fbpx

କେବେ ଠାରୁ ହୋଇଥିଲା ପିତୃପକ୍ଷର ଆରମ୍ଭ ? ମହାଭାରତର କେଉଁ ଯୋଦ୍ଧା ଦେଇଥିଲେ ପ୍ରଥମ ଶ୍ରାଦ୍ଧ

ଓଡ଼ିଶା ଭାସ୍କର: ଭାଦ୍ରବ ମାସ ଶୁକ୍ଳ ପକ୍ଷର ପୂର୍ଣ୍ଣମୀ ତିଥିରୁ ପିତୃପକ୍ଷ ଆରମ୍ଭ ହୋଇଥାଏ । ପିତୃପକ୍ଷରେ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ପିଣ୍ଡଦାନ ଏବଂ ତର୍ପଣ କରାଯାଇଥାଏ । ଏହା ଦ୍ୱାରା ପିତୃଦୋଷରୁ ମୁକ୍ତି ମିଳିଥାଏ ଏବଂ ପୂର୍ବପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହି ସମୟରେ ଧରାପୃଷ୍ଠକୁ ପୂର୍ବପୁରୁଷମାନେ ଆସି ନିଜ ପରିବାର ପାଖକୁ ଯାଇଥାନ୍ତି ବୋଲି ବିଶ୍ୱାସ ରହିଛି । ଆଶ୍ୱିନ ଅମାବାସ୍ୟା ତିଥିରେ ପିତୃପକ୍ଷର ସମାପନ ହୋଇଥାଏ । ଦ୍ୱାପର ଯୁଗରୁ ଏହି ପରମ୍ପରା ଚାଲି ଆସିଛି । କୁହାଯାଏ ପିତୃପକ୍ଷର ପ୍ରାରମ୍ଭ ପ୍ରଥମେ ମହାଭାରତ ସମୟରୁ ହୋଇଥିଲା ।

ମହାଭାରତ କାଳରୁ ପିତୃପକ୍ଷ ପ୍ରାରମ୍ଭର ବର୍ଣ୍ଣନା ରହିଛି । ମହାଭାରତର ମହାନ ଯୋଦ୍ଧା ତଥା ଦାନବୀର କର୍ଣ୍ଣଙ୍କ ଠାରୁ ଆରମ୍ଭ ହୋଇଥିଲା ପିତୃପକ୍ଷ । ମହାଭାରତରେ କୌରବ ଏବଂ ପାଣ୍ଡବଙ୍କ ମଧ୍ୟରେ ୧୮ ଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଥିଲା । ୧୭ତମ ଦିନରେ ଅର୍ଜୁନ କର୍ଣ୍ଣଙ୍କ ବଧ କରିଥିଲେ । ମୃତ୍ୟୁ ପରେ ଦାନବୀର କର୍ଣ୍ଣଙ୍କ ଆତ୍ମା ଯମଲୋକରେ ପହଂଚିଥିଲା । ସେଠାରେ ତାଙ୍କ କର୍ମକୁ ଦେଖି ସ୍ୱର୍ଗରେ ସ୍ଥାନ ଦିଆଯାଇଥିଲା । ଏହାର ଏକ ମାତ୍ର କାରଣ ଥିଲା କି ସେ ଜୀବନର ଶେଷ ନିଶ୍ୱାସ ସମୟରେ ମଧ୍ୟ ଦାନ କରିବାକୁ ପଛାଇ ନଥିଲେ । ସ୍ୱର୍ଗରେ କର୍ଣ୍ଣଙ୍କୁ ଭୋଜନରେ ଅନ୍ନ ପରିବର୍ତ୍ତେ ରତ୍ନ ଓ ଆଭୂଷଣ ପରସାଯାଇଥିଲା । ଏହା ପରେ କର୍ଣ୍ଣ ଦେବରାଜ ଇନ୍ଦ୍ରଙ୍କ ପାଖରେ ଅଭିଯୋଗ କଲେ କି ଏତେ ଦାନ ପୂଣ୍ୟ କରିବା ସତ୍ତ୍ୱେ ତାଙ୍କୁ କାହିଁକି ଅନ୍ନରୁ ବଞ୍ଚିତ ରଖାଯାଉଛି ? ଏହି ମୋତି, ମାଣିକ ଏବଂ ଆଭୂଷଣରୁ ତାଙ୍କ ଭୋକ ଦୂର ହେବ ନାହିଁ । କର୍ଣ୍ଣଙ୍କ ଏଭଳି ପ୍ରଶ୍ନର ଉତ୍ତରରେ ଇନ୍ଦ୍ରଦେବ କହିଥିଲେ କି ତୁମେ ଜୀବନକାଳରେ କେବଳ ଧନ ଏବଂ ରତ୍ନ ଦାନ କରିଛ । ଅନ୍ନ ଦାନ କେବେ କରିନାହଁ କି ପୂର୍ବପୁରୁଷଙ୍କୁ କେବେ ଶ୍ରାଦ୍ଧ ଅର୍ପଣ କରିନାହଁ । ସେଥିପାଇଁ ତୁମକୁ ସ୍ୱର୍ଗରେ ଅନ୍ନ ପରିବର୍ତ୍ତେ ମୋତି ଏବଂ ରତ୍ନ ପ୍ରଦାନ କରାଯାଉଛି । ଏ ବିଷୟରେ କିଛି ଜାଣିନଥିବା କହିଥିଲେ କର୍ଣ୍ଣ ।

ଏହା ପରେ କର୍ଣ୍ଣ ଇନ୍ଦ୍ର ଦେବଙ୍କୁ ଅନୁରୋଧ କରିଥିଲେ କି ସେ ତାଙ୍କ ପୂର୍ବପୁରୁଷଙ୍କୁ ଶ୍ରାଦ୍ଧ ଦେବାକୁ ଚାହୁଁଛନ୍ତି । ଏହା କିପରି ହୋଇଥାଏ ସେ ବିଷୟରେ ଜ୍ଞାନ ଦେବା ପାଇଁ କର୍ଣ୍ଣ ଇନ୍ଦ୍ର ଦେବଙ୍କୁ କହିଥିଲେ । ଏହା ପରେ ଇନ୍ଦ୍ର ଦେବ କର୍ଣ୍ଣଙ୍କ ଆତ୍ମାକୁ ୧୫ ଦିନ ପାଇଁ ଧରାପୃଷ୍ଠକୁ ପଠାଇଥିଲେ । ଏହା ପରେ କର୍ଣ୍ଣ ୧୫ ଦିନ ପାଇଁ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଅନ୍ନଦାନ କରିଥିଲେ । ଏହା ବ୍ୟତୀତ ଅନ୍ନ ଦାନ ମଧ୍ୟ କରିଥିଲେ । ସେବେଠାରୁ ପିତୃପକ୍ଷର ପ୍ରାରମ୍ଭ ହୋଇଥିବା ମାନ୍ୟତା ରହିଛି ।

Get real time updates directly on you device, subscribe now.