ନରକ ଚତୁର୍ଦ୍ଦଶୀ ପଛରେ କ’ଣ ରହିଛି ପୌରାଣିକ କଥା, ଯମରାଜଙ୍କ ପାଖରେ କାହିଁକି ହୁଏ ଦୀପଦାନ

ଓଡ଼ିଶା ଭାସ୍କର: ପ୍ରତି ବର୍ଷ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ଛୋଟି ଦୀପାବଳି ପାଳନ କରାଯାଇଥାଏ । ଏହି ଉତ୍ସବ ଧନତେରସର ପରବର୍ତ୍ତୀ ଦିନ ଏବଂ ଦୀପାବଳିର ପୂର୍ବଦିନ ପାଳନ କରାଯାଇଥାଏ । ଭାରତର ଅଧିକାଂଶ ସ୍ଥାନରେ ଏହି ଦିନକୁ ନରକ ଚତୁର୍ଦ୍ଦଶୀ ଭାବେ ମଧ୍ୟ ପାଳନ କରାଯାଇଥାଏ ।

ପୌରାଣିକ ମାନ୍ୟତା ଅନୁଯାୟୀ ଏକଦା ଭୈମାସୁର ଅର୍ଥାତ ନରକାସୁର ନାମକ ଜଣେ ରାକ୍ଷସର ଅତ୍ୟାଚାରରେ ତିନି ଲୋକ ଥରୁଥିଲା । ସାଧାରଣ ମାନବଙ୍କ ଠାରୁ ଆରମ୍ଭ କରି ଦେବତା ପର୍ଯ୍ୟନ୍ତ ତ୍ରାହି ତ୍ରାହି ଡାକୁଥିଲେ । କିନ୍ତୁ ତାଙ୍କର ବଧ କରିବା ଏତେ ସହଜ ନଥିଲା । କେବଳ ଜଣେ ନାରୀ ହିଁ ତାଙ୍କୁ ବଧ କରିପାରିବ ବୋଲି ବରଦାନ ମିଳିଥିଲା । ନାରୀ ଅବଳା ଓ ଦୁର୍ବଳା ହୋଇଥାଏ । ତେଣୁ ସେ ୧୬ ହଜାର ନାରୀଙ୍କ ଅପହରଣ କରିଥିଲେ । ଏହା ପରେ ଇନ୍ଦ୍ର ଦେବ ଭଗବାନ ଶ୍ରୀ କୃଷ୍ଣଙ୍କ ପାଖରେ ନରକାସୁରଙ୍କ ଅତ୍ୟାଚାରରୁ ସଂସାରକୁ ମୁକ୍ତ କରିବା ପାଇଁ ପ୍ରାର୍ଥନା କରିଥିଲେ । ଇନ୍ଦ୍ର ଦେବଙ୍କ ପ୍ରାର୍ଥନା ସ୍ୱୀକାର କରି ଭଗବାନ ଶ୍ରୀ କୃଷ୍ଣ ତାଙ୍କ ପତ୍ନୀ ସତ୍ୟଭାମାଙ୍କ ସହ ଗରୁଡ଼ରେ ବସି ନରକାସୁରଙ୍କ ପାଖକୁ ଗଲେ । ସତ୍ୟଭାମା କୃଷ୍ଣଙ୍କ ସାରଥି ହୋଇଥିଲେ । ଏବଂ ତାଙ୍କ ସହାୟତାରେ ନର୍କାସୁରଙ୍କ ବଧ କରିଥିଲେ । ଏହା ପରେ ଶ୍ରୀ କୃଷ୍ଣ ସମସ୍ତ ୧୬ ହଜାର ନାରୀଙ୍କୁ ଉଦ୍ଧାର କରିଥିଲେ । ମୁକ୍ତ ହେଲା ପରେ ମଧ୍ୟ ସେମାନେ ଖୁସି ନଥିଲେ କାରଣ ସମାଜ ସେମାନଙ୍କୁ ଅସ୍ୱୀକାର କରିବ । ଏହାର ସମାଧାନ ପାଇଁ ସେମାନେ କୃଷ୍ଣକୁ ନିବେଦନ କରିଥିଲେ । ଷୋହଳ ହଜାର ନାରୀଙ୍କ ସମ୍ମାନ ପାଇଁ ଶ୍ରୀ କୃଷ୍ଣ ସମସ୍ତଙ୍କୁ ବିବାହ କରିଥିଲେ । ଏହି ଖୁସିରେ ନାରୀ ୧୬ ଶୃଙ୍ଗାର କରିଥାଏ ବୋଲି ମାନ୍ୟତା ରହିଛି । ଏହି ଦିନ ଉବଟନ୍ ଲଗାଇ ସ୍ନାନ କଲେ ସୌନ୍ଦର୍ଯ୍ୟ ଏବଂ ସୌଭାଗ୍ୟ ବୃଦ୍ଧି ହୋଇଥାଏ ବୋଲି ମାନ୍ୟତା ରହିଛି । ନରକ ଚତୁର୍ଦ୍ଦଶୀ ଦିନ ୧୪ଟି ଦୀପ ଦାନର ମଧ୍ୟ ପରମ୍ପରା ରହିଛି । ଏହାକୁ ଜୀବନରେ ସକାରାତ୍ମକତା ଏବଂ ଶୁଭତାର ପ୍ରତୀକ ଭାବେ ବିବେଚିତ କରାଯାଇଛି ।

ଅନ୍ୟ ଏକ ମାନ୍ୟତା ଅନୁଯାୟୀ ଏହି ଦିନ ଭଗବାନ ଯମଙ୍କ ନିକଟରେ ୪ ମୁଖି ଦୀପ ପ୍ରଜ୍ଜ୍ୱଳିତ କରାଯାଇଥାଏ । ପ୍ରଦୋଷ କାଳ ଯମଙ୍କ ଉଦ୍ଦେଶ୍ୟରେ ସୋରିଷ ତେଲର ଦୀପ ଜଳାଇବା ଉଚିତ । ଏହା ଦ୍ୱାରା ଯମରାଜ ପ୍ରସନ୍ନ ହୋଇଥାନ୍ତି ଓ ଅକାଳ ମୃତ୍ୟୁରୁ ମୁକ୍ତି ମିଳିଥାଏ । ଏହା ସହ ଘରର ସୁଖ, ଶାନ୍ତି ଓ ସମୃଦ୍ଧି ବଢ଼ିଥାଏ ।