fbpx

ଧାନକିଣା ପ୍ରକ୍ରିୟା ଆରମ୍ଭ ହେବାମାତ୍ରେ ସୀମାନ୍ତ ଅଞ୍ଚଳକୁ ବନ୍ଦ୍‍ କରାଯିବ, ଜାଣନ୍ତୁ କାହିଁକି ଏପରି କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ୧୦୦ ଦିନ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ତିନିଦିନିଆ ବିକାଶ ମେଳାର ଶୁଭାରମ୍ଭ ହୋଇଛି  । କଟକଠାରେ ଆୟୋଜିତ ମେଳାରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଅଧିକ ଲାଭ ଆଶାରେ ବାହାରେ ରାଜ୍ୟର ଲୋକ ଓଡ଼ିଶାକୁ ଆସି ଧାନ ବିକ୍ରି କରିବାର ଆଶଙ୍କା ରହିଛି  । ରାଜ୍ୟରେ ଚାଷୀଙ୍କଠାରୁ ଧାନକିଣା ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ସୀମାନ୍ତ ଅଞ୍ଚଳକୁ ବନ୍ଦ୍‍ କରିଦେବାକୁ ରାଜ୍ୟ କ୍ୟାବିନେଟ୍‍ ଏହି ନିଷ୍ପତ୍ତି ନେଇଛନ୍ତି  । ରାଜ୍ୟ ସରକାର ପ୍ରତିଶ୍ରୁତି ମୁତାବକ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩ ହଜାର ୧୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି  ।

 

ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂହଦେଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକ ଉପରେ ଆଲୋକପାତ କରିଥିଲେ  । ଜଗତ୍‍ସିଂହପୁର ଜିଲ୍ଲାରେ ଆୟୋଜିତ ଅନୁରୁପ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ  ।

 

ବୌଦ ଜିଲ୍ଲା କଚେରି ପଡ଼ିଆଠାରେ ଆୟୋଜିତ ମେଳାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିଲେ  । ଓର୍‍ମାସ୍‍ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ପ୍ରଦର୍ଶନୀ ମଣ୍ଡପକୁ ବୁଲି ଦେଖିଥିଲେ  । ଏହି କାର୍ଯ୍ୟକ୍ରମରେ ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ସହିତ  ବିଧାୟକ କହ୍ନେଇ ଚରଣ ଡାଙ୍ଗ ଏବଂ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ  ।

 

ଭଦ୍ରକଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ସାଂସଦ ଅଭିମନ୍ୟୁ ସେଠୀ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ  । ବିକାଶ ମେଳାରେ ଖୋଲାଯାଇଥିବା ପ୍ରଦର୍ଶନୀ ମଣ୍ଡପଗୁଡ଼ିକୁ ସେମାନେ ବୁଲି ଦେଖିଥିଲେ  ।

Get real time updates directly on you device, subscribe now.