ଟିକେଟ ବୁକିଂ ନିୟମରେ ପରିବର୍ତ୍ତନ, ଏଣିକି 120 ଦିନ ପୂର୍ବରୁ କରିପାରିବେନି ଟିକେଟ୍

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ପକ୍ଷରୁ ଟିକେଟ୍ ବୁକିଂର ନିୟମ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ 120 ଦିନ ପରିବର୍ତ୍ତେ ଲୋକେ 60 ଦିନ ପୂର୍ବରୁ ଟିକେଟ୍ ବୁକିଂ କରିବେ । ଏନେଇ ଆଜି ରେଳ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଅଗ୍ରୀମ ସଂରକ୍ଷଣର ସମୟସୀମା ହ୍ରାସ କରାଯାଇଛି । ଏଣିକି ଜଣେ ବ୍ୟକ୍ତି ଚାହିଁଲେ ମଧ୍ୟ 4 ମାସ ପୂର୍ବରୁ କନଫର୍ମ ଟିକେଟ ବୁକିଂ କରିପାରିବେ ନାହିଁ ।

ରେଳବାଇ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, 2024 ମସିହା ନଭେମ୍ବର 1 ତାରିଖରୁ ଟ୍ରେନରେ ଅଗ୍ରୀମ ସଂରକ୍ଷଣ ପାଇଁ  4ମାସ ଆଗରୁ ଟିକେଟ ବୁକିଂ ହେବ ନାହିଁ  । ଜଣେ ବ୍ୟକ୍ତି କେବଳ 2 ମାସ ପୂର୍ବରୁ ଟିକେଟ ବୁକ୍ କରିବେ । କିନ୍ତୁ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ 120 ଦିନ ARP( Advance Reservation Period) ଅଧୀନରେ କରାଯାଇଥିବା ସମସ୍ତ ବୁକିଂ ଅକ୍ଷୁର୍ଣ୍ଣ ରହିବ । ଏହି ନୂଆ ନିୟମ ନଭେମ୍ବର ପହିଲାରୁ କାର୍ଯ୍ୟକାରୀ ହେବ ।

ରେଳବାଇ ଏହା ମଧ୍ୟ କହିଛି ଯେ ତାଜ ପରି କିଛି ଦିନ ଚାଲୁଥିବା ଏକ୍ସପ୍ରେସ ଟ୍ରେନରେ  କୌଣସି ପରିବର୍ତ୍ତନ ହେବ ନାହିଁ । ଏକ୍ସପ୍ରେସ, ଗୋମତି ଏକ୍ସପ୍ରେସ ଇତ୍ୟାଦିରେ ଅଗ୍ରୀମ ସଂରକ୍ଷଣ ପାଇଁ ସମୟ ସୀମା କମ୍ ରହିବ । ଏହା ବ୍ୟତୀତ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ 365 ଦିନ ସୀମା ପ୍ରସଙ୍ଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନେ 120 ଦିନ ପୂର୍ବରୁ ଟିକେଟ୍ ବୁକ୍ କରିବାର ସୁଯୋଗ ପାଇଥିଲେ । ଏହାଦ୍ବାରା ଟିକେଟ ବୁକିଂ ସମୟରେ କୌଣସି ସମସ୍ୟା ଦେଖାଯାଉ ନଥିଲା । ଆଗୁଆ ଟିକେଟ କରି ଶାନ୍ତିରେ ରହୁଥିଲେ ଯାତ୍ରୀ । କିନ୍ତୁ 60 ଦିନ ସମୟ ସୀମା ହେତୁ ହଠାତ୍ ବୁକିଂ ପାଇଁ ତତ୍ପରତା ଦେଖାଦେଇପାରେ । ଓ୍ବେଟିଂ ଟିକେଟ୍ ପାଇଁ କନଫର୍ମ ହେବାର ସମ୍ଭାବନା ମଧ୍ୟ କମ୍ ରହିବ । ତେବେ କିଭଳି ସମସ୍ତେ ଟିକେଟ ପାଇପାରିବେ ସେନେଇ ରେଳବାଇ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଛି ।

Get real time updates directly on you device, subscribe now.