fbpx

ଗାନ୍ଧୀଙ୍କ ଆଦର୍ଶରେ ଦେଶ ଶାସନ ବିଜେପି ସରକାରର ଲକ୍ଷ୍ୟ: ମୋହନ ମାଝୀ

କଟକ: ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଟକ ଜିଲ୍ଲା ତେଲେଙ୍ଗା ପେଣ୍ଠରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ଗାନ୍ଧୀଙ୍କର ମାନବିକତା ଓ ସମାଜ ପ୍ରତି ଅବଦାନର ସ୍ମୃତିଚାରଣ କରିଛନ୍ତି । ଗାନ୍ଧୀଜୀଙ୍କ ପାଖରେ ମନୁଷ୍ୟତ୍ୱ ଓ ଦିବ୍ୟତ୍ୱ ଏକାକାର ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗାନ୍ଧିଜୀ ତେଲେଙ୍ଗାପେଣ୍ଠକୁ ଆସି ଏଠାରେ ସମସ୍ତଙ୍କୁ ସ୍ବାଧୀନତା ସଂଗ୍ରାମ ପାଇଁ ଅନୁପ୍ରାଣିତ କରିଥିଲେ। ଗାନ୍ଧିଜୀଙ୍କ ପାଦ ପଡିଥିବା ଏହି ତେଲେଙ୍ଗାପେଣ୍ଠର ମାଟି ଅତି ପବିତ୍ର । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାମ କରିବାକୁ ଆହ୍ବାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, “ଆସନ୍ତୁ, ଆଜି ଏହି ତେଲେଙ୍ଗାପେଣ୍ଠର ପବିତ୍ର ମାଟିରେ ବାପୁଙ୍କୁ ପୁଣି ଥରେ ସମ୍ମାନ ଜଣାଇ ତାଙ୍କ ଆଦର୍ଶରେ ଚାଲିବା ଏବଂ ଦେଶ ପାଇଁ ତାଙ୍କର ଯେଉଁ ସ୍ବପ୍ନ ଥିଲା ତାକୁ ପୂରଣ କରିବା ଦିଗରେ କାମ କରିଚାଲିବା ।”

ଓଡ଼ିଶାକୁ ଅତ୍ୟଧିକ ଭଲ ପାଉଥିବା କାରଣରୁ ଗାନ୍ଧୀଜୀ ଏକାଧିକ ଥର ଓଡ଼ିଶାକୁ ଆସିଥିଲେ। ଓଡ଼ିଶାକୁ ସେ କେବଳ ଭଲ ପାଉନଥିଲେ, ଓଡ଼ିଶା ତାଙ୍କର ହୃଦୟ ଓ ମନକୁ ଆଲୋଡିତ କରିଥିଲା। ଗାନ୍ଧିଜୀଙ୍କର ଗୋଟିଏ ସ୍ମରଣୀୟ ବାକ୍ୟ ଥିଲା-‘ଓଡ଼ିଶା ହେଉଛି ମୋର ପ୍ରେମର ଭୂମି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗାନ୍ଧି ଜୀବନକୁ ଅଲୌକିକ ସାହସ, ସତ୍ୟ, ତ୍ୟାଗ ଓ ତପସ୍ୟାର ପ୍ରତୀକ ଭାବେ ବର୍ଣ୍ଣନା କରିଥିଲେ । ତେଣୁ ସାରା ଦେଶରେ ମୋଦୀଜୀଙ୍କ ନେତୃତ୍ବରେ ଏବଂ ଓଡିଶାରେ ଆମ ସରକାର ଗାନ୍ଧିଜୀଙ୍କ ପ୍ରକୃତ ଆଦର୍ଶ ଓ ଲକ୍ଷ୍ୟକୁ ପୂରଣ କରିବା ପାଇଁ କାମ କରୁଥିବା କହିଥିଲେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ କି, ଗାନ୍ଧୀଜୀଙ୍କର ଆଉ ଏକ ସ୍ବପ୍ନ ଥିଲା ସମାଜର ଶେଷ ଧାଡିର ଥିବା ଲୋକର ବିକାଶ ଓ କଲ୍ୟାଣ। ଏହି ଲକ୍ଷ୍ୟ ନେଇ ବିଜେପି ସରକାର କେମିତି ବିଭିନ୍ନ ଯୋଜନାରେ ଲୋକଙ୍କ ଜୀବନଧାରଣକୁ ଉନ୍ନତ କରୁଛି ତାହା ବୁଝାଇଥିଲେ ମୋହନ ମାଝୀ । ଏଥିସହ ତାଙ୍କ ସରକାର ମାତ୍ର ୪ ମାସ ମଧ୍ୟରେ ରାଜ୍ୟର ଏକ କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନା ମାଧ୍ୟମରେ ଆର୍ଥକ ସହାୟତା ଦେବା ଆରମ୍ଭ କରିଛି ବୋଲି ପ୍ରକାଶ କରି ସେ କହିଲେ ଯେ ଗାଁ ଗାଁ ରେ ଏପରି ଅନେକ ମହିଳା ଅଛନ୍ତି, ଯେଉଁମାନଙ୍କ ହାତରେ ଟଙ୍କାଟିଏ ବି ନଥାଏ। ମୋର ଦୃଢ ବିଶ୍ବାସ, ଏହି ଆର୍ଥିକ ସହାୟତା ସେମାନଙ୍କୁ ପରିବାରରେ ଓ ସମାଜରେ ସଶକ୍ତ କରି ଗଢି ତୋଳିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କୁ ମନେପକାଇ କହିଥିଲେ ଯେ ଆଜି ମଧ୍ୟ ଶାସ୍ତ୍ରୀ ଜୟନ୍ତୀ । ସେ କହିଲେ ଯେ ଶାସ୍ତ୍ରୀଜୀ ଯେଉଁ ‘ଜୟ ଜବାନ ଜୟ କିସାନ’ ନାରା ଦେଇଥିଲେ ତାକୁ ମୋଦୀଜୀ ଗୁରୁତ୍ବଦେଇ ଅଗ୍ନୀବୀର ଯୋଜନା ଆରମ୍ଭ କରିଛନ୍ତି। କୃଷକଙ୍କ କଲ୍ୟାଣ ପାଇଁ ପିଏମ କିସାନ ଯୋଜନା ଆରମ୍ଭ କରିଛନ୍ତି। ଓଡିଶାରେ ନୂଆ ସରକାର କୃଷକ ମାନଙ୍କ ପରିଶ୍ରମର ଉଚିତ୍ ମୂଲ୍ୟଦେବା ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ୮୦୦ ଟଙ୍କା ବୃଦ୍ଧି କରିଛନ୍ତି। ଆଗାମୀ ଖରିଫ ଋତୁରେ ଅମଳ ସମୟରେ ଚାଷୀଭାଇ ମାନେ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବେ ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୂଚନା ଓ ଲୋକ ସଂମ୍ପର୍କ ବିଭାଗ ଦ୍ବାରା ଆୟୋଜିତ ଗାନ୍ଧି ସ୍ମୃତି ସମ୍ବଳିତ ଏକ ଫଟୋ ଚିତ୍ର ପ୍ରଦର୍ଶନୀ ଉଦ୍‌ଘାଟନ କରିବା ସହିତ ବୁଲି ଦେଖିଥିଲେ।କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ ସ୍ବାଗତ ଭାଷଣ ଦେଇଥିଲେ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

Get real time updates directly on you device, subscribe now.