ଜ୍ଞାନବାପି ମାମଲାରେ ସର୍ଭେ ପାଇଁ ହିନ୍ଦୁ ପକ୍ଷଙ୍କ ଆବେଦନ ଖାରଜ କଲେ ବାରଣାସୀ କୋର୍ଟ

ନୂଆଦିଲ୍ଲୀ: ଜ୍ଞାନବାପିକୁ ନେଇ ଚାଲିଥିବା ଅଦାଲତ ଲଢ଼େଇ ମଧ୍ୟରେ ଶୁକ୍ରବାର (ଅକ୍ଟୋବର ୨୫) ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା। ବାରାଣସୀର ସିଭିଲ ଜଜ୍ ସିନିୟର ଡିଭିଜନ୍ ଫାଷ୍ଟଟ୍ରାକ୍ ଏବେ ଜ୍ଞାନବାପି ବିବାଦକୁ ନେଇ ରାୟ ଶୁଣାଇଛନ୍ତି। କୋର୍ଟ ହିନ୍ଦୁ ପକ୍ଷର ଆବେଦନକୁ ଖାରଜ କରିଦେଇଛନ୍ତି। ଅଦାଲତରେ ହିନ୍ଦୁ ପକ୍ଷ ଶିବଲିଙ୍ଗକୁ ଜ୍ଞାନବାପିର ମୁଖ୍ୟ ଗୁମ୍ବୁଜ ତଳେ ଦାବି କରିଛନ୍ତି। ଏହା ସହ ହିନ୍ଦୁ ପକ୍ଷ ଏଠାରେ ଖନନ କରି ଏଏସଆଇ ସର୍ଭେ କରିବାକୁ ଦାବି କରିଥିଲେ।

୧୯୯୧ମସିହାରେ ହରିହର ପାଣ୍ଡେ, ସୋମନାଥ ବ୍ୟାସ ଓ ରାମରଙ୍ଗ ଶର୍ମାଙ୍କ ତରଫରୁ ଜ୍ଞାନବାପି ମସଜିଦର ମାଲିକାନା ପାଇବା ପାଇଁ ଆବେଦନ କରାଯାଇଥିଲା। ପାଖାପାଖି ଦୁଇ ଦଶନ୍ଧିର ଶୁଣାଣି ପରେ ବାରଣାସୀର ସିଭିଲ ଜଜ୍ ସିନିୟର ଡିଭିଜନ ଫାଷ୍ଟଟ୍ରାକ୍ କୋର୍ଟରେ ହିନ୍ଦୁ ପକ୍ଷ ପକ୍ଷରୁ ଦୁଇଟି ଦାବି ଉପସ୍ଥାପନ କରାଯାଇଥିଲା। ଯେଉଁଥିରେ ପ୍ରଥମ ଦାବି ଥିଲା ଯେ ବଜୁଖାନାର ଏଏସଆଇ ସର୍ଭେ କରାଯାଉ, ଯାହାଦ୍ୱାରା ସେଠାରେ ପ୍ରକୃତରେ ଶିବଲିଙ୍ଗ ଅଛି ନା ଝରଣା ଅଛି ତାହା ଜାଣିପାରିବ।

ସେହିପରି ହିନ୍ଦୁ ପକ୍ଷ ଦାବି କରିଛି ଯେ ମସଜିଦର ମୁଖ୍ୟ ଗୁମ୍ବୁଜ ତଳେ ୧୦୦ ଫୁଟର ଶିବଲିଙ୍ଗ ରହିଛି। ଏଭଳି ପରିସ୍ଥିତିରେ ମସଜିଦର ଢାଞ୍ଚାକୁ କ୍ଷତି ନପହଞ୍ଚାଇ ଖନନ କରାଯିବା ଉଚିତ, ଯାହାଦ୍ୱାରା ଶିବଲିଙ୍ଗର ଦାବି କୁ ଆକଳନ କରାଯାଇପାରିବ। ହିନ୍ଦୁ ପକ୍ଷ ପାଇଁ ଅଦାଲତ ରାସ୍ତା ଏତେ ସହଜ ନୁହେଁ। ଏହା ପଛର କାରଣ ହେଉଛି ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ। ବାସ୍ତବରେ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବଜୁଖାନାକୁ ସିଲ୍ କରାଯାଇଛି।