ବିହାର ପଛ ଛାଡୁନି ମଦ ମୃତ୍ୟୁ, ବିଷାକ୍ତ ମଦରେ ୬ ମୃତ ଅନେକ ଗୁରୁତର

ଛାପ୍ରା: ମଦ ମୁକ୍ତ ରାଜ୍ୟର ପଛ ଛାଡୁନି ମଦ ମୃତ୍ୟୁ । ପୁଣି ବିହାରରେ ବିଷାକ୍ତ ମଦର ବିଭୀଷିକା । ବିଷାକ୍ତ ମଦ ପିଇ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଅଛନ୍ତି । ସମସ୍ତ ଗୁରୁତରଙ୍କ ଚିକିତ୍ସା ଚାଲିଛି । ଘଟଣାରେ ପ୍ରଶାସନ ତଦନ୍ତ ନିର୍ଦ୍ଦେଶ ଦେଇଛି ।

ବିହାର ସାରଣ ଜିଲ୍ଲା ମସରଖ ଥାନା ଅଧୀନ ଇବ୍ରାହିମପୁର ଗାଁରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଉଭୟଙ୍କୁ ଛପ୍ରା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ସିବାନରେ ମଧ୍ୟ ସନ୍ଦିଗ୍ଧ ଅବସ୍ଥାରେ ୫ ଜଣଙ୍କ ମୃତ୍ୟୁ ହୋଇଛି ଓ ୩ ଜଣ ଗୁରୁତର ହୋଇଯାଇଛି । ଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ ପାଟନା ସ୍ଥାନାନ୍ତର କରାଯାଇଛି ।

ଦ୍ୱିତୀୟ ଘଟଣାଟି ଭଗବାନପୁର ଥାନା ଅଧୀନ କୌଜିୟା ପଞ୍ଚାୟତରେ ହୋଇଛି । ଏହି ଘଟଣା ପରେ ସ୍ଥାନୀୟ ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଛି । ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କି, ବିଷାକ୍ତ ମତ ପାଇଁ ମୃତ୍ୟୁ ହୋଇଛି । ମହାରାଜଗଞ୍ଜ ଏସଡିଏମ ଅନୀଲ କୁମାର ଘଟଣାକୁ ନେଇ ଦୁଃଖ ପ୍ରକଟ କରିଛନ୍ତି । ସେ କହିଛନ୍ତି କି, ପ୍ରାରମ୍ଭିକ ଅବସ୍ଥାରୁ ଏହା ମଦ ମୃତ୍ୟୁ ପରି ମନେ ହେଉଛି । ଘଟଣାରେ ସଂଶ୍ଳିଷ୍ଟ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କୁମାର ।

ଗ୍ରାମବାସୀଙ୍କ ମୁତାବକ, କୌଡିୟା ବୈଶ୍ୟ ସମାଜର ଜଣଙ୍କ ଶବସକ୍ରାର ରାତିରେ ହିଁ କରାଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କ ବଡିକୁ ବ୍ୟବଚ୍ଛେଦ ପାଇଁ ସଦର ହସ୍ପିଟାଲ ନିଆଯାଇଛି । ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟସ ୩୦ରୁ ୪୦ ବର୍ଷ ମଧ୍ୟରେ ଥିବା ଜଣାପଡିଛି ।

Get real time updates directly on you device, subscribe now.