ଭୁବନେଶ୍ୱର ପଳାଶୁଣି ଛକରେ ସିରିଜ ଦୁର୍ଘଟଣା, ୩ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ପଳାଶୁଣି ଛକରେ ସିରିଜ ଦୁର୍ଘଟଣା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ପଛକୁ ପଛ ପିଟିହେଲା ଟ୍ରକ, ବସ୍ ଏବଂ ଅଟୋ। ବସ୍ ଧକ୍କାରେ ଅଟୋରେ ବସିଥିବା ୩ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ଏହି ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ବୃଦ୍ଧଙ୍କୁ କ୍ୟାପିଟାଲ ହସ୍ପିଟାରେ ଭର୍ତ୍ତି କରାଯାଇଛି। ଅନ୍ୟ ଦୁଇଜଣଙ୍କୁ ମଧ୍ୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ତେବେ ଏହି ସିରିଜ ଦୁର୍ଘଟଣା ପାଇଁ ଘଟଣାସ୍ଥଳରେ ଟ୍ରାଫିକ ଜାମ୍ ରହିଛି। ଅନେକ ଯାତ୍ରୀଙ୍କ ଯାତାୟତରେ ବାଧା ଉପୁଜିଛି। ଘଟଣାସ୍ଥଳରେ ପୋଲିସ ଟିମ ପହଞ୍ଚି ଏହାର ସମାଧାନ କରୁଛନ୍ତି।

ଉଲ୍ଲେଖନୀୟ, ଆଜି ସକାଳେ ସ୍କୁଲ ବସକୁ ଯାତ୍ରୀବାହୀ ବସ୍ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଥିଲେ। କଟକ ଖାନନଗର ଟ୍ରାଫିକ ଛକରେ ଏହି ଦୁର୍ଘଟଣାଟି ଘଟିଥିଲା। ଘରୋଇ ଶିକ୍ଷାନୁଷ୍ଠାନର କିଛି ଛାତ୍ରଛାତ୍ରୀଙ୍କୁ ନେଇ ବସଟି ଯାଉଥିବା ବେଳେ ଏହି ଦୁର୍ଘଟଣାଟି ଘଟିଥିଲା। ତେବେ ସ୍କୁଲ ବସକୁ ଧକ୍କା ଦେଇ ଯାତ୍ରୀବାହୀ ବସ୍ ଘଟଣାସ୍ଥଳରୁ ଚମ୍ପଟ ମାରିଛି । ଦୁର୍ଘଟଣା ପରେ ବସର ପାର୍ଶ୍ବଟି କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଇଛି।