ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୪୮ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ: ଆସନ୍ତା ମାସ ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ସଭାର ୨୮୮ ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ତା’ପରେ ୨୩ ତାରିଖରେ ଫଳାଫଳ ଘୋଷଣା କରାଯିବ । ଏହା ପୂର୍ବରୁ ବିଜେପି ପ୍ରଥମ ପର୍ଯ୍ୟାୟରେ ୯୯ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଥିଲା । ଏହା ମଧ୍ୟରେ ଆଜି କଂଗ୍ରେସ ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ମୋଟ ୪୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି କଂଗ୍ରେସ । ପ୍ରଥମ ପର୍ଯ୍ୟାୟ ଲିଷ୍ଟରେ ଦଳ ନାନା ପଟୋଲ ଓ ପୃଥ୍ୱୀରାଜ ଚଭନଙ୍କୁ ଟିକେଟ ଦେଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜଙ୍କୁ କରାଡ ସାଉଥ ଆସନରୁ ଓ ପୂର୍ବତନ ଶକ୍ତି ମନ୍ତ୍ରୀ ନିତିନ ରାଉତଙ୍କୁ ଦଳ ନାଗପୁର ନର୍ଥ ଆସନରୁ ଟିକେଟ ଦେଇଛି ।

ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଥିଲେ ନିର୍ବାଚନ ଆୟୋଗ । ଭାରତ ପ୍ରତ୍ୟେକ ନିର୍ବାଚନରେ ଏକ ନୂଆ ଇତିହାସ ସୃଷ୍ଟି କରୁଥିବା ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଥିଲେ । ଝାଡ଼ଖଣ୍ଡରେ ନଭେମ୍ବର ୧୩ ପ୍ରଥମ ପର୍ଯ୍ୟାୟ ଓ ୨୦ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ମତଦାନ ଗ୍ରହଣ କରାଯିବ । ଦୁଇ ରାଜ୍ୟରେ ନଭେମ୍ବର ୨୩ରେ ଫଳାଫଳ ଘୋଷଣା ହେବ ।