fbpx

କଣ୍ଡୋମ ବିନା ଯୌନ ସମ୍ପର୍କ ରଖିବାର ଲଗାତାର ବଢୁଛି ଟ୍ରେଣ୍ଡ : WHO ରିପୋର୍ଟରେ ଦିଆଗଲା ଗମ୍ଭୀର ରୋଗର ଚେତାବନୀ

ଜେନେଭା: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ନୂଆ ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଯୁବତୀଯୁବକମାନଙ୍କ ମଧ୍ୟରେ କଣ୍ଡୋମ ଏବଂ ଗର୍ଭନିରୋଧକ ଔଷଧର ବ୍ୟବହାର ହ୍ରାସ ପାଉଛି, ଯାହା ଚିନ୍ତାର ବିଷୟ ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି।

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ୟୁରୋପୀୟ ଦେଶମାନଙ୍କରେ ପ୍ରାୟ ଏକ ତୃତୀୟାଂଶ ଯୁବତୀଯୁବକ ସ୍ବୀକାର କରିଛନ୍ତି, ସେମାନେ ଶେଷଥର ଶାରୀରିକ ସମୟରେ କଣ୍ଡମ କିମ୍ବା ଗର୍ଭନିରୋଧକ ବଟିକା ଗ୍ରହଣ କରି ନ ଥିଲେ। ୨୦୧୮ଠାରୁ ଏହି ଅଭ୍ୟାସରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହି କାରଣରୁ ଅସୁରକ୍ଷିତ ଯୌନ କାରଣରୁ ରୋଗ ଏବଂ ଅବାଞ୍ଛିତ ଗର୍ଭଧାରଣ ହେବାର ଆଶଙ୍କା ବଢିଛି।

ଡବ୍ଲ୍ୟୁଏଚ୍‌ଓ ନିକଟରେ ୟୁରୋପ ଏବଂ ମଧ୍ୟ ପୂର୍ବର ୪୨ଟି ଦେଶରେ ଏକ ସର୍ଭେ କରିଥିଲା। ଯେଉଁଥିରେ ୧୫ ବର୍ଷ ବୟସର ୨,୪୨,୦୦୦ କିଶୋର ଅନ୍ତର୍ଭୁକ୍ତ ହୋଇଥିଲେ। ସେମାନଙ୍କୁ ପଚରାଯାଇଥିବା ପ୍ରଶ୍ନ ଅନୁଯାୟୀ, ଶେଷଥର କୌଣସି ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିବା ସମୟରେ କଣ୍ଡମ ବ୍ୟବହାର କରିଥିବା ପୁଅଙ୍କ ସଂଖ୍ୟା ୨୦୧୪ରେ ୭୦% ରୁ ୨୦୨୨ରେ ୬୧%କୁ ଖସି ଆସିଛି।

ରିପୋର୍ଟ ଅନୁଯାୟୀ, କଣ୍ଡମ କିମ୍ବା ଜନ୍ମ ନିୟନ୍ତ୍ରଣ ବଟିକା ବ୍ୟବହାର କରିଥିବା ଝିଅଙ୍କ ସଂଖ୍ୟା ୬୩ ପ୍ରତିଶତରୁ ୫୭ ପ୍ରତିଶତକୁ ଖସି ଆସିଛି। ପ୍ରାୟ ଏକ ତୃତୀୟାଂଶ କିଶୋର ଶାରୀରିକ ସମ୍ପର୍କ ଥିବାବେଳେ କଣ୍ଡମ ବ୍ୟବହାର କରନ୍ତି ନାହିଁ।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ସର୍ଭେ ଅନୁଯାୟୀ, ୨୦୧୪ ରୁ ୨୦୨୨ ପର୍ଯ୍ୟନ୍ତ ଗର୍ଭନିରୋଧକ ଔଷଧର ବ୍ୟବହାର ସ୍ଥିର ରହିଛି। ୧୫ ବର୍ଷର ଝିଅମାନଙ୍କ ମଧ୍ୟରୁ ୨୬ ପ୍ରତିଶତ ଶେଷ ଥର ଶାରୀରିକ ସମ୍ପର୍କ ସ୍ଥାପନ ସମୟରେ ଏହି ଔଷଧ ବ୍ୟବହାର କରିଥିଲେ। ନିମ୍ନ ମଧ୍ୟବିତ୍ତ ପରିବାରର ୩୩% କିଶୋର କଣ୍ଡମ କିମ୍ବା ଜନ୍ମ ନିୟନ୍ତ୍ରଣ ବଟିକା ବ୍ୟବହାର କରି ନ ଥିବାବେଳେ ଉଚ୍ଚ ଶ୍ରେଣୀର ପରିବାରର କିଶୋରମାନଙ୍କ ସଂଖ୍ୟା ୨୫% ଥିଲା।

ଡବ୍ଲ୍ୟୁଏଚ୍‌ଓ ୟୁରୋପର ନିର୍ଦ୍ଦେଶକ ହାନ୍ସ କ୍ଲୁଗ କହିଛନ୍ତି, ଆଜି ମଧ୍ୟ ୟୁରୋପର ଅନେକ ଦେଶରେ ଯୌନ ଶିକ୍ଷା ଦିଆଯାଉ ନାହିଁ। ସଠିକ ସମୟରେ ଅସୁରକ୍ଷିତ ଯୌନ ସମ୍ପର୍କର ବିପଦ ଏବଂ ଅସୁବିଧା ବିଷୟରେ ଯୁବତୀଯୁବକମାନଙ୍କୁ ନ କହିବା କାରଣରୁ ଏହି ପ୍ରକାର ସମସ୍ୟା ମଧ୍ୟ ବଢୁଛି।

Get real time updates directly on you device, subscribe now.