ଗଣିତରେ ୨୦ ମାର୍କ ରଖିଲେ ପାସ ହେବେ ଛାତ୍ରଛାତ୍ରୀ ! ଏହି ରାଜ୍ୟରେ ଲାଗୁ ହେବ ନୂତନ ନିୟମ

ମୁମ୍ବାଇ: ସାଧାରଣତଃ ସ୍କୁଲ ଛାତ୍ରଛାତ୍ରୀ ଗଣିତକୁ ଅଧିକ ଭୟ କରିଥାନ୍ତି । ଗଣିତ ସୂତ୍ର ବୁଝିବା ଏବଂ ସମାଧାନ କରିବା ଯେମିତି ସେମାନଙ୍କ ପାଇଁ ପାହାଡ଼ର ବୋଝ ପରି ମନେ ହୁଏ । ତଥାପି ଟ୍ୟୁସନ୍ ଓ ଘରେ ମାଡ଼ ଗାଳି ଶୁଣି ଯେତିକି ମନେ ରହିଲା ସେତିକିରେ ପାସ୍ ମାର୍କ ଆଣିଲେ ଯଥେଷ୍ଟ । ଇତିହାସ, ଭୂଗୋଳ, ସାହିତ୍ୟ, ଇଂରାଜୀ, ବିଜ୍ଞାନ ଭଳି ଗଣିତ ମଧ୍ୟ ଏକ ବିଷୟ । ବାସ୍ତବରେ ଗଣିତ ଯେତିକି କଷ୍ଟକର ନୁହେଁ ଏହି ବିଷୟରେ ଫେଲ୍ ହେବାର ଡର ଛାତ୍ରଛାତ୍ରୀଙ୍କ ପାଇଁ ଅବସାଦର କାରଣ ପାଲଟିଥାଏ । ବର୍ତ୍ତମାନ ଗଣିତରେ କମ୍ ନମ୍ବର ରଖୁଥିବା ଛାତ୍ରଛାତ୍ରୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ରାଜ୍ୟ ସରକାର ।

ମହାରାଷ୍ଟ୍ର ଷ୍ଟେଟ୍ କାଉନସିଲ ଅଫ୍ ଇଜୁକେସନାଲ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ ନିର୍ଦ୍ଦେଶକ ରାହୁଲ ରେଖାୱର କହିଛନ୍ତି, ‘ଏହି ପରିବର୍ତ୍ତନ ସ୍କୁଲ ଶିକ୍ଷା ବିଭାଗ ଦ୍ୱାରା ଅନୁମୋଦିତ ନୂତନ ପାଠ୍ୟକ୍ରମ ଢ଼ାଞ୍ଚାର ଏକ ଅଂଶ ।’ ତେବେ ରାଜ୍ୟ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବୋର୍ଡ଼ର ଅଧ୍ୟକ୍ଷ ଶରଦ ଗୋସାୱୀ କହିଛନ୍ତି କି ରାଜ୍ୟରେ ନୂତନ ପାଠ୍ୟକ୍ରମ ଲାଗୁ ହେଲା ପରେ ଏହି ପରିବର୍ତ୍ତନ କାର୍ଯ୍ୟକାରୀ ହେବ । ଏହା ଅନ୍ତର୍ଗତ ସରକାର SSCରେ ଉଭୟ ଗଣିତ ଏବଂ ବିଜ୍ଞାନ ବିଷୟରେ ମୋଟ୍ ମାର୍କ ୧୦୦ରୁ ପାସ୍ ମାର୍କ ୩୫ ପରିବର୍ତ୍ତେ ୨୦କୁ ହ୍ରାସ କରିଛନ୍ତି । କିନ୍ତୁ ଏହା ସହ ଏକ କନଡିସନ୍ ରହିଛି କି ଯେଉଁ ଛାତ୍ରଛାତ୍ରୀଙ୍କୁ ଏଭଳି ଭାବେ ପାସ୍ କରାଯିବ ସେମାନଙ୍କ ମାର୍କସିଟରେ ଏକ ନୋଟ୍ ରହିବ କି ଭବିଷ୍ୟତରେ ସେମାନେ କେବେ ଗଣିତ କିମ୍ବା ବିଜ୍ଞାନ ବିଷୟରେ ପାଠପଢ଼ିବେ ନାହିଁ । ଏହି ନୂତନ ନିଷ୍ପତ୍ତି ସେହି ଛାତ୍ରଛାତ୍ରୀଙ୍କୁ ସମର୍ଥନ କରିବ ଯେଉଁମାନେ ଦଶମ ପରେ ହ୍ୟୁମାନିଟିଜ୍‌(ଆଟ୍‌ର୍ସ)ରେ କ୍ୟାରିୟର ଗଢ଼ିବାକୁ ଚାହୁଁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି ଗଣିତ କିମ୍ବା ବିଜ୍ଞାନ ଭଳି ବିଷୟରେ ଫେଲ୍ ହେବା କିମ୍ବା SSCରେ ଫେଲ୍ ହେବା ଯୋଗୁଁ ସେମାନଙ୍କ ପାଖରେ ଆଗକୁ ଆଉ ପାଠପଢ଼ା ପାଇଁ କୌଣସି ବିକଳ୍ପ ରହୁନାହିଁ । ଅନ୍ୟାନ୍ୟ ବିଷୟ କିମ୍ବା ଜିନିଷରେ ସେମାନଙ୍କ କୌଶଳ ବିକାଶ କ୍ଷେତ୍ରରେ ଏହା ବାଧା ସୃଷ୍ଟି କରିଥାଏ । ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଣାଳୀରୁ ଅନୁଚିତ ଭାବେ ନ ବାହାର କରି ସେମାନଙ୍କ ଶିକ୍ଷାଗତ ଏବଂ ବୃତ୍ତି ସମ୍ବନ୍ଧୀୟ ଆକାଂକ୍ଷାକୁ ପୁରା କରିବା ଦିଗରେ ସୁନିଶ୍ଚିତ କରିବା ନେଇ ଏଭଳି ପାଠ୍ୟକ୍ରମ ଡିଜାଇନ୍ କରାଯାଇଛି । ଛାତ୍ରଛାତ୍ରୀ ଚାହିଁଲେ ସପ୍ଲିମେଣ୍ଟାରୀ ପରୀକ୍ଷା କିମ୍ବା ପାଠ୍ୟକ୍ରମର ପରବର୍ତ୍ତି ବର୍ଷ ରେଗୁଲାର ପରୀକ୍ଷା ଦେଇପାରିବେ । ତେବେ ଅନେକ ଲୋକ ଏଭଳି ପଦକ୍ଷେପକୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ଏହାର ନିନ୍ଦା କରିଛନ୍ତି । ସେମାନେ କହିଛନ୍ତି କି ଏହା ଦ୍ୱାରା ଇଜୁକେସନାଲ ଷ୍ଟାଣ୍ଡାର୍ଡ଼ ସହ କମ୍ପ୍ରମାଇଜ୍ କରାଯାଉଛି ।