fbpx

କଣ ମୋହନଙ୍କୁ ଫସେଇବାକୁ ଚାଲିଛି ଷଡଯନ୍ତ୍ର?

ଭୁବନେଶ୍ୱର: ଭରତପୁର ଘଟଣା ଉପରେ ସମସ୍ତଙ୍କ ନଜର ଥିବା ବେଳେ ପଦାକୁ ଆସିଛି ନିକଟରେ ୧୦୦ ଦିନ ପୂରଣ କରିଥିବା ମୋହନ ସରକାରର ମିଛ । ଭରତପୁର ଘଟଣାରେ ହାଇକୋର୍ଟଙ୍କ ଅସନ୍ତୋଷ ସମସ୍ତେ ଦେଖିଛନ୍ତି । ଯାହା ମୋହନ ସରକାର ବିରୋଧରେ କେତେକାଂଶରେ ନକାରାତ୍ମକ ଭାବନା ସୃଷ୍ଟି କରିଛି । ଠିକ ସେତିକି ବେଳକୁ କେତେ ଥାନାରେ କ୍ୟାମେରା ଲାଗିନାହିଁ ବୋଲି ପ୍ରଶ୍ନର ଉତ୍ତରରେ ସରକାରଙ୍କ ପକ୍ଷ ରଖୁଥିବା ଆଡଭୋକେଟ ଜେନେରାଲ ଦେଇଥିବା ତଥ୍ୟ ମୋହନଙ୍କୁ କାଠଗଡାକୁ ଆଣିଛି ।

ଆଡଭୋକେଟ ଜେନେରାଲ କୋର୍ଟରେ ବିଚାରପତିଙ୍କ ସମ୍ମୁଖରେ ଦେଇଥିବା ଉତ୍ତର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମିଛୁଆ କରିଦେଇଛି । ରାଜ୍ୟବାସୀଙ୍କୁ ମୋହନ ସରକାର ଭ୍ରମିତ କରୁଛନ୍ତି, ମିଛ କହି ନିଜ ଦୋଷ ଦୁର୍ବଳତା ଲୁଚେଇବାକୁ ମୋହନ ମାଝୀ ଚେଷ୍ଟା କରିଥିବା ପରି ଏକ ଚର୍ଚ୍ଚା ସାମାଜିକ ଗଣମାଧ୍ୟମ ଓ କିଛି ୟୁଟ୍ୟୁବ ଚାନେଲରେ ଦେଖିବାକୁ ମିଳୁଛି । ଆଡଭୋକେଟ ଜେନେରାଲ କହିଥିଲେ କି, ରାଜ୍ୟରେ ମୋଟ ୬୫୦ ଥାନା ରହିଛି । ସେଥିମଧ୍ୟରୁ ୫୯୩ରେ କ୍ୟାମେରା ଲଗାଯାଇଛି । ଆଉ ୫୭ଟିରେ ଲାଗିନାହିଁ । ଏହି ତଥ୍ୟ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟବାସୀଙ୍କ ଆଗରେ ମିଛୁଆ କରି ଦେଇଛି । କାରଣ ନିକଟରେ ବିଧାନସଭାରେ ଗୃହବିଭାଗର ମନ୍ତ୍ରୀ ଭାବେ ମୋହନ ମାଝୀ ଯେଉଁ ତଥ୍ୟ ଦେଇଥିଲେ ତାହା ଥିଲା ସମ୍ପୂର୍ଣ୍ଣ ଭିନ୍ନ । ଚଳିତ ମାସର ପ୍ରାରମ୍ଭରେ ବିଧାନସଭାରେ ରାଜ୍ୟରେ କେତେ ଥାନା ଅଛି ବୋଲି ହୋଇଥିବା ପ୍ରଶ୍ନର ଉତ୍ତରରେ ଗୃହମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଥିଲେ କି, ରାଜ୍ୟରେ ମୋଟ ୬୮୫ଟି ଥାନା ରହିଛି । ସେହିପରି ଅନ୍ୟ ଏକ ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ଥିବା ସବୁ ଥାନାରେ ସିସିଟିଭି କ୍ୟାମେରା ଲାଗିଛି ।

କିନ୍ତୁ ହାଇକୋର୍ଟରେ ଦିଆଯାଇଥିବା ତଥ୍ୟ ଓ ବିଧାନସଭାର ତଥ୍ୟ ମେଳ ଖାଉନାହିଁ । ଅର୍ଥାତ୍ କେହି ଜଣେ ମିଛ କହୁଛନ୍ତି । ଯାହା ରାଜନୈତିକ ସମୀକ୍ଷକଙ୍କୁ ବ୍ୟଥିତ କରୁଛି । କାରଣ କୋର୍ଟଙ୍କ ସମ୍ମୁଖରେ ଦିଆଯାଇଥିବା ତଥ୍ୟ ନିଶ୍ଚିତ ସତ ହୋଇଥିବ ବୋଲି ସାଧାରଣରେ ଏକ ଧାରଣା । ଏମିତି ହୋଇଥିଲେ ରାଜ୍ୟବାସୀଙ୍କ ସମ୍ମୁଖରେ ରାଜ୍ୟର ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଭୁଲ ପ୍ରମାଣିତ ହେଉଛି । ତେବେ କଣ ମୋହନ ମିଛ କହିଛନ୍ତି? ରାଜନୈତିକ ସମୀକ୍ଷକଙ୍କ କହିବା କଥା, ମୁଖ୍ୟମନ୍ତ୍ରୀ ରାଜ୍ୟବ୍ୟାପୀ ବୁଲି ବୁଲି ଏହି ତଥ୍ୟ ସଂଗ୍ରହ କରିନାହାନ୍ତି । ତାଙ୍କୁ ସମ୍ପୃକ୍ତ ବିଭାଗର ସଚିବଙ୍କ ଦ୍ୱାରା ଦିଆଯାଇଛି । ତାହେଲେ କଣ କୁହାଯାଇପାରିବ କି ବିଭାଗୀୟ ସଚିବ ଲୋକଙ୍କ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କୁ ମିଛୁଆ କରିବାକୁ ଏମିତି କରିଛନ୍ତି । ନା ରିପୋର୍ଟ ପ୍ରସ୍ତୁତ କରି ଦେଇଥିବା ସଚିବଙ୍କ ତଳିଆ କର୍ମଚାରୀ? ଏମିତି ପ୍ରଶ୍ନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ରାଜନୈତିକ ବିଶେଷଜ୍ଞଙ୍କ ମତ, ଜାଣି ଜାଣି ଏମିତି କରାଯାଉଛି ।

ରାଜନୈତିଜ୍ଞଙ୍କ କହିବା କଥା, ଅମଲାତନ୍ତ୍ର କୌଣସି ସରକାରର ଆଖି, ନାକ, କାନ ହୋଇଥିବା ବେଳେ ମୋହନଙ୍କ ଆଖି, ନାକ, କାନ ତାଙ୍କୁ ସହଯୋଗ କରୁନାହାନ୍ତି । ଜାଣି ଜାଣି ଏମିତି କରାଯାଉଛି ପୂର୍ବ ସରକାରର ପାଣ୍ଡିଆନପନ୍ଥୀ ଗୋଷ୍ଠୀଙ୍କ ଦ୍ୱାରା । ଏମିତି ହେଲେ ମୁଖ୍ୟମନ୍ତ୍ରୀ ତଥା ସରକାର ବଦନାମ ହେବେ । ଦେଶବ୍ୟାପୀ ଛିଛାକର ହେବ ମୋହନ ତଥା ତାଙ୍କ ଦଳର ବୋଲି ଚିନ୍ତା ପ୍ରକଟ କଲେଣି ବିଶେଷଜ୍ଞ । ସେପଟେ ଗୋଟିଏ ୨୪ ବର୍ଷର ସ୍ଥିର, ଲୋକପ୍ରିୟ କୁହାଯାଉଥିବା ସରକାରକୁ ଗାଦୀଚ୍ୟୁତ କରି ବିଜେପି ସରକାର ଗଢିଛି । ଖାଲି ସେତିକି ନୁହେଁ, ଜଣେ ସରଳ ଆଦିବାସୀଙ୍କୁ କରାଯାଇଛି ମୁଖ୍ୟମନ୍ତ୍ରୀ, ଯାହାଙ୍କର ପୂର୍ବରୁ ମନ୍ତ୍ରୀ ହେବାର ଅଭିଜ୍ଞତା ମଧ୍ୟ ନାହିଁ । ସରକାରରେ ସବୁ ନୂଆ । କେମିତି ନୂଆ ସରକାର ରାଜ୍ୟ ଶାସନ କରୁଛନ୍ତି, କେଉଁଠି ଝୁଣ୍ଟୁଛନ୍ତି, ତାକୁ ଜାଣିବାକୁ ସମସ୍ତ ଗଣମାଧ୍ୟମର ଫୋକସ ଓଡିଶା ଉପରେ ।

ଏହା ବାଦ ପୂର୍ବ ସରକାର ଦ୍ୱାରା ବିଜ୍ଞାପନରେ କୋଟି କୋଟି ଟଙ୍କାର ଲାଭ କରିଥିବା ଗଣମାଧ୍ୟମ ମଧ୍ୟରୁ ଅନେକ ଆଜି ବି ନବୀନ ପ୍ରେମରେ । ସେମାନଙ୍କୁ ଖାଲି ଗୋଟିଏ ଛୋଟ ଭୁଲ ଦରକାର ମୋହନ ସରକାରକୁ ଦେଶବ୍ୟାପୀ ବଦନାମ କରିବାକୁ । ଏମିତି ସମୟରେ ମୋହନ ମାଝୀ ତାଙ୍କ ବିରୋଧରେ ହେଉଥିବା ଷଡଯନ୍ତ୍ରରେ ପୁରୋଧା ସାଜୁଥିବା ଅଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ପରାମର୍ଶ ଦେଉଛନ୍ତି । ତେବେ ଦେଖିବା କଥା, ମୋହନ ମାଝୀ ସରକାର ଢୋଲ ଭିତରେ ଥିବା ଏହି ମୂଷାଙ୍କୁ ଚିହ୍ନିପାରୁଛନ୍ତି କି ନାହିଁ ?

Get real time updates directly on you device, subscribe now.