fbpx

୨୭ ବର୍ଷ ପରେ ଆସିଲା ବିରଳ ସୁଯୋଗ: ଅକ୍ଟୋବର ୧୫ରେ ଖାଲି ଆଖିରେ ‘ଧୂମକେତୁ’ ଦେଖିବେ ଜନସାଧାରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୨୭ ବର୍ଷ ପରେ ଆସୁଛି ଏକ ବିରଳ ସୁଯୋଗ । ଅକ୍ଟୋବର ୧୫ରୁ ୨୦ ତାରିଖ ମଧ୍ୟରେ ଜନସାଧାରଣ ଖାଲି ଆଖିରେ ଧୂମକେତୁ ଦେଖି ପାରିବେ । ପଠାଣି ସାମନ୍ତ ପ୍ଲାନେଟାରିୟମର ପୂର୍ବତନ ଉପନିର୍ଦ୍ଦେଶକ ଏ ବାବଦରେ ସୂଚନା ଦେଇଛନ୍ତି । ଅକ୍ଟୋବର ୧୨ରେ ପାଖାପାଖି ୭ କୋଟି କିମି ଦୂରରେ ଏହି ଧୂମକେତୁ ପୃଥିବୀର ନିକଟତମ ଅବସ୍ଥାକୁ ଆସିବ । ୧୫ ତାରିଖ ସନ୍ଧ୍ୟା ୬.୧୫ରେ ତାହା ପଶ୍ଚିମ ଦିଗବଳୟର ପ୍ରାୟ ୧୬ ଡିଗ୍ରୀ ଉପରେ ଦୃଶ୍ୟମାନ ହେବ ।

ତା’ପରେ ତାହା ଧୀରେଧୀରେ ତଳ ଆଡ଼କୁ ଗି କରିବା ସହ ପାଖାପାଖି ୩୦ ମିନିଟ ପରେ ଅସ୍ତ ହୋଇଯିବ । ପରବର୍ତ୍ତୀ ଦିନଗୁଡ଼ିକରେ ସମାନ ସମୟରେ ତାହା ପୂର୍ବଦିନଠାରୁ ପ୍ରାୟ ୪ ଡିଗ୍ରୀ ଉପରେ ଦୃଶ୍ୟମାନ ହେବ । ତେବେ ପୂର୍ବ ଦିନ ତୁଳନାରେ ଅସ୍ତ ହେବାକୁ ୧୦-୧୨ ମିନିଟ୍ ସମୟ ନେବ । ଏହାପରେ ଧୀରେଧୀରେ ତାହା ୨୦ ତାରିଖରେ ୩୬ ଡିଗ୍ରୀ ଉପରେ ପହଞ୍ଚିଯିବ । ଧୂମକେତୁ ସୂର୍ଯ୍ୟଠାରୁ ଦୂରେଇ ଯାଉଥିବାରୁ ୨୦ ତାରିଖ ପରେ ଏହାକୁ ଆଉ ଖାଲି ଆଖିରେ ଦେଖିହେବ ନାହିଁ । ସୂଚନାଯୋଗ୍ୟ ଯେ, ଗତ ୧ ତାରିଖ ଭୋର ସମୟରେ ରାଜ୍ୟ ତଥା ଦେଶର କିଛି ସ୍ଥାନରେ ଲୋକମାନେ ‘ସି/୨୦୨୩ ଏ-୩’ ଧୂମକେତୁକୁ ସାଧାରଣ ଦୂରବୀକ୍ଷଣ ଓ ବାଇନୋକୁଲାରରେ ଦେଖିପାରିଥିଲେ । ୮୦ ହଜାର ବର୍ଷ ପରେ ପୁଣି ଥରେ ଏହି ଧୂମକେତୁ ଦୃଶ୍ୟମାନ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.