ସମୟ ଭୋର ୩ଟା: ସେକ୍ସ ଆଳ ଦେଖାଇ ଯୁବକଙ୍କୁ ଡାକିଲେ, ତା’ପରେ ଟଙ୍କା ଓ ମୋବାଇଲ ଲୁଟିନେଲେ ଦୁଇ ଲେଡି ଲୁଟେରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଅନେକ ସମୟରେ ନୂଆ ନୂଆ ଧରଣର ଅପରାଧ ଦେଖିବାକୁ ମିଳିଥାଏ । ରାଜଧାନୀରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଯେତେ କଠୋର ବ୍ୟବସ୍ଥା କରାଗଲେ ମଧ୍ୟ ଅପରାଧୀଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ତେବେ ଗତବର୍ଷ ରାଜଧାନୀରେ କିଛି ମହିଳା ଲୁଟେରାଙ୍କ ପ୍ରାଦୁର୍ଭାବ ସାମ୍ନାକୁ ଆସିଥିଲା । ସେନେଇ ପୋଲିସ ପକ୍ଷରୁ ମଧ୍ୟ ସଚେତନତା ଜାରି କରାଯାଇଥିଲା । ତେବେ ଏହା ମଧ୍ୟରେ ଅନୁରୂପ ଭାବେ ଲେଡି ଲୁଟେରାଙ୍କ ଆତଙ୍କ ସାମ୍ନାକୁ ଆସିଛି । ରାଜଧାନୀରେ ରାତିରେ ଏହି ଲେଡି ଲୁଟେରାମାନେ ଲୁଟିବାର ଏକ ନୂଆ ତରିକା ଆପଣାଇଛନ୍ତି ।

ସୂଚନା ମୁତାବକ, ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ହେଉଛି ଏକ ଚଳଚଞ୍ଚଳ ସ୍ଥାନ । ୨୪ ଘଣ୍ଟା ଏହି ସ୍ଥାନକୁ ଯାତ୍ରୀଙ୍କର ଯିବାଆସିବା ଲାଗି ରହିଥାଏ । ରାତି ୩ଟା ସମୟରେ ଜଣେ ଯୁବକଙ୍କୁ ସେକ୍ସ ଆଳରେ ଡାକି ଲେଡି ଲୁଟେରାମାନେ ୩ ହଜାର ଟଙ୍କା ଓ ମୋବାଇଲ ଫୋନ୍ ଲୁଟି ନେଇଥିବା ଜଣାପଡ଼ିଛି । କୋଳଥିଆ ସତ୍ୟସାଇ ଏନକ୍ଲେଭ ଅଞ୍ଚଳର ଜଣେ ଯୁବକ ଟ୍ରେନର ଓହ୍ଲାଇ ଆସି ଅଟୋକୁ ଅପେକ୍ଷା କରି ରହିଥିଲେ । ସେହି ସମୟରେ ଦୁଇଜଣ ଯୁବତୀ ତାଙ୍କୁ ହାତ ଠାକି ଡାକିଥିଲେ । ଯୁବକଜଣଙ୍କ ସେମାନଙ୍କ ପାଖରେ ପହଞ୍ଚିବା ପରେ ଜଣେ ଯୁବତୀ ଯୁବକଙ୍କ ହାତକୁ ଜୋରରେ ଧରିନେଇଥିଲେ ଏବଂ ଅନ୍ୟ ଜଣେ ପକେଟରୁ ମନିପର୍ସ ଓ ମୋବାଇଲ ଛଡ଼ାଇ ନେଇଥିଲେ ।

ଯୁବକ ଜଣଙ୍କ ଏଥିରେ ପ୍ରତିବାଦ କରିବାରୁ ଦୁଇ ଯୁବତୀ ତାଙ୍କୁ ଅସଦାଚରଣର ଧମକ ଦେଇଥିଲେ । ଏହାପରେ ଦୁଇ ଯୁବତୀ ସେହି ସ୍ଥାନରୁ ଦୌଡ଼ି ପଳାଇଥିଲେ । ଲୋକଲଜ୍ଜା ଭୟରେ ଯୁବକ ଜଣଙ୍କ ଏନେଇ ପୋଲିସରେ ଅଭିଯୋଗ କରିନଥିଲେ । କିଛିଦିନ ତଳେ ଏଭଳି ଲୁଟମାଟ୍ ମାମଲାରେ ଖାରବେଳ ଥାନା ପୋଲିସ ଦୁଇଜଣ ଲେଡି ଲୁଟେରାଙ୍କୁ ଗିରଫ କରି ଜେଲ୍ ପଠାଇଥିଲା । ତେଣୁ ରାତି ସମୟରେ ରାଜଧାନୀରେ ଯିବା ଆସିବା କରୁଥିବା ଯୁବକମାନେ ଏହି ଲେଡି ଲୁଟେରାଙ୍କ ପ୍ରତି ସାବଧାନ ରହିବା ଆବଶ୍ୟକ ।

Get real time updates directly on you device, subscribe now.