ଓଡ଼ିଶା ଭାସ୍କର: ଆସୁଛି ଆଲୋକର ପର୍ବ ଦୀପାବଳି । ପରିବାର ସଦସ୍ୟ ଏବଂ ସାଙ୍ଗସାଥିଙ୍କ ସହ ଏହି ପର୍ବର ମଜା ଆହୁରି ଦ୍ୱିଗୁଣିତ ହୋଇଯାଏ । ଏଥିପାଇଁ ଲୋକମାନେ ଘରର ସାଜସଜ୍ଜା ଠାରୁ ଆରମ୍ଭ କରି ସେଲିବ୍ରେସନ୍ ପାଇଁ ବିଭିନ୍ନ ପ୍ରସ୍ତୁତି କରିଥାନ୍ତି । ଏଥିମଧ୍ୟରେ ଘରେ ଅତିଥିଙ୍କ ସ୍ୱାଗତ ପାଇଁ ମଧ୍ୟ ସମସ୍ତେ ପ୍ରସ୍ତୁତ ରହିଥାନ୍ତି । ପର୍ବପର୍ବାଣିରେ ବିଶେଷ କଥା ହେଉଛି ଘରର ବାତାବରଣ । ଘର ଯେତେ ସଫାସୁତୁରା ଥିଲେ ମଧ୍ୟ ଭଲ ରୁମ୍ ଫ୍ରେଶନର ନଥିଲେ ସବୁ ଯେମିତି ଫିକା ଲାଗେ । ଆଜିକାଲି ଅଧିକାଂଶ ବ୍ୟକ୍ତି ବଜାରରେ ଉପଲବ୍ଧ ହେଉଥିବା ରୁମ୍ ଫ୍ରେଶନର କିଣିଥାନ୍ତି । ବେଳେ ବେଳେ ଏହା ଅଧିକ ମହଙ୍ଗା ହୋଇଥିବା ବେଳେ ଏହା କେମିକାଲଯୁକ୍ତ ହୋଇଥାଏ ।
ଦୀପାବଳି ସମୟରେ ସେମିତିବି ଅଧିକ ଟିକେ ଖର୍ଚ୍ଚ ହୋଇଥାଏ । କିନ୍ତୁ ଆପଣ କେମିକାଲଯୁକ୍ତ ରୁମ୍ ଫ୍ରେଶନର ପରିବର୍ତ୍ତେ ପ୍ରାକୃତିକ ତୈଳଯୁକ୍ତ ରୁମଫ୍ରେଶନର ବ୍ୟବହାର କରିପାରିବେ । ଏହା କେବଳ ଘର ମହକାଇନଥାଏ ବରଂ ବାତାବରଣକୁ ଶୁଦ୍ଧ କରିବା ସହ ମୁଡ୍ ମଧ୍ୟ ଭଲ କରିଥାଏ । ତେବେ ଆସନ୍ତୁ ଜାଣିବା ଏପରି କିଛି ଏସେନ୍ସିଆଲ ତୈଳରୁ ପ୍ରସ୍ତୁତ ରୁମ୍ ଫ୍ରେଶନର ବିଷୟରେ । ଏହି ଦୀପାବଳିରେ ଘର ସଦସ୍ୟ ଏବଂ ଅତିଥିଙ୍କୁ ମହକର ଏକ ନୂତନ ଅନୁଭୂତି ଦିଅନ୍ତୁ ।
୧. ପେପରମିଣ୍ଟ ତେଲ: ଏହି ତେଲ ରୁମ୍ ଫ୍ରେଶନର ଭାବେ ବ୍ୟବହାର କଲେ ଘରର ବାତାବରଣ ରିଫ୍ରେଶିଂ ଅନୁଭବ ହୋଇଥାଏ । ଏହାର ମହକ ମନକୁ ଶାନ୍ତ କରିବା ସହ ମୁଡ୍ ଭଲ କରିବାରେ ସହାୟକ ହୋଇଥାଏ । ଏଥିପାଇଁ ଏକ କପ୍ ପାଣିରେ ୧୦ ବୁନ୍ଦା ପେପରମିଣ୍ଟ ଏସେନ୍ସିଆଲ ତେଲ ଏବଂ ୫ ବୁନ୍ଦା ନିଳଗିରି ତେଲ ମିଶାଇ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରନ୍ତୁ । ଏହା ପରେ ଘରେ ସ୍ପ୍ରେ କରନ୍ତୁ । ଏହା ଏନର୍ଜି ବୁଷ୍ଟ କରିବାରେ ମଧ୍ୟ ସହାୟକ ହୋଇଥାଏ ।
୨. ସାଇଟ୍ରସ୍ ଜେଷ୍ଟ ଏସେନ୍ସିଆଲ ତେଲ: ଲେମ୍ବୁ ଏବଂ କମଳା ଭଳି ସାଇଟ୍ରସ୍ ଏସେନ୍ସିଆଲ ତେଲ ଘରେ ରିଫ୍ରେଶିଂ ମାହୋଲ ସୃଷ୍ଟି କରିଥାଏ । ଫଳରେ ଘରର ଦୁର୍ଗନ୍ଧ ଦୂର ହେବା ସହ ଚାପ ହ୍ରାସ ହୋଇଥାଏ । ଏଥିପାଇଁ ଗୋଟିଏ କପ୍ ପାଣିରେ ଗୋଟିଏ ବଡ଼ ଚାମଚ ଲେମ୍ବୁ ରସରେ ୧୦ ବୁନ୍ଦା ଲେମନ୍ ଏସେନ୍ସିଆଲ ତେଲ ଏବଂ ୫ ବୁନ୍ଦା ଅରେଞ୍ଜ ଏସେନ୍ସିଆଲ ତେଲ ମିଶାଇ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରନ୍ତୁ । ଏହା ପରେ ରୁମରେ ସ୍ପ୍ରେ କରନ୍ତୁ ।
୩. ଫ୍ଲୋରାଲ ରୁମ୍ ଫ୍ରେଶନର: ବିଭିନ୍ନ ପ୍ରକାର ଫ୍ଲୋରାଲ ଏସେନ୍ସିଆଲ ତେଲ ଉପଲବ୍ଧ ଯାହା ଘରକୁ ଫୁଲର ମହକରେ ଭରିଦିଏ । ଏହା ବ୍ୟକ୍ତିକୁ ଚାପମୁକ୍ତ ରଖିବା ସହ ମାନସିକ ଶାନ୍ତି ପ୍ରଦାନ କରିଥାଏ । ଫଳରେ ବ୍ୟକ୍ତି ରିଲାକ୍ସ ଅନୁଭବ କରିଥାଏ । ଏଥିପାଇଁ ଗୋଟିଏ କପ୍ ପାଣିରେ ୧୦ ବୁନ୍ଦା ଗୋଲାପ ଏସେନ୍ସିଆଲ ତେଲ ଏବଂ ୫ ବୁନ୍ଦା ଜସମିନ୍ ଏସେନ୍ସିଆଲ ତେଲ ମିଶାଇ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରନ୍ତୁ । ଏହା ପରେ ଘରେ ସ୍ପ୍ରେ କରନ୍ତୁ ।