fbpx

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ: ସମ୍ପୂର୍ଣ୍ଣ ହେଲା ୨ କିଲୋମିଟର ଲମ୍ବା ଟନେଲ, ପୂର୍ବତଟ ରେଳପଥକୁ ସଫଳତା

ଓଡିଶା ଭାସ୍କର: ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା- ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର କାର୍ଯ୍ୟ ଆଗେଇ ଚାଲିଛି । ଇତିମଧ୍ୟରେ ପୂର୍ବତଟ ରେଳପଥକୁ ଆଉ ଏକ ସଫଳତା ମିଳିଛି । ୨ କିଲୋମିଟରର ଲମ୍ବା ଟନେଲ କାର୍ଯ୍ୟକୁ ସୁରୁଖୁରୁରେ ସମାପ୍ତ କରି ପାରିଛି ପୂର୍ବତଟ ରେଳପଥ । ବୌଦ୍ଧ ଜିଲ୍ଲାର ଚାରିଛକ ଓ ପୁରୁଣାକଟକ ମଧ୍ୟରେ ଏହି ଟନେଲ ନିର୍ମିତ ହୋଇଛି । ପ୍ରାୟ ୧୯୭୫ ମିଟଟର ଲମ୍ବା ଟନେଲ ନିର୍ମାଣ ହେବା ଫଳରେ ସେ ଅଞ୍ଚଳରେ ରେଳ ସଂଯୋଗର ସମ୍ପ୍ରସାରଣ ହୋଇ ପାରିବ ଓ ଏହା ଅଞ୍ଚଳବାସୀଙ୍କ ଦୁଃଖ ଦୂର କରିବାରେ ସହାୟ ହେବ ବୋଲି ପୂର୍ବତଟ ରେଳପଥ କହିଛି ।

କହିରଖୁ, ନିଜେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଖୋର୍ଦ୍ଧା- ବଲାଙ୍ଗୀର ରେଳ ପ୍ରକଳ୍ପର କାର୍ଯ୍ୟକୁ ସମୀକ୍ଷା କରୁଛନ୍ତି । ଓଡିଶାରେ କାର୍ଯ୍ୟ ହେଉଥିବା ଅନ୍ୟ ପ୍ରକଳ୍ପ ଉପରେ ମଧ୍ୟ ତାଙ୍କର ନଜର ରହିଛି । ବିଶେଷକରି ଖୋର୍ଦ୍ଧା- ବଲାଙ୍ଗୀର ରେଳ ପ୍ରକଳ୍ପକୁ ଶୀଘ୍ର ସାରିବା ପାଇଁ ତ୍ୱାରାନ୍ୱିତ ଭାବରେ କାର୍ଯ୍ୟ କରିବା ଦିଗରେ ସେ ଅଗ୍ରସର ଅଛନ୍ତି । ସେଥିପାଇଁ ବିଭିନ୍ନ ସଂସ୍ଥା ଓ କାର୍ଯ୍ୟାଳୟ ସହ ସମନ୍ୱୟ ରଖି ଉପୁଜୁଥିବା ସମସ୍ୟା ଉପରେ ଧ୍ୟାନ ଦେଇ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ନିଜେ ସ୍ଥିତିର ସମୀକ୍ଷା କରିବା ସହ ପରାମର୍ଶ ଦେଉଛନ୍ତି ।

ପ୍ରକାଶଥାଉ ଯେ, ଖୋର୍ଦ୍ଧା- ବଲାଙ୍ଗୀର ପ୍ରକଳ୍ପର ୩୦୧ କିଲୋମିଟର ମଧ୍ୟରୁ ପ୍ରାୟ ୧୮୩ କିଲୋମିଟର ରେଳଲାଇନ କାର୍ଯ୍ୟକ୍ଷମ ହୋଇ ସାରିଛି । ବର୍ତ୍ତମାନସୁଦ୍ଧା ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ଯାଏଁ ୧୦୬ କିଲୋମିଟ ଓ ବଲାଙ୍ଗୀରରୁ ଝାରମୁଣ୍ଡା ପର୍ଯ୍ୟନ୍ତ ପ୍ରାୟ ୭୭ କିଲୋମିଟରର କାମ ସରିଛି । ଏହାବାଦ ଝାରମୁଣ୍ଡାରୁ ବୌଦ୍ଧ ପର୍ଯ୍ୟନ୍ତ ପ୍ରାୟ ୧୬.୨୭ କିଲୋମିଟର କାମ ମଧ୍ୟ ଶେଷ ହୋଇଛି । ସେପଟେ ପ୍ରାୟ ବୌଦ୍ଧଠାରୁ ପୁରୁଣାକଟକ ମଧ୍ୟରେ ପ୍ରାୟ ୨୭ କିଲୋମିଟରର କାମ ବହୁ ଶୀଘ୍ର ଶେଷ ହେବ ବୋଲି ପୂର୍ବତଟ ରେଳପଥ କହିଛି ।

Get real time updates directly on you device, subscribe now.