fbpx

ଟାଙ୍ଗୀ ପଦ୍ମପୁର ଅଞ୍ଚଳରେ ବାଘ ପାଦଚିହ୍ନ ଠାବ, ଭୟରେ ଅଞ୍ଚଳବାସୀ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ବାଘ ଆତଙ୍କ । ଅଞ୍ଚଳରେ ବାଘ ବୁଲିବା ପ୍ରଚାରିତ ହେବା ପରେ ଲୋକେ ଭୟଭୀତ । ବାଘ ଭୟରେ ଲୋକେ ଘରୁ ବାହାରିବାକୁ ମଧ୍ୟ ଭୟ କଲେଣି । ଏକାକୀ ବିଲବାଡିକୁ ଯିବାକୁ ଅମଙ୍ଗ ମଜୁରିଆ । ଏମିତି ଘଟଣା ଦେଖିବାକୁ ମିଳିଛି ଟାଙ୍ଗୀ ବନଖଣ୍ଡ ରେଞ୍ଜର ନାଚୁଣୀ ସେକ୍ସନ ସୁଳିଆ ଜଙ୍ଗଲ ନିକଟବର୍ତ୍ତୀ ପଦ୍ମପୁର ଗାଁରେ ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେହି ବି ବାଘକୁ ଦେଖିନଥିବା ବେଳେ କିନ୍ତୁ ପଦ୍ମପୁର ଓ ଆଖପାଖ ଲୋକେ ଭୟରେ ଦିନକାଟୁଛନ୍ତି । ସୂଚନା ମୁତାବକ, ଟାଙ୍ଗୀ ବନ ବିଭାଗ ଟିମ ନାଚୁଣୀ, ପଦ୍ମପୁର ନିକଟରେ ପାଟ୍ରୋଲିଂ କରୁଥିଲା । ପାଟ୍ରୋଲିଂ ବେଲେ ବନ କର୍ମଚାରୀଙ୍କ ଆଖିରେ ଆସିଥିଲା ବାଘର ପାଦଚିହ୍ନ । ବର୍ତ୍ତମାନ ବର୍ଷା ଦିନ ହୋଇଥିବାରୁ ପାଦଚିହ୍ନ ସ୍ପଷ୍ଟ ଥିଲା । ଏହା ଜଣାପଡିବା ପରେ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଥିଲା ।

ଅଞ୍ଚଳରେ ବାଘ ବୁଲିଥିବା ଜାଣିବା ପରେ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି । ଜଙ୍ଗଲକୁ ଯିବାକୁ ଭୟ କରୁଛନ୍ତି । ଏମିତି କି, ଜମି ଚାଷକୁ ଯିବାକୁ ମଧ୍ୟ ଲୋକଙ୍କ ଭିତରେ ଛନକା ପସିଛି । ଲୋକେ ନିଜ ଗୃହପାଳିତ ପଶୁଙ୍କୁ ମଧ୍ୟ ବାହାରେ ବାନ୍ଧିବାକୁ ଭୟ କଲେଣି । ସେପଟେ ଲୋକଙ୍କୁ ଭୟଭୀତ ନ ହେବାକୁ କହି ବନବିଭାଗ ତାର ପାଟ୍ରୋଲିଂକୁ ଆହୁରି ବଢାଇ ଦେଇଛି । ସ୍ଥାନୀୟ ଅଞ୍ଚଳ ସହ ଆଖପାଖ ଅଞ୍ଚଳର ଜଙ୍ଗଲରେ ମଧ୍ୟ ବାଘ ଖୋଜା ଚାଲିଛି ।

Get real time updates directly on you device, subscribe now.