Supreme Courtରୁ ସବୁ ମାମଲାର Live ଦେଖିବେ ଦେଶବାସୀ: ଅବସର ପୂର୍ବରୁ CJI ଚନ୍ଦ୍ରଚୂଡ଼ଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ପଦରୁ ଅବସର ଗ୍ରହଣ କରିବାକୁ ଯାଉଛନ୍ତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ । ଏଣିକି ସୁପ୍ରିମକୋର୍ଟରେ ପ୍ରତ୍ୟେକ ମାମଲା ଏବଂ ପ୍ରତ୍ୟେକ ଖଣ୍ଡପୀଠର ଶୁଣାଣି ଲାଇଭ ଷ୍ଟ୍ରିମିଙ୍ଗ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଅଦାଲତରେ ସମସ୍ତ ଖଣ୍ଡପୀଠର ସିଧା ପ୍ରସାରଣ କରିବା ପାଇଁ ଏକ ଆପ୍ ପରୀକ୍ଷଣ ପର୍ଯ୍ୟାୟରେ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ସମ୍ବିଧାନ ପୀଠ ସମକ୍ଷ ମାମଲାର ସିଧାପ୍ରସାରଣ କରାଯାଉଥିଲା । କିନ୍ତୁ ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ପ୍ରସ୍ତାବ ପରେ ଏଥିରେ ପରିବର୍ତ୍ତନ କରାଯାଉଛି । ଏହାଦ୍ୱାରା ସମସ୍ତ ଖଣ୍ଡପୀଠକୁ ବିସ୍ତାର କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ଥର ପାଇଁ ଅଦାଲତରୁ ପ୍ରତ୍ୟେକ ଦିନର ଶୁଣାଣି ନିୟମିତ ଭାବରେ ସିଧାପ୍ରସାରଣ କରାଯିବ ।

କରୋନା ମହାମାରୀ ପରେ ୨୦୨୨ରେ ସୁପ୍ରିମକୋର୍ଟରେ ପ୍ରଥମ ଥର ଲାଇଭ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା କରାଯାଇଥିଲା । ସମ୍ବିଧାନ ଖଣ୍ଡପୀଠରେ ହେଉଥିବା ସମସ୍ତ ଶୁଣାଣିକୁ ୟୁଟ୍ୟୁବ ତଥା ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ବ୍ୟବସ୍ଥା ହୋଇଥିଲା । ଏହି ବ୍ୟବସ୍ଥା ବର୍ତ୍ତମାନ ପର୍ଯ୍ୟନ୍ତ ଲାଗୁ ହୋଇଥିବା ବେଳେ ଏଣିକି ସମସ୍ତ ଅଦାଲତରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରାଯାଉଛି । ୨୦୨୨ ମସିହା ସେପ୍ଟେମ୍ବର ୨୭ ତାରିଖରେ ପ୍ରଥମ ଥର ସୁପ୍ରିମକୋର୍ଟର ୩ ଟି ସମ୍ବିଧାନ ଖଣ୍ଡପୀଠ ଶୁଣାଣିକୁ ଲାଇଭ ଷ୍ଟ୍ରିମିଙ୍ଗ କରାଯାଇଥିଲା । ଏହି ଭିଡିଓକୁ ପାୟ ୮ ଲକ୍ଷରୁ ଅଧିକ ଲୋକ ଦେଖିଥିଲେ ।

ଜଷ୍ଟିସ ଚନ୍ଦ୍ରଚୂଡ଼ ନିଜ କାର୍ଯ୍ୟକାଳରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବେଶ୍ ପରିଚିତ । ବିଭିନ୍ନ ଜ୍ଞାନକୌଶଳ ବ୍ୟବହାର କରି ଅନେକ କେଶ୍ ଆବଣ୍ଟନରେ ପ୍ରଗତି ଏବଂ ପାରଦର୍ଶୀ ବ୍ୟବସ୍ଥା ଆଣିବା ପାଇଁ ଚେଷ୍ଟା କରିବା ସହ ତ୍ୱରିତ ଶୁଣାଣି ବ୍ୟବସ୍ଥାରେ ମଧ୍ୟ ବଡ଼ ପରିବର୍ତ୍ତନ ଆଣିଛନ୍ତି । ତେବେ ଆସନ୍ତା ନଭେମ୍ବର ୧୦ ତାରିଖରେ ସେ ମୁଖ୍ୟ ବିଚାରପତି ପଦବୀରୁ ଅବସର ନେବାକୁ ଯାଉଛନ୍ତି । ତାଙ୍କ ସ୍ଥାନରେ ଜଷ୍ଟିସ ସଞ୍ଜୀବ ଖନ୍ନା ଦେଶର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ ।

Get real time updates directly on you device, subscribe now.