fbpx

ବଡ ବିପଦରୁ ଅଳ୍ପକେ ବର୍ତ୍ତିଗଲେ କେରଳ ରାଜ୍ୟପାଳ

ତିରୁବନନ୍ତପୁରମ: କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏକ ଆସନ୍ନ ବିପଦରୁ ଭାଗ୍ୟ ବଳରେ ବର୍ତ୍ତି ଯାଇଛନ୍ତି । ତାଙ୍କ ସହ ଥିବା ସୁରକ୍ଷା କର୍ମୀଙ୍କ ସାବଧାନତା ଓ ତ୍ୱରିତ ପଦକ୍ଷେପ ପାଇଁ ବିପଦ ରାଜ୍ୟପାଳଙ୍କୁ ଛୁଇଁ ପାରିନାହିଁ । ନିଆଁ ଲାଗିବାରୁ ଅଳ୍ପକରେ ରକ୍ଷା ପାଇଛନ୍ତି ଖାନ ।

ସୂଚନା ମୁତାବକ, ରାଜ୍ୟପାଳ ଆରିଫ ମହମ୍ମଦ ଖାନ ପଲକ୍କଡର ଅକାଥେଥାରାସ୍ଥିତ ଶବରୀ ଆଶ୍ରମକୁ ଶତାବ୍ଦୀ ସମାରୋହରେ ଯାଇଥିଲେ । କାର୍ଯ୍ୟକ୍ରମରେ ପ୍ରଦୀପ ପ୍ରଜ୍ଜଳନ କରିବା ସମୟରେ ଯେତେବେଳେ ସେ ଦୀପ ଆଡକୁ ସାମାନ୍ୟ ନଇଁପଡିଥିଲେ, ଦୀପର ନିଆଁ ତାଙ୍କ ବେକରେ ପଡିଥିବା ସାଲକୁ ଧରିଥିଲା । ସଲରେ ନିଆଁ ଦେଖି କେହି ବୁଝିବା ଆଗରୁ ଆରିଫଙ୍କ ନିକଟରେ ଥିବା ତାଙ୍କ ସୁରକ୍ଷା କର୍ମୀ ତାଙ୍କ ବେକରୁ ସଲକୁ ଝାମ୍ପି ନେଇଥିଲେ । ଫଳରେ ନିଆଁ ଆରିଫଙ୍କ ଦେହରେ ଲାଗିପାରି ନ ଥିଲା । ଏତେ ବଡ ଅଘଟଣ ଘଟିବା ସତ୍ତେ୍ୱ ଆରିଫ ସାମାନ୍ୟତମ ବିବ୍ରତ ନ ଥିଲେ । ସେ ଆରାମରେ କାର୍ଯ୍ୟକ୍ରମର ସବୁ କାମ ସମ୍ପାଦନ କରିଥିଲେ ।

ଏଠାରେ କହି ରଖୁ କି, ଗତ ଜାନୁଆରୀରେ କେରଳ ରାଜ୍ୟପାଳଙ୍କୁ ଛାତ୍ରମାନେ ବିରୋଧ କରିଥିଲେ । ମଝି ରାସ୍ତାରେ ତାଙ୍କ କାରକେଡକୁ ଅଟକା ଯାଇଥିଲା । କିଛି ଛାତ୍ର ତାଙ୍କ କାର ସମ୍ମୁଖକୁ ଚାଲିଆସିଥିଲେ । ରାଜ୍ୟପାଳଙ୍କର କେରଳ ସରକାର ସହ ଚାଲିଥିବା ମତାନ୍ତର ଭିତରେ ଛାତ୍ରଙ୍କ ବିରୋଧ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା । ଏହାକୁ ଦେଖି କେନ୍ଦ୍ର ସରକାର ତାଙ୍କ ସୁରକ୍ଷାକୁ ଅଧିକ ସୁରକ୍ଷିକ କରିବା ପାଇଁ ତାଙ୍କୁ ଜେଡ ପ୍ଲସ ସୁରକ୍ଷା ଯୋଗାଇଥିଲା ।

Get real time updates directly on you device, subscribe now.