fbpx

ରାଜ୍ୟରେ ଲଘୁଚାପ ପ୍ରଭାବ : ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟର ଏହି ସ୍ଥାନରେ ଲାଗି ରହିବ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହୋଇ ଉତ୍ତରପଶ୍ଚିମ ଆଡ଼କୁ ଅଗ୍ରସର ହେଉଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଏହା ଉତ୍ତର ପଶ୍ଚିମକୁ ଗତି କରି ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇବ । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି ।

ଆସନ୍ତାକାଲି ଏବଂ ମଙ୍ଗଳବାର ଦିନ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ଅନୁମାନ କରାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିବ ।

ସେହିପରି ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କରେ ମଧ୍ୟ ବର୍ଷା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି । ଆଜି ଗୋପାଳପୁରଠାରେ ୩୭ ଦଶମିକ ୬ ମିଲିମିଟର ବର୍ଷା ହୋଇଥିବାବେଳେ କୋରାପୁଟରେ ୩୨ ଦଶମିକ ୨ ଏବଂ ନୂଆପଡ଼ାରେ ୨୫ ଦଶମିକ ୪ ବର୍ଷା ରେକର୍ଡ କରାଯାଇଛି । କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ ଅନ୍ତର୍ଗତ ଦୀଗାପୁର ଗ୍ରାମରେ କୋଲାବ ନଦୀର ବନ୍ୟାଜଳ ପଶିବାରୁ ପ୍ରଶାସନ ପକ୍ଷରୁ ଲୋକ ଏବଂ ଗୃହପାଳିତ ପଶୁଙ୍କୁ ସ୍ଥାନାନ୍ତର କରାଯାଇଛି ।

ଜୁନ୍‍ ମାସ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ୮୭୪ ଦଶମିକ ୯ ମିଲିମିଟର ବର୍ଷା ହୋଇଯାଇଛି । ଏହି ସମୟ ମଧ୍ୟରେ ସ୍ୱାଭାବିକ ବର୍ଷାର ପରିମାଣ ୯୯୨ ଦଶମିକ ୭ ମିଲିମିଟର ବର୍ଷା ହୋଇଥାଏ । ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବାବେଳେ ୧୭ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ବାକି ୧୨ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.