fbpx

ଆଜି ରାମଲଲା-ନନ୍ଦଲାଲାଙ୍କ ମହାମିଳନ: ଅଯୋଧ୍ୟା ରାମ ମନ୍ଦିରରେ ପାଳନ ହେବ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ

ଅଯୋଧ୍ୟା: ଅଗଷ୍ଟ ୨୬ ତାରିକରେ ସାରା ଦେଶରେ ପାଳନ ହୋଇଯାଇଛି ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ । କିନ୍ତୁ ଆଜି ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ଆଜି ପାଳନ ହେବ ଜନ୍ମାଷ୍ଟମୀ । ରାମ ମନ୍ଦିରରେ ଆଜି ରାମଲଲା ଏବଂ ନନ୍ଦଲାଲାଙ୍କର ମହାମିଳନ ଦେଖିବ ସାରା ଭାରତ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମନ୍ଦିରର ପରିସର । ଜନ୍ମାଷ୍ଟମୀ ପାଳନ ପାଇଁ ରାମ ମନ୍ଦିର ପରିସର ଫୁଲରେ ସଜେଇ ହୋଇଛି । ଏହି ଉତ୍ସବରେ ଭକ୍ତଙ୍କୁ ସାମିଲ କରିବା ପାଇଁ ଆଜି ରାତି ୧୨ଟାରେ ଭଗବାନ ରାମଲଲାଙ୍କ ପଟ ଖୋଲାଯିବ । ଏହି ଆୟୋଜନ ପାଇଁ ଅଯୋଧ୍ୟାର ୧୫୦ ଜଣ ସନ୍ଥ ଏବଂ ମହନ୍ତଙ୍କୁ ନିମନ୍ତ୍ରଣ ପ୍ରଦାନ କରାଯାଇଛି ।

ପ୍ରଥମ ଥର ପାଇଁ ଆଜି ଭବ୍ୟ ରାମ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ପାଳନ କରାଯାଉଛି । ଏହି ଉତ୍ସବ ପାଳନ ପାଇଁ ପ୍ରଭୁ ରାମଲଲାଙ୍କୁ ନବ ବସ୍ତ୍ରରେ ସଜେଇବା ସହିତ ରାମ ମନ୍ଦିର ଟ୍ରଷ୍ଟ ଦ୍ୱାରା ଅନ୍ୟାନ୍ୟ ବ୍ୟାପକ ପ୍ରସ୍ତୁତି ହୋଇଛି । ରାମ ମନ୍ଦିର ପ୍ରଶାସକ ଗୋପାଳ ରାଓ କହିଛନ୍ତି ଯେ କୃଷ୍ଣଙ୍କ ଜନ୍ମାଷ୍ଟମୀ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଆଜି ରାତି ୧୨:୦୦ ରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯିବ। ଜନ୍ମାଷ୍ଟମୀ ଅବସରରେ ସନ୍ଧ୍ୟା ୭ଟାରୁ ରାତ୍ରି ୧୨ଟା ପର୍ଯ୍ୟନ୍ତ ମନ୍ଦିର ପରିସରରେ ଭଜନ-କୀର୍ତ୍ତନ ଏବଂ ଧାର୍ମିକ ଅନୁଷ୍ଠାନ ଇତ୍ୟାଦି ପରିବେଷଣ କରାଯିବ । ଏହାପରେ ଭଗବାନ୍ ଶାଳଗ୍ରାମଙ୍କ ପଞ୍ଚାମୃତ ଅଭିଷେକ କରାଯିବା ସହ ରାମଲଲା ଏବଂ ଚାରି ଭାଇଙ୍କୁ ଶୃଙ୍ଗାର କରାଯିବ । ଏହି ସମୟ ମଧ୍ୟରେ ଅଯୋଧ୍ୟାଙ୍କର ବିଶିଷ୍ଟ ସାଧୁ ସନ୍ଥମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି, ଯେଉଁମାନେ ଏହି ଶୁଭ ଅବସରରେ ଉପସ୍ଥିତ ରହିବେ ।

ରାମ ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ, ଭଗବାନ ରାମଙ୍କ ସିଂହାସନରେ ବିରାଜମାନ ହେବା ପରେ ଚଳିତବର୍ଷ ପ୍ରଥମ ଥର ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳନ କରାଯିବ। ପଞ୍ଚାମୃତ ଏବଂ ପଞ୍ଜିରୀ ସମେତ ପ୍ରଭୁଙ୍କ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ନୈବେଦ୍ୟ ଲାଗି ହେବ । ଅଗଷ୍ଟ ୨୭ ତାରିଖ ରାତି ୧୨ ଟା ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ସମୟ ମଧ୍ୟରେ ଉପସ୍ଥିତ ଭକ୍ତମାନେ ମଧ୍ୟ ପ୍ରଭୁ ରାମଙ୍କ ଦର୍ଶନ ପାଇପାରିବେ ।

ପବିତ୍ର ଜନ୍ମାଷ୍ଟମୀକୁ ଧୁମଧାମରେ ପାଳନ କରିବା ପାଇଁ ଭବ୍ୟ ରାମ ମନ୍ଦିରକୁ ସଜାଯାଉଛି ଏବଂ ଆଲୋକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ରାତି ୧୨:୦୦ ପରେ ମନ୍ଦିର ବନ୍ଦ ରହିବ ଏବଂ ତା’ପରେ ସକାଳ ୪:୦୦ ରେ ମନ୍ଦିର ଖୋଲାଯିବ । ଯେଉଁଠାରେ ଭଗବାନ ରାମଙ୍କ ପୂଜାପାଠ ଏବଂ ଶୃଙ୍ଗାର ଆରତୀ ଅନୁଷ୍ଠିତ ହେବ । ରାମ ନବମୀରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ପରି ଭଗବାନ କୃଷ୍ଣଙ୍କ ଜନ୍ମତିଥି ମଧ୍ୟ ରାମ ମନ୍ଦିରରେ ପାଳନ କରିବେ ରାମ ମନ୍ଦିର ଟ୍ରଷ୍ଟ।

Get real time updates directly on you device, subscribe now.