ନୂଆ ସରକାର ଆସିବା ପରେ ପ୍ରବାସୀ ଶ୍ରମିକ ଅସୁରକ୍ଷିତ, ସପ୍ତାହକରେ ୩ ଆକ୍ରମଣ, ୮ ମୃତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ନୂଆ ସରକାର ଆସିବା ପରଠାରୁ ପ୍ରବାସୀ ଶ୍ରମିକଙ୍କ ଉପରେ ଆତଙ୍କୀ ଆକ୍ରମଣ ଘଟଣା ବଢିବାରେ ଲାଗିଛି । ଏକ ସପ୍ତାହରେ ୩ଟି ଆକ୍ରମଣ ହେଲାଣି ପ୍ରବାସୀ ଶ୍ରମିକଙ୍କ ଉପରେ । ଯାହା ମୁଖ୍ୟମନ୍ତ୍ରୀ ଉମର ଅବଦ୍ଦୁଲ୍ଲାଙ୍କ ଚିନ୍ତା ବଢାଇ ଦେଇଛି । ଗୁରୁବାର ସକାଳୁ ସକାଳୁ ଜଣେ ଶ୍ରମିକଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଆତଙ୍କବାଦୀ ।

ଗୁରୁବାର ଦକ୍ଷିଣ କାଶ୍ମୀର ତ୍ରାଲ ଅନ୍ତର୍ଗତ ବଟଗୁଣ୍ଡରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ନିଶାନା କରିଛନ୍ତି ଆତଙ୍କୀ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଚିକିତ୍ସା ପରେ ତାଙ୍କ ସ୍ଥିତିରେ ସୁଧାର ଆସିଥିବା କୁହାଯାଉଛି । ଏହିଗୁଳିକାଣ୍ଡ ପରେ ଜମ୍ମୁରେ ଥିବା ପ୍ରବାସୀ ନାଗରିକଙ୍କ ମଧ୍ୟରେ ମଧ୍ୟ ଭୟର ବାତାବରଣ । ଏହା ପରେ ବହୁ ପ୍ରବାସୀ ଶ୍ରମିକ କାଶ୍ମୀରରୁ ପଳାୟନ କରୁଛନ୍ତି । କିନ୍ତୁ ଏହି ପଳାୟନ କଥାକୁ ପ୍ରଶାସନ ଓ ପୋଲିସ ଖାରଜ କରିଛି ।

ବିଗତ କିଛି ଦିନ ହେବ ପ୍ରବାସୀଙ୍କ ଉପରେ ଆକ୍ରମଣ ଘଟଣା ବଢିବାରେ ଲାଗିଛି । ଗତ ସପ୍ତାହରେ ସୋପିୟାରେ ଜଣେ ଶ୍ରମିକଙ୍କୁ ହତ୍ୟା କରିଥିଲେ ଆତଙ୍କାବାଦୀ । ଗାନ୍ଦରବଲ ଜିଲ୍ଲାର ଶ୍ରୀନଗର-ଲେହ ଜାତୀୟ ରାଜପଥରେ ହେଉଥିବା ସୁଡଙ୍ଗ ନିର୍ମାଣରେ ନିୟୋଜିତ ୬ ଶ୍ରମିକଙ୍କ ସହ ଜଣେ ଡାକ୍ତରଙ୍କର ଆକ୍ରମଣରେ ମୃତ୍ୟୁ ହୋଇଥିଲା । ଆଜି ପୁଣି ଏକ ଆକ୍ରମଣ ହୋଇଛି । ଗୋଟିଏ ସପ୍ତାହରେ ୮ ଜଣଙ୍କ ମୃତ୍ୟୁ ହେଲାଣି ।

ତେବେ କାଶ୍ମୀରରେ ନୂଆ କରି ଏକ ଆତଙ୍କା ସଂଗଠନ ଗଠନ କରାଯାଇଛି, ଯାହାର ନାଁ ତହରିକ ଲାବେକ ୟା ମୁସ୍ଲିମ (ଟିଏଲଏମ) । ଏହି ସଂଗଠନ ମୁଖ୍ୟତଃ କାଶ୍ମୀରେ କାମ କରୁଥିବା ବାହାରର ଶ୍ରମିକଙ୍କ ଉପରେ ଆକ୍ରମଣ କରିବାରେ ନିୟୋଜିତ ହୋଇଛି । ଏହି ସଂଗଠନ ପାକିସ୍ତାନୀ ହ୍ୟାଣ୍ଡଲର ବାବା ହମାସ ଦ୍ୱାରା ପରିଚାଳିତ ହେଉଥିବା ତଦନ୍ତରୁ ଜଣାପଡିଛି । ଏହା ପରେ ଏହି ସଂଗଠନକୁ ଭାରତ ସରକାର ଅବୈଧ ଘୋଷଣା କରିଛି । ଏହାର ବିଭିନ୍ନ ଆଡା ଉପରେ ଆକ୍ରମଣ କରି ଧ୍ୱଂସ କରାଯାଇଛି ।