WTC ଫାଇନାଲରୁ ବାଦ୍ ପଡ଼ିବ ଟିମ ଇଣ୍ଡିଆ! ନ୍ୟୁଜିଲାଣ୍ଡ ସିରିଜ ପରାଜୟ ପରେ ରୋହିତ ସେନାକୁ ଝଟକା..

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ୧୨ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଭାରତ ଘରୋଇ ମାଟିରେ ଟେଷ୍ଟ ସିରିଜ ପରାସ୍ତ ହୋଇଛି । ଉଭୟ ମ୍ୟାଚରେ ଭାରତ ପରାସ୍ତ ହେବା ପରେ ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ ପାଇଁ ଦଳ ସଂଘର୍ଷ କରିପାରେ ବୋଲି ଅନୁମାନ କରାଯାଉଛି । ସେପଟେ ଭାରତ ହାତରୁ ସିରିଜ ଛଡ଼ାଇ ନେବା ପରେ ନ୍ୟୁଜିଲାଣ୍ଡ ଏକ ଇତିହାସ ସୃଷ୍ଟି କରିଛି । ଭାରତୀୟ ମାଟିରେ ପ୍ରଥମ ଟେଷ୍ଟ ସିରିଜ ବିଜୟ ହାସଲ କରିଛି କିୱି ସେନା । ଦ୍ୱିତୀୟ ଟେଷ୍ଟକୁ ୧୧୩ ରନରେ ବିଜୟୀ ହୋଇ ସିରିଜ ଉପରେ ମଧ୍ୟ ଦଳ କବଜା କରିଛି । ତେବେ ଏହି ପରାଜୟ ଭାରତକୁ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ଖେଳିବା ଉପରେ ଗମ୍ଭୀର ପ୍ରଭାବ ପକାଇପାରେ । ଏହି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଥିବା ଟିମ ଇଣ୍ଡିଆ ଫାଇନାଲରୁ ବାଦ୍ ପଡ଼ିବ ବୋଲି ମଧ୍ୟ ଆଲୋଚନା ହେଉଛି । ତେବେ କ’ଣ ରହିଛି ଏହାର ସମୀକରଣ? ଏହି ପରାଜୟ ଭାରତ ଉପରେ ବିଶେଷ ପ୍ରଭାବ ପକାଇ ନାହିଁ ।

ଏହି ଟେଷ୍ଟ ସିରିଜରେ ପ୍ରଥମ ମ୍ୟାଚ ଜିତି ୧-୦ରେ ଅଗ୍ରଣୀ ହୋଇଛି ନ୍ୟୁଜିଲାଣ୍ଡ । ମ୍ୟାଚର ଦ୍ୱିତୀୟ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଯୋଗୁଁ ଏହି ମ୍ୟାଚ ହାତଛଡ଼ା କରିଛି ରୋହିତ ସେନା । ସିରିଜର ପ୍ରଥମ ମ୍ୟାଚରେ ପରାଜୟ ପରେ ଦ୍ୱିତୀୟ ମ୍ୟାଚରେ ଦଳର ପ୍ରଦର୍ଶନ ଉପରେ ନିରାଶା ଜାହିର କରିଛନ୍ତି ଫ୍ୟାନ୍ସ । ତେବେ ଏହି ପରାଜୟ ପରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ପାଇଁ ଭାରତୀୟ ଦଳ ଉପରେ ବିଶେଷ ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ଫାଇନାଲରେ ପ୍ରବେଶ କରିବା ପାଇଁ ଟିମ ଇଣ୍ଡିଆକୁ କଡ଼ା ସଂଘର୍ଷ କରିବାକୁ ପଡ଼ିପାରେ । ବର୍ତ୍ତମାନ ପଏଣ୍ଟ ଟେବୁଲରେ ୬୨.୮୨ ପ୍ରତିଶତ ସହିତ ଶୀର୍ଷ ସ୍ଥାନରେ ରହିଛି ରୋହିତ ସେନା । ନ୍ୟୁଜିଲାଣ୍ଡ ବିପକ୍ଷ ଏହି ଟେଷ୍ଟ ପରାଜୟ ପୂର୍ବରୁ ଦଳ ୬୮.୦୬ ପ୍ରତିଶତ ବିଜୟ ହାରରେ ରହିଥିଲା । ତେବେ ୬୨.୫୦ ବିଜୟ ପ୍ରତିଶତ ସହିତ ଦ୍ୱିତୀୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ ।

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପରାଜୟ ପରେ ଭାରତ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ପୂର୍ବରୁ ୬ଟି ମ୍ୟାଚ୍(ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ) ଖେଳିବ । ତେବେ ଫାଇନାଲରେ ପ୍ରବେଶ କରିବା ପାଇଁ ଏହି ୬ଟି ମ୍ୟାଚରୁ ଭାରତକୁ ଅତି କମରେ ୩ଟି ମ୍ୟାଚରେ ବିଜୟୀ ହେବାକୁ ପଡ଼ିବ । ଯଦି ଟିମ ଇଣ୍ଡିଆ ୪ଟି ମ୍ୟାଚରେ ବିଜୟୀ ହୁଏ, ତେବେ ଫାଇନାଲରେ ସ୍ଥାନ ପ୍ରାୟତଃ ନିଶ୍ଚିତ ହୋଇପାରିବ । କାରଣ ୩ଟି ବିଜୟ ହାସଲ କଲେ ଭାରତକୁ ଅନ୍ୟ ଦଳଗୁଡ଼ିକର ବିଜୟ/ପରାଜୟ ଉପରେ ନିର୍ଭର କରିବାକୁ ପଡ଼ିପାରେ ।

ଏହା ହେଉଛି ୨୦୨୩ ରୁ ୨୦୨୫ ପର୍ୟ୍ୟନ୍ତ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ତୃତୀୟ ରାଉଣ୍ଡ । ଆଇସିସି ଏହି ତୃତୀୟ ଚକ୍ର ପାଇଁ ପଏଣ୍ଟ ସିଷ୍ଟମ ସହିତ ଜଡିତ ନିୟମ ପ୍ରକାଶ କରିସାରିଛି । ଟେଷ୍ଟ ମ୍ୟାଚ୍ କୌଣସି ଦଳକୁ ବିଜୟ ପାଇଁ ୧୨ ପଏଣ୍ଟ, ମ୍ୟାଚ୍ ଡ୍ର ହେଲେ ୪ ପଏଣ୍ଟ ଏବଂ ମ୍ୟାଚ୍ ଟାଇ ରହିଲେ ୬ ପଏଣ୍ଟ ଦିଆଯିବ । ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ପ୍ରତ୍ୟେକ ଦଳକୁ ମ୍ୟାଚ୍ ଜିତିବା ପରେ ୧୦୦ ପ୍ରତିଶତ ପଏଣ୍ଟ, ଟାଇ ଉପରେ ୫୦ ପ୍ରତିଶତ, ଡ୍ର ଉପରେ ୩୩.୩୩ ପ୍ରତିଶତ ଏବଂ ପରାଜୟ ଉପରେ ଶୂନ ପ୍ରତିଶତ ପଏଣ୍ଟ ଯୋଗ କରାଯିବ । ଦୁଇଟି ମ୍ୟାଚ୍ ବିଶିଷ୍ଟ ସିରିଜରେ ମୋଟ ୨୪ ପଏଣ୍ଟ ଏବଂ ପାଞ୍ଚ ମ୍ୟାଚ୍ ସିରିଜରେ ୬୦ ପଏଣ୍ଟ ଉପଲବ୍ଧ ହେବ ।