(Video) ଆଶ୍ରୟସ୍ଥଳୀ ନା ଭୂତକୋଠି… ବାତ୍ୟା ଠାରୁ ବେଶୀ ଡରାଉଛି ବାତ୍ୟା ଆଶ୍ରୟସ୍ଥଳୀ, ନିଜେ ମାଗୁଛି ନିଜର ସୁରକ୍ଷା

ଓଡ଼ିଶା ଭାସ୍କର: ଘନାଉଛି ବାତ୍ୟା ଆଶଙ୍କା । ପାଣିପାଗ ବିଭାଗ ବାତ୍ୟାକୁ ନେଇ ସ୍ପଷ୍ଟ କରିବା ପରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଉପକୂଳ ଲୋକେ । ସୁରକ୍ଷିତ ସ୍ଥାନକୁ ଯିବାକୁ ପ୍ରଶାସନ ପରାମର୍ଶ ଦେଉଥିବା ବେଳେ , ଅସୁରକ୍ଷିତ ହୋଇ ପଡିଛନ୍ତି ସାଧାରଣ ଜନତା । ଏଭଳି ସମୟରେ ଆଶ୍ରୟସ୍ଥଳୀକୁ ଭରସା କରିଥିବା ବେଳେ ସେଠାକାର ପରିସ୍ତିତି ବି ଆହୁରି ଭୟଙ୍କର । ବାତ୍ୟା ଠାରୁ ବେଶୀ ଭୟଙ୍କର ରୂପ ଦେଖାଉଛି ବାତ୍ୟା ଆଶ୍ରୟସ୍ଥଳୀ । କୌଣସି ବି ସମୟରେ ଏହାର ଛାତ ଓ କାନ୍ଥ ଲୋକଙ୍କ ଉପରେ ପଡ଼ିନଯିବ ତାର ଗ୍ୟାରେଣ୍ଟି କିଏ ନେବ । ଏଣୁ ଲୋକେ ଘରେ ରହିବାକୁ ପସନ୍ଦ କରୁଛନ୍ତି ପଛେ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବାକୁ ଇଛା କରୁନାହାନ୍ତି । ଆଜି ବାତ୍ୟା ଆସିବା ବେଳେ ସୁରକ୍ଷା ମାଗୁଛି ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ । କାନ୍ଥରେ ଯଦି ହାତ ମାରିଦେଲେ ସେଥିରୁ ସିମେଣ୍ଟ ଖସି ରଡ଼ ବାହାରି ଯାଉଛି । ତେବେ ବାତ୍ୟା ଆସିଲେ କଣ ଅବସ୍ଥା ହେବ ଠାରେ ଅନୁମାନ କରନ୍ତୁ । ସାମାନ୍ୟ ପବନରେ ଏହାର ପରିଣାମ କ’ଣ ହେବ, କାକୁ ଭରସା ନାହିଁ । ତେବେ ମୂଲ୍ୟବାନ ଜୀବନ କୁ ସୁରକ୍ଷା ଦେବ କେମିତି ? ଏହାକୁ ନେଇ ପ୍ରଶ୍ନ ଉଠିଛି ।

ସୂଚନାନୁସାରେ, ବାଲେଶ୍ୱର ଜିଲ୍ଲା ସଦର ବ୍ଲକ କଶାଫଳ ବଜାରରେ ରହିଛି ବହୁମୁଖି ବାତ୍ୟା ଆଶ୍ରୟ ସ୍ଥଳୀ । ପ୍ରାକୃତିକ ଦୁର୍ବିପାକ, ବନ୍ୟା, ବାତ୍ୟା ସମୟରେ ବାତ୍ୟା ଆଶ୍ରୟସ୍ଥଳୀ ଲୋକଙ୍କୁ ସୁରକ୍ଷା ଦେବାକୁ ନିର୍ମାଣ କରାଯାଇଛି । କିନ୍ତୁ ଏଠାରେ ଆଶ୍ରୟ ମିଳିବା ତ ଦୂରର କଥା, ଏଠାକାର ପରିସ୍ତିତି ଦେଖିଲେ, ଲାଗୁଛି ବାତ୍ୟାରୁ ବଞ୍ଚାିଗଲେ ଜୀବନ ଏହି ଆଶ୍ରୟସ୍ଥଳୀ ହିଁ ଜୀବନ ନେଇଯିବ । ସୁରକ୍ଷା ଦେଉଥିବା ସ୍ଥାନ ଆଜି ନିଜର ସୁରକ୍ଷା ମାଗୁଛି । କୋଉଁଠି ପିଲର ଫାଟି ରଡ ବାହାରି ପଡିଲାଣିତ କୋଉଠି ଛାତରୁ ପ୍ଲାଷ୍ଟର ଖସିଲାଣି । ଏପରି ଅବସ୍ଥାରେ ଭିତରକୁ ଯିବାକୁ ଲୋକେ ଭୟ କରୁଛନ୍ତି । ୨୩ ତାରିଖ ସୁଦ୍ଧା ତଳିଆ ଅଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରିବା ପାଇଁ ମାଇକ ଯୋଗେ ସୁଚନା ଦିଆ ଯାଉଛି । ମାତ୍ର ଏହି ବାତ୍ୟା ଆଶ୍ରୟସ୍ଥଳୀର ଅବସ୍ଥା ଦେଖି ନିଜର ସୁରକ୍ଷା ପାଇଁ ଚିନ୍ତାରେ ପଡିଛନ୍ତି କଶାଫଳ ବାସିନ୍ଦା ।

କଶାଫଳ ପଞ୍ଚାୟତର ୬ ହଜାର ଲୋକଙ୍କ ପାଇଁ ଏହି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରଯାଇଥିଲା । ମାତ୍ର ରକ୍ଷାଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ଏହି ବାତ୍ୟା ଆଶ୍ରୟସ୍ଥଳୀ । କେହି ସୁରକ୍ଷାକର୍ମୀ ରହୁ ନଥିବାରୁ ଅସାମାଜିକ ଲୋକଙ୍କ ଆଡାସ୍ଥଳୀ ପାଲଟିଛି ଏହି ଆଶ୍ରୟସ୍ଥଳୀ । ଚାରିଆଡେ ମଦ ବୋତଲ ସହିତ ଅନ୍ୟାନ୍ୟ ସାମଗ୍ରୀ ପଡି ରହିଛି । ବାତ୍ୟା ସମୟରେ ଲୋକେ ରହୁଥିବାରୁ ଲାଇଟ ବ୍ୟବସ୍ଥା ମଧ୍ୟ ନାହିଁ । ଆବଶ୍ୟକ ସମୟରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଲାଇଫ ଜ୍ୟାକେଟ କିମ୍ବା ଅନ୍ୟାନ୍ୟ ସୁରକ୍ଷା ସାମଗ୍ରୀ ନଥିବା କହିଛନ୍ତି ପଞ୍ଚାୟତର ସରପଞ୍ଚ ଏବଂ ନାଏବ ସରପଞ୍ଚ । ଏନେଇ ସଦର ବିଡିଓ ସମରଜିତ କରଙ୍କୁ ପଚାରିବାରୁ ସ୍କୁଲ କିମ୍ବା ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.