fbpx

ଡାକ୍ତରଙ୍କ ଦାବିକୁ ମମତାଙ୍କ ଅଗ୍ରାହ୍ୟ, ଆଲୋଚନା ହେଉନି ସମ୍ଭବ

କୋଲକାତା: ଆରଜି କର ହସ୍ପିଟାଲ ଦୁଷ୍କର୍ମ ଓ ହତ୍ୟା ଘଟଣା ପରଠାରୁ ଜୁନିୟର ଡାକ୍ତରଙ୍କ ପ୍ରଦର୍ଶନ ଜାରି ରହିଛି । ରାଜ୍ୟ ସରକାର ଜୁନିୟର ଡାକ୍ତରଙ୍କ ସହ ଆଲୋଚନା କରିବାକୁ ବାରମ୍ବାର ବୈଠକ ଡକାଉଥିଲେ ମଧ୍ୟ ଏହା ସମ୍ଭବ ହେଉନି । ସେପଟେ ରୋଗୀ ଏହାର କୁପରିଣାମ ଭୋଗୁଛନ୍ତି । ଡାକ୍ତର ଅଭାବ ପାଇଁ ରୋଗୀ ବହୁ ହୀନସ୍ତା ହେଉଛନ୍ତି ।

ତେବେ କାହିଁକି ବାରମ୍ବାର ଦୁଇ ପକ୍ଷ ମଧ୍ୟରେ ହୋଇପାରୁନି ଆଲୋଚନା? ଏହି ପ୍ରଶ୍ନ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରିବାରେ ଲାଗିଲାଣି । ବାସ୍ତବତା ହେଉଛି କି, ରାଜ୍ୟ ସରକାର ଭଲଭାବେ ଅବଗତ କି, ଡାକ୍ତରଙ୍କ ଏମିତି ପ୍ରଦର୍ଶନ ପାଇଁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ଯାହା ସରକାରକୁ ଅଡୁଆରେ ପକାଇବ । ସେପଟେ ପ୍ରଦର୍ଶନକାରୀ ଡାକ୍ତର ନିଜ ସୁରକ୍ଷା ତଥା ମାମଲାରେ ଅଭିଯୁକ୍ତ ବିରୋଧରେ କଠୋରରୁ କଠୋର ଦଣ୍ଡବିଧାନ ଜିଦରେ ଅଡି ବସିଛନ୍ତି ।

ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଲୋଚନା ପାଇଁ କନିଷ୍ଠ ଡାକ୍ତରଙ୍କୁ ନିମନ୍ତ୍ରଣ କରିଥିଲେ । ଡାକ୍ତରଙ୍କ ଏକ ପ୍ରତିନିଧି ଦଳ ସିଏମ ଆବାସରେ ପହଞ୍ଚିଥିଲେ । କିନ୍ତୁ ସେମାନଙ୍କର ଦାବି ଥିଲା କି, ପୂରା ଆଲୋଚନାର ଲାଇଭଷ୍ଟ୍ରିମିଂ କରାଯିବ । ଏହି ଦାବି ନେଇ ସିଏମ ଆବାସ ବାହାରେ ପ୍ରତିନିଧି ମଣ୍ଡଳୀ ୪୦ ମିନିଟ ଧରି ଅପେକ୍ଷା କରିଥିଲେ । ଘଟଣାର ଗମ୍ଭୀରତାକୁ ଦେଖି ମମତା ଦିଦି ବାହାରକୁ ଆସିଥିଲେ ।

ମମତା ଡାକ୍ତରଙ୍କ ପ୍ରତିନିଧି ମଣ୍ଡଳୀକୁ କହିଥିଲେ କି, ଆଲୋଚନାର ରେକର୍ଡିଂ ତ କରାଇବେ, କିନ୍ତୁ ରେକର୍ଡିଂ ଏବେ ସେ ଡାକ୍ତରଙ୍କୁ ଦେଇପାରିବେ ନାହିଁ, କାରଣ ଘଟଣା କୋର୍ଟରେ ବିଚାରାଧୀନ ରହିଛି । ତେଣୁ ଲାଇଭ ଷ୍ଟ୍ରିମିଂ କରିବା ଅସମ୍ଭବ । ଏହା ଶୁଣି ସେଠାରେ ଉପସ୍ଥିତ ଡାକ୍ତର ଅସନ୍ତୋଷ ପ୍ରକାଶ କରିଥିଲେ ଓ ଭିତରକୁ ଯିବାକୁ ମନା କରିଦେଇଥିଲେ ।

ଏହା ଦେଖି ମମତା ଦିଦି ଡାକ୍ତରଙ୍କୁ କହିଥିଲେ, ଆପଣମାନେ ମୋର ଅପମାନ କରୁଛନ୍ତି । ଯଦି ଭେଟିବାର ନ ଥିଲା କାହିଁକି ଆସୁଥିଲେ? ମୁଁ ତିନି ଦିନ ହେଲା ଆପଣମାନଙ୍କ ସହ ଆଲୋଚନା କରିବାକୁ ଅପେକ୍ଷା କରିଛି । ଏହାକୁ ନେଇ ଡାକ୍ତରଙ୍କ ବୟାନ କି, ମମତାଙ୍କ ଉପରେ ଆମର ଭରସା ଥିଲା । କିନ୍ତୁ ଲାଇଭ ଷ୍ଟ୍ରିମିଂ ପାଇଁ ଅନୁମତି ନ ଦେଇ ପୁଣି ଥରେ ସେ ଆମକୁ ନିରାଶ କରିଛନ୍ତି ।

Get real time updates directly on you device, subscribe now.