(Video): ଏକ କ’ଣ କଲେ ଜର୍ମାନ ରାଷ୍ଟ୍ରଦୂତ ! ଦାମୀ କାରରେ ବାନ୍ଧିଲେ ଲେମ୍ବୁ- ଲଙ୍କା, ସୋସିଆଲ ମିଡିଆରେ ଛୁଟୁଛି ପ୍ରଶଂସାର ସୁଅ

ନୂଆଦିଲ୍ଲୀ: ଭାରତ ହେଉଛି ପରମ୍ପରା, ରୀତୀ-ନୀତି ଏବଂ ମାନ୍ୟତାର ଦେଶ । ଏଠାରେ ବିଶେଷ ଅବସରରେ ଯେପରି ଗୃହ ପ୍ରବେଶ, ବ୍ରତଘର, ଏକୋଇଶିଆ, ନୂଆ ଘର କିମ୍ବା ଗାଡ଼ି କିଣିଲେ, ବ୍ୟବସାୟ ଆରମ୍ଭ କଲେ ପୂଜାପାଠ କରାଯାଇଥାଏ । ଶୁଭତାର ପ୍ରତୀକ ଭାବରେ ମୁଖ୍ୟ ଦ୍ୱାରରେ ଲେମ୍ବୁ ଲଙ୍କା ବନ୍ଧାଯିବା ସହ ନଡ଼ିଆ ଫଟାଇ ନୂତନ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ । ପ୍ରତ୍ୟେକ ଭାରତୀୟ ଏହି ପରମ୍ପରା ପାଳନ କରିବା ସାଧାରଣ କଥା । କିନ୍ତୁ ଜଣେ ବିଦେଶୀ ଏହି ପରମ୍ପରାର ଅନୁକରଣ କରିବା ସମସ୍ତଙ୍କୁ ଚକିତ କରିବ ନିଶ୍ଚିତ ।

ଭାରତରେ ଥିବା ଜର୍ମାନ ରାଷ୍ଟ୍ରଦୂତ ଫିଲିପ୍ ଏକରମ୍ୟାନ୍‌(Philip Ackermann) ନିକଟରେ ଏକ ବିଳାସପୂର୍ଣ୍ଣ ଇଲେକ୍ଟ୍ରିକ୍ କାର କିଣିଥିଲେ ଯାହାର ମୂଲ୍ୟ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ହେବ । ଏହାର ଶୁଭ ଉନ୍ମୋଚନ କରିବାର ଭିଡିଓ ଏଏନଆଇ ‘ଏକ୍ସ’ରେ ଶେୟାର କରିଛି । ଏଥିରେ ଦର୍ଶାଯାଇଛି କିପରି ଜର୍ମାନ ରାଷ୍ଟ୍ରଦୂତ ଜଣଙ୍କ ନୂତନ କଳା ରଂଗର କାର ଉପରୁ ପରଦା ଉଠାଉଛନ୍ତି । ଏହା ପରେ ସେ କାରରେ ନିଜ ଦେଶର ପତାକା ଲଗାଉଛନ୍ତି । କାରକୁ କୁଦୃଷ୍ଟିରୁ ରକ୍ଷା କରିବା ପାଇଁ ସେଥିରେ ଲଙ୍କା ଓ ଲେମ୍ବୁ ବାନ୍ଧି ଶେଷରେ କାର ସାମ୍ନାରେ ଏକ ନଡ଼ିଆ ବି ଭାଙ୍ଗୁଛନ୍ତି । ଜର୍ମାନ ରାଷ୍ଟ୍ରଦୂତଙ୍କ ଏଭଳି ଭାରତୀୟ ପରମ୍ପରା ପ୍ରତି ଥିବା ତାଙ୍କ ବିଶ୍ୱାସ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଛି । ସୋସିଆଲ ମିଡିଆରେ ତାଙ୍କର ଅନେକ ପ୍ରଶଂସା କରାଯାଉଛି ।

 

Get real time updates directly on you device, subscribe now.