେ ମୋ ରଖିବ ମାନ । ସ୍ନେହ, ଶ୍ରଦ୍ଧା, ସମ୍ମାନର ପ୍ରତୀକ ରକ୍ଷା ବନ୍ଧନ ସମଗ୍ର ଭାରତବର୍ଷରେ ଏକ ସମୃଦ୍ଧ ଉତ୍ସବ। ‘ ବସୁଧୈବ କୁଟୁମ୍ବକମ୍ ‘ ଆଦର୍ଶ ତଥା ମୂଳମନ୍ତ୍ର ନେଇ ରାଜ୍ୟ ବି ଆଜି ଧୂମଧାମରେ ପାଳୁଛି ରାକ୍ଷୀ ।

ଶ୍ରାବଣ ପୂର୍ଣ୍ଣିମାର ଶୁଭ ଅବସରରେ ପାଳିତ ହେଉଥିବା ଏହି ଉତ୍ସବଟି କେବଳ ଭାଇ-ଭଉଣୀର ପବିତ୍ର ସ୍ନେହର ବନ୍ଧନ ନୁହେଁ, ବରଂ ଦୁଇଟି ଆତ୍ମା, ଦୁଇଟି ହୃଦୟ ଏବଂ ଦୁଇଟି ପ୍ରାଣ ମଧ୍ୟରେ ପରସ୍ପର ପ୍ରତି ଘନିଷ୍ଠତା ଆବେଗ ଓ ସମ୍ମାନର ପ୍ରତୀକ। ଏହା ପାଳନ କରି ଆଜି ଭଉଣୀ ଭାଇ ହାତରେ ପ୍ରେମର ଡୋରି ବାନ୍ଧୁଛି ଓ ଭାଇ ଭଉଣୀର ମାନ ରକ୍ଷା କରିବା ପାଇଁ ପ୍ରତିଜ୍ଞା କରୁଛି ।

ରକ୍ଷାବନ୍ଧନ ଉତ୍ସବ ସହ ଅନେକ ପୌରାଣିକ ଓ ଐତିହାସିକ ଘଟଣା ଯୋଡ଼ି ହୋଇ ରହିଛି । ଏହି ପର୍ବ ବିଶ୍ବାସ ଓ ସଂକଳ୍ପକୁ ଶକ୍ତ  ଓ ସମୃଦ୍ଧ କରିପାରିଛି। ବିଶେଷକରି ଏ ପର୍ବଟି ଦାନବରାଜ ବଳୀ ଓ ବିଷ୍ଣୁଙ୍କୁ ନେଇ ଆଧ୍ୟାତ୍ମିକ ଅଧ୍ୟାୟର ଏକ ଅଂଶଭାବେ ସ୍ୱୀକୃତିପ୍ରାପ୍ତ।

ବାମନ ଅବତାରରେ ଭଗବାନ ବିଷ୍ଣୁ ଦାନବରାଜ ବଳୀକୁ ତିନିପାଦ ଭୂମି ମାଗିବା ପରେ ଦାନବୀର ବାଳୀ ନିଜ ସଂଙ୍କଳ୍ପ ରକ୍ଷା ସ୍ବରୂପ ତିନିପାଦ ଭୂମି ଦାନ କରିଥିଲେ। ଫଳତଃ ଭଗବାନ ଆକାଶ -ପାତାଳ ଏବଂ ଧରିତ୍ରୀକୁ ତିନିପାଦ କରିବା ସହ ରାଜା ବଳୀକୁ ରସାତଳ ପାତାଳକୁ ଚାପି ଦେଇଥିଲେ। କିନ୍ତୁ ଏହାର ପ୍ରତିବଦଳରେ ନିଜ ଭକ୍ତିର ପରାକାଷ୍ଠା ଯୋଗୁଁ ସବୁସମୟରେ ବଳୀ ସାମ୍ନାରେ ରହିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଭଗବାନ। ଏହା ମାତା ଲକ୍ଷ୍ମୀଙ୍କୁ ଚିନ୍ତାରେ ପକାଇଲା। ସମୟକ୍ରମେ ନାରଦଙ୍କ କଥାନୁସାରେ, ମାତା ଲକ୍ଷ୍ମୀ ବଳୀ ପାଖକୁ ଯାଇ ରକ୍ଷା ବନ୍ଧନ କରି ତାକୁ ନିଜ ଭାଇ ଭାବେ ଗ୍ରହଣ କରିବା ସହ ଭଗବାନ ବିଷ୍ଣୁଙ୍କୁ ନିଜ ସହ ନେଇ ଫେରିଥିଲେ। ବିଶ୍ବାସ ଅନୁସାରେ ସେହି ଦିନଠାରୁ ରକ୍ଷା ବନ୍ଧନ ପର୍ବ ପାଳିତ ହୋଇ ଆସୁଅଛି।

ଇତିହାସରେ ମଧ୍ୟ ରକ୍ଷାବନ୍ଧନ ସମ୍ପର୍କର ଡୋରକୁ ସଶକ୍ତ କରିଛି । ଖ୍ରୀଷ୍ଟପୂର୍ବ ୩୦୦ ବର୍ଷ ତଳର କଥା । ସେହି ସମୟରେ ମାସିଡୋନିଆର ସମ୍ରାଟ ଆଲେକଜାଣ୍ଡାର ଭାରତ ଉପରେ ବିଜୟ ଲାଭ ପାଇଁ ଅଗ୍ରସର ହେଉଥିବାବେଳେ ରାଜା ପୁରୁଙ୍କ ସମ୍ମୁଖୀନ ହୋଇଥିଲେ । ପ୍ରଥମଥର ପୁରୁଙ୍କଠାରୁ ଆଲେକଜାଣ୍ଡାର ପରାସ୍ତ ହେଲେ, ସେତେବେଳେ ଆଲେକଜାଣ୍ଡାରଙ୍କ ପତ୍ନୀ ରୁକ୍ସାନା, ପୁରୁଙ୍କ ନିକଟକୁ ଏକ ରାକ୍ଷୀ ପ୍ରେରଣ କରିଥିଲେ । ପୁରୁ ତାଙ୍କୁ ନିଜର ଭଉଣୀ ଭାବେ ଗ୍ରହଣ କରିଥିଲେ । ସତରେ କେତେ ମହାନ୍ ଏ ପର୍ବ । କେତେ ମହାନ ଏହାର ମହିମା ।

ରାକ୍ଷୀ ସାଙ୍ଗକୁ ରାଜ୍ୟରେ ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଚାଲିଛି । ୯୨ ବର୍ଷର ଦୁର୍ଲ୍ଲଭ ସଂଯୋଗରେ  ଜଳଲାଗି ନିମନ୍ତେ ସମସ୍ତ ଶୈବପୀଠରେ ଲାଗିଛି ଭକ୍ତଙ୍କ ପ୍ରବଳ ଭିଡ଼ । ସେପଟେ ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ତଥା ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମୋତ୍ସବ ହୋଇଥିବାରୁ ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି l ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା ଦୁଇଭାଇ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁପିନ୍ଧାଇବେ ରାକ୍ଷୀ । ପରେ ମାର୍କଣ୍ଡ ପୁଷ୍କରିଣୀରେ ଅନୁଷ୍ଠିତ ହେବ ବଡ଼ଠାକୁର ବଳଭଦ୍ରଙ୍କ ସ୍ୱତନ୍ତ୍ର ଜନ୍ମନୀତି l

ରାକ୍ଷୀ ପୂର୍ଣ୍ଣିମାକୁ ସ୍ଵତନ୍ତ୍ର କରିବ ଚନ୍ଦ୍ର । ଏହି  ଅବସରରେ ଭାରତରେ ଦୃଶ୍ୟମାନ ହେବ ବିରଳ ‘ସୁପର ବ୍ଲ୍ୟୁ ମୁନ୍‌’ । ପୂର୍ଣ୍ଣିମା ସମୟରେ ଯେତେବେଳେ ଚନ୍ଦ୍ର ୯୦ ପ୍ରତିଶତରୁ ଅଧିକ ପୃଥିବୀର ନିକଟତର ହୋଇଥାଏ, ସେତେବେଳେ ସୁପର ମୁନ୍‌ ଦୃଶ୍ୟମାନ ହୋଇଥାଏ। ସୁପରମୁନ ଶବ୍ଦର ଆବିଷ୍କାର ୧୯୭୯ରେ ଜ୍ୟୋତିର୍ବିଜ୍ଞାନୀ ରିଚାର୍ଡ ନୋଲ୍ଲେ କରିଥିଲେ।

Get real time updates directly on you device, subscribe now.