ଦାନାର ପ୍ରଭାବରେ ଥରିଲାଣି ଅସ୍ତରଙ୍ଗ… ପାରାଦୀପ ଠାରୁ ଏତିକି କିଲୋମିଟର ଦୂରରେ ରହିଛି ବାତ୍ୟା

ଭୁବନେଶ୍ୱର: ବଳ ଗୋଟାଉଛି ‘ଦାନା’ । ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ‘ଦାନା’ । ବର୍ଷା ସାଙ୍ଗକୁ ବଢ଼ୁଛି ପବନର ବେଗ । ଆତଙ୍କିତ ଅବସ୍ଥାରେ ଲୋକେ । ଗତ ୬ ଘଣ୍ଟାରେ ୧୫ କିମି ବେଗରେ ଗତି କରୁଛି ‘ଦାନା’ । ପାରାଦୀପର ଦକ୍ଷିଣ ପୂର୍ବକୁ ୨୮୦ କିମି ଏବଂ ଧାମରାର ଦକ୍ଷିଣ ଦକ୍ଷିଣ- ପୂର୍ବର ୩୧୦ କିମି ଦୂରରେ ଅବସ୍ଥିତ ଭୀଷଣ ବାତ୍ୟା । ଆଜି ମଧ୍ୟ ରାତ୍ରୀ ଓ କାଲି ସକାଳ ମଧ୍ୟରେ ଭିତରକନିକା ଓ ଧାମରା ପାଖରେ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଲ୍ୟାଣ୍ଡଫଲ୍ ପୂର୍ବରୁ ଧାମରା ଓ ଭିତରକନିକାରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ଧାମରାରେ ଝିପିଝିପି ବର୍ଷା ସାଙ୍ଗକୁ ପବନର ବେଗ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଭିତରକନିକା ସହ ବାଲେଶ୍ୱରରେ ବର୍ଷା ସହ ହାଲୁକା ପବନ ବହୁଛି । ସେହିପରି ଅସ୍ତରଙ୍ଗରେ ମଧ୍ୟ ବାତ୍ୟା ‘ଦାନା’ର ପ୍ରଭାବ ଦେଖିବାକୁ ମିଳିଛି । ଏଠାରେ ଘଣ୍ଟା ପ୍ରତି ୫୦ କିମି ବେଗରେ ପବନ ବହୁଛି । ସମୁଦ୍ର ଅଶାନ୍ତ ରହିବା ସହ ୧ ମିଟର ଉଚ୍ଚ ଜୁଆର ଉଠୁଛି । ଏହି ଅଞ୍ଚଳରେ ବିଦ୍ୟୁତ ସେବା ମଧ୍ୟ ବ୍ୟାହତ ହୋଇଛି । ତେବେ ଆଶ୍ରୟସ୍ଥଳୀରେ ରହି ମଧ୍ୟ ଲୋକଙ୍କ ମନରେ ଏକ ପ୍ରକାର ଭୟ ଦେଖାଦେଇଛି ।