fbpx

ହରିୟାଣାରେ ୧୫୬୧ ପ୍ରାର୍ଥୀ ଭରିଲେ ନାମାଙ୍କନ, ଏହି ନିର୍ବାଚନ ମଣ୍ଡଳିରୁ ସର୍ବାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି

ଚଣ୍ଡିଗଡ଼: ଆସନ୍ତା ଅକ୍ଟୋବର ୫ରେ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ମୋଟ୍ ୧୫୬୧ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥିରେ ବିଭିନ୍ନ ଦଳର ପ୍ରାର୍ଥୀ ଏବଂ ସ୍ୱାଧୀନ ପ୍ରାର୍ଥୀ ସାମିଲ ଥିବା କହିଛନ୍ତି ହରିୟାଣା ମୁଖ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଅଗ୍ରୱାଲ ।

ହରିୟାଣାରେ ମୋଟ୍ ୯୦ଟି ବିଧାନସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନ ପାଇଁ ୧୨ ସେପ୍ଟେମ୍ବର ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ଥିଲା । ସେହିପରି ୧୬ ସେପ୍ଟେମ୍ବର ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ଭବାନୀ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୩୧ ଜଣ ପ୍ରାର୍ଥୀ ଏବଂ ନାଙ୍ଗଲ ଚୌଧୁରୀ ନିର୍ବାଚନ ମଣ୍ଡଳୀରେ ସର୍ବନିମ୍ନ ୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ଅଫିସିଆଲ ବିବୃତ୍ତିରେ ପ୍ରକାଶ କରିଛନ୍ତି । ଅନ୍ୟାନ୍ୟ ନିର୍ବାଚନ ମଣ୍ଡଳୀରେ କୁରୁକ୍ଷେତ୍ରର ଲାଡୱାରୁ ୨୫ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଏଠାରୁ ମୁଖ୍ୟମନ୍ତ୍ରୀ ନାୟବ ସଂ ସୈନୀ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି । ସେହିପରି ଜିନ୍ଦ ଜିଲ୍ଲାର ଜୁଲାନାରୁ ୧୬ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଏହି ଆସନରୁ କଂଗ୍ରେସ୍ ଟିକେଟରେ ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ୍ ଏବଂ ଆପରୁ କବିତା ଦଲାଲ ଏବଂ କମର୍ଶିଆଲ ପାଇଲଟ୍ ତଥା ବିଜେପି ପ୍ରାର୍ଥୀ ଯୋଗେଶ ବୈରାଗୀଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ । ଉଁଚାନା କଲାଂରୁ ୩୦ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଏଠାରେ ଜନନାୟକ ଜନତା ପାର୍ଟି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲା ଏବଂ କଂଗ୍ରେସର ବ୍ରିଜେନ୍ଦ୍ର ସିଂହଙ୍କ ମଧ୍ୟରେ କଡ଼ା ଟକ୍ମର ଦେଖିବାକୁ ମିଳିବ । ରୋହତକ ଜିଲ୍ଲା ଗଢ଼ି ସାମ୍ପଲା- କିଲୋଇରୁ ୧୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଏଠାରୁ କଂଗ୍ରେସ ନେତା ଭୁପେନ୍ଦ୍ର ସିଂହ ହୁଡା ପୁନଃ ନିର୍ବାଚନ ଲଢ଼ୁଛନ୍ତି । ସେହିପରି ସିରସା ଜିଲ୍ଲାର ଏଲନାବାଦରୁ ୧୪ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି ।

Get real time updates directly on you device, subscribe now.