ନୂଆଦିଲ୍ଲୀ: ଅକ୍ଟୋବର ୩୧ ତାରିଖ ସାରା ବିଶ୍ୱ ପାଇଁ ଖୁବ ସ୍ପେସାଲ ହେବାକୁ ଯାଉଛି । ସାରା ଭାରତ ଏହି ଦିନ ଦୀପାବଳି ପାଳନ କରୁଥିବା ବେଳେ କ୍ରିକେଟପ୍ରେମୀ କିଛି ଅନ୍ୟ ଜିନିଷକୁ ଅପେକ୍ଷା କରିଛନ୍ତି । ଅକ୍ଟୋବର ୩୧ ତାରିଖରେ ଆଇପିଏଲ-୨୦୨୫ ପାଇଁ ସମସ୍ତ ଦଳ ଘୋଷଣା କରିବେ ନିଜର ରିଟେନସନ୍ ଲିଷ୍ଟ । ତେବେ ଏହାପୂର୍ବରୁ ରିଟେନସନ ତାଲିକାକୁ ନେଇ ଚର୍ଚ୍ଚା ଜାରି ରହିଛି । ଆଇପିଏଲ-୨୦୨୫ରେ ଧୋନୀ ଖେଳିବା ନେଇ ସୂଚନା ଦେବା ପରେ ଚେନ୍ନାଇ ସୁପର କିଙ୍ଗସର ରିଟେନସନ ଲିଷ୍ଟ ଉପରେ ରହିଛି ସମସ୍ତଙ୍କ ନଜର । କେଉଁ ଖେଳାଳି ମାନଙ୍କୁ ରିଟେନ୍ କରିବ ସିଏସକେ? କାହାକୁ କରିବ ରିଲିଜ?
ଆଇପିଏଲ-୨୦୨୫ ପାଇଁ ଚେନ୍ନାଇରେ କିଛି ଖେଳାଳିଙ୍କ ରିଟେନସନ ସୁନିଶ୍ଚିତ କୁହାଯାଉଛି । ଏହାବ୍ୟତୀତ ଅନ୍ୟ କିଛି ଖେଳାଳିଙ୍କ ଭିତରେ ଏହି ତାଲିକାରେ ସ୍ଥାନ ପାଇବାକୁ ଯୁଦ୍ଧ ଲାଗିପାରେ ।
M.S Dhoni: ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀ ବା ‘ଥାଲା’ । ଆଇପିଏଲ-୨୦୨୫ରେ ଖେଳାଇବା ନେଇ ମାହି ଗ୍ରୀନ ସିଗନାଲ ଦେବା ପରେ ତାଙ୍କର ରିଟେନସନ ସୁନିଶ୍ଚିତ ହୋଇସାରିଛି । ଆସନ୍ତା ସଜନ ପାଇଁ ଚେନ୍ନାଇ ମାହିଙ୍କୁ ଅନକ୍ୟାପ୍ଡ ଖେଳାଳି ଭାବରେ ଦଳରେ ସାମିଲ କରିବା ସୁନିଶ୍ଚିତ । ଧୋନୀଙ୍କୁ ରିଟେନ୍ କରିବା ନେଇ ପୂର୍ବରୁ ଚେନ୍ନାଇ ଫ୍ରାଞ୍ଚାଇଜି ତରଫରୁ ସ୍ପଷ୍ଟ ସୂଚନା ଦିଆସରିଛି । ତେଣୁ ମାହି ଚେନ୍ନାଇ ରିଟେନସନ ତାଲିକାର ସବୁଠୁ ବଡ଼ ନାଁ ରହିବ ।
ଋତୁରାଜ ଗାଏକ୍ୱାଡ: ଦଳର ଅଧିନାୟକ ଏବଂ ଧୋନୀଙ୍କ ଉତ୍ତରାଧିକାରୀ ଭାବରେ ଋତୁରାଜ ଦାୟିତ୍ୱ ତୁଲାଉଛନ୍ତି । ଏହାବ୍ୟତୀତ ୟେଲୋ ଆର୍ମି ପାଇଁ ଋତୁରାଜ ବର୍ତ୍ତମାନ ସର୍ବଶ୍ରେଷ୍ଠ ଓପନର ତାଲିକାରେ ମଧ୍ୟ ରହିଛନ୍ତି । ତେଣୁ ଋତୁରାଜ ଆଗାମୀ ସିଜନ ପାଇଁ ରିଟେନ୍ ରହିବା ସହ ଦଳର ଅଧିନାୟକ ଦାୟିତ୍ୱରେ ରହିପାରନ୍ତି । ଚେନ୍ନାଇ ତାଙ୍କୁ ୧୮ କୋଟି ଟଙ୍କାରେ ରିଟେନ୍ କରିପାରେ ।
ରବିନ୍ଦ୍ର ଜାଡେଜା: ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଚେନ୍ନାଇ ପାଇଁ ଜାଣେ ପ୍ରମୁଖ ସଦସ୍ୟ ଭାବରେ ରହିଛନ୍ତି । ୨୦୨୩ରେ ଦଳକୁ ଚମ୍ପିଆନ୍ କରିବାରେ ଜାଡେଜାଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଏହାବ୍ୟତୀତ ବ୍ୟାଟିଂ ଏବଂ ବୋଲିଂ ସହ ଫିଲ୍ଡିଂରେ ମଧ୍ୟ ଜାଡେଜା ଚେନ୍ନାଇ ପାଇଁ ବେଶ୍ ସୁନ୍ଦର ପ୍ରଦର୍ଶନ କରିଛନ୍ତି । ତେଣୁ ତାଙ୍କ ପାଇଁ ମଧ୍ୟ ଚେନ୍ନାଇ ୧୮ କୋଟି ଟଙ୍କା ଖର୍ଚ୍ଚ କରି ରିଟେନ୍ କରିପାରେ ।
ଶିବମ ଦୁବେ: ଚେନ୍ନାଇ ସୁପର କିଙ୍ଗସ ଦଳରେ ସାମିଲ ହେବା ଦିନରୁ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି ଶିବମ ଦୁବେ । ଦଳର ମଧ୍ୟକ୍ରମରେ ଧୂଆଁଦାର ବ୍ୟାଟିଂ ସହ ଦଳ ପାଇଁ ଫିନିଶର ଭୂମିକା ମଧ୍ୟ ସେ ଗ୍ରହଣ କରିଛନ୍ତି । ତେଣୁ ଧୋନୀଙ୍କ ଉତ୍ତରାଧିକାରୀ ଫିନିଶର ଦାୟିତ୍ୱ ପାଇଁ ଶିବମ ଦୁବେଙ୍କୁ ମଧ୍ୟ ରିଟେନ୍ କରିପାରେ ଚେନ୍ନାଇ ।
ମଥୀଶା ପଥିରାନା: ଶ୍ରୀଲଙ୍କାର ଷ୍ଟାର ବୋଲର ତଥା ଚେନ୍ନାଇର ୟର୍କର କିଙ୍ଗ ମଥୀଶା ପଥିରାନା ମଧ୍ୟ ଚେନ୍ନାଇ ପାଇଁ ଦମଦାର ପ୍ରଦର୍ଶନ କରିଛନ୍ତି । ତେବେ ସେ ଆଗାମୀ ସିଜନରେ ଅକ୍ସନକୁ ଆସିଲେ ଅଧିକ ଦାମରେ ବିକ୍ରି ହୋଇପାରନ୍ତି । ତେଣୁ ପଥିରାନାଙ୍କୁ ମଧ୍ୟ ଦଳ ରିଲିଜ କରିବା ପୂର୍ବରୁ ଚିନ୍ତା କରିପାରେ । ଦଳରେ ତାଙ୍କୁ ମଧ୍ୟ ରିଟେନ୍ କରିପାରେ ଚେନ୍ନାଇ ସୁପର କିଙ୍ଗସ ।
ଚେନ୍ନାଇ ସୁପର କିଙ୍ଗସ ଆଗାମୀ ସିଜନ ପାଇଁ ଏହି ୫ ଜଣ ଖେଳାଳିଙ୍କୁ ରିଟେନ୍ କରିବାର ସମ୍ଭାବନା ଅଧିକ ରହିଛି । ଏହାବ୍ୟତୀତ ଦୀପକ ଚହର, ରଚିନ ରବିନ୍ଦ୍ର, ମିଚେଲ ସାଣ୍ଟନର ଏବଂ ଡିଭନ କନୱେଙ୍କ ଭଳି ଖେଳାଳିଙ୍କ ମଧ୍ୟରୁ କିଛି ଖେଳାଳିଙ୍କୁ ରାଇଟ ଟୁ ମ୍ୟାଚ କାର୍ଡ ବ୍ୟବହାର କରି ଦଳରେ ସାମିଲ କରିବାକୁ ଚେଷ୍ଟା କରିବ । ମାହିଙ୍କ ବ୍ୟତୀତ ସିମରଜିତ ସିଂହ କିମ୍ବା ମୁକେଶ ଚୌଧୁରୀଙ୍କ ଭଳି ଅନ୍ୟ କୌଣସି ଖେଳାଳିଙ୍କୁ ଅନକ୍ୟାପ୍ଡ ଖେଳାଳି ଭାବରେ ଦଳରେ ସାମିଲ କରାଯାଇପାରେ ।