fbpx

ଇସରାଏଲର ଏୟାରଷ୍ଟ୍ରାଇକ୍‌; ଗାଜା ସ୍ଥିତ ସ୍କୁଲକୁ କଲେ ଟର୍ଗେଟ, ୩୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଇସରାଏଲ ଏବଂ ଗାଜା ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି । ଏଥିମଧ୍ୟରେ ବୁଧବାର ପୁଣି ଥରେ ଇସରାଏଲ ସେନା ଗାଜା ଉପରେ ବଡ଼ ଧରଣର ଏୟାରଷ୍ଟ୍ରାଇକ୍ କରିଛି । ଏଥର UNର ଏକ ସ୍କୁଲକୁ ଟାର୍ଗେଟ କରାଯାଇଥିଲା । ଏହି ଏୟାରଷ୍ଟ୍ରାଇକରେ ୧୯ ମହିଳା, ୨ ଛୋଟ ପିଲା ଏବଂ UN କର୍ମଚାରୀଙ୍କ ସମେତ ୩୪ ଜଣ ପ୍ରାଣ ହରାଇଥିବା ବେଳେ ୧୮ ଜଣ ଆହତ ମେଡିକାଲରେ ଚିକିତ୍ସିତ ହୋଉଛନ୍ତି । ଇସରାଏଲର ଏହି ଏୟାରଷ୍ଟ୍ରାଇକ୍ ପରେ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ସୂଚନାରୁ ପ୍ରକାଶ ବୁଧବାର ବିଳମ୍ବିତ ରାତିରେ ଇସରାଏଲ ସେନା ଗାଜା ଉପରେ ଏୟାରଷ୍ଟ୍ରାଇକ୍ କରିଥିଲେ । ଏହି ଆକ୍ରମଣରେ ବିଶେଷ କରି UNର ଏକ ସ୍କୁଲକୁ ଟାର୍ଗେଟ କରାଯାଇଥିଲା ଯେଉଁଠି ବିସ୍ଥାପିତମାନେ ଶରଣ ନେଇଥିଲେ । ଅପରପକ୍ଷରେ ଇସରାଏଲ ସେନାଙ୍କ କହିବାନୁଯାୟୀ ସେମାନେ ସେହି ସ୍କୁଲରେ ଲୁଚି ରହିଥିବା ହମାସ ଆତଙ୍କବାଦୀଙ୍କୁ ଟାର୍ଗେଟ କରୁଥିଲେ । କିନ୍ତୁ ଏଥିରେ ନିରୀହ ନାଗରିକମାନେ ପ୍ରାଣ ହରାଉଛନ୍ତି । ଦୀର୍ଘ ଦିନରୁ ଜାରି ରହିଥିବା ଗାଜା ଏବଂ ଇସରାଏଲ ଯୁଦ୍ଧରେ ପ୍ରାୟ ୪୧ ହଜାର ୦୮୪ ପାଲେଷ୍ଟାଇନବାସୀଙ୍କ ମୃତ୍ୟୁ ହୋଇଥିବା ବେଳେ ୯୫, ୦୨୯ ଜଣ ଗୁରୁତର ହୋଇଥିବା ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଜୁଲାଇରେ ୟୁନିସେଫ୍ ଇଜୁକେସନ୍ କ୍ଲଷ୍ଟର ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ପ୍ରକାଶ କି ଗାଜା ଉପରେ କ୍ରମାଗତ ହେଉଥିବା ଆକ୍ରମଣ ଯୋଗୁ ୯୦%ରୁ ଅଧିକ ସ୍କୁଲ ବିଲ୍ଡିଂ ଗମ୍ଭୀର କିମ୍ବା ଆଂଶିକ ଭାବରେ କ୍ଷତିଗ୍ରସ୍ତ ହୋଇଛି । ବିସ୍ଥାପିତମାନେ ଶରଣ ନେଇଥିବା ଅଧାରୁ ଅଧିକ ସ୍କୁଲ ଉପରେ ଆକ୍ରମଣ କରାଯାଇଛି ।

Get real time updates directly on you device, subscribe now.