ଶୀତ ଋତୁ ଆରମ୍ଭ ହେବାକୁ ଯାଉଛି । ଦଶହରା ଏବଂ ଦୀପାବଳି ସମୟରେ ଋତୁ ବଦଳିବା ଆରମ୍ଭ କରେ । ତାପମାତ୍ରାର ଅସ୍ଥିରତା ଥଣ୍ଡା, କାଶ ଏବଂ ଜ୍ୱର ଭଳି ସମସ୍ୟା ବଢ଼ାଇଥାଏ । ଏହାର ସବୁଠାରୁ ବଡ କାରଣ ହେଉଛି ଶୀତରେ ଇମ୍ୟୁନିଟି କମ୍ ହେବା । ତଥାପି, ଆପଣ ନିଜ ଖାଦ୍ୟରେ ଉନ୍ନତି କରି ରୋଗ ପ୍ରତିରୋଧକ ଶକ୍ତି ମଜବୁତ କରିପାରିବେ । ଆମେ ପ୍ରତିଦିନ ଖାଉଥିବା ଏଭଳି ଅନେକ ଖାଦ୍ୟରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ, ଯାହା ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ।
ଶୀତ ଆରମ୍ଭ ହେବା ପୂର୍ବରୁ ଯଦି ଆପଣ ଏହି ସବୁ ଖାଦ୍ୟକୁ ନିଜ ଡାଏଟରେ ସାମିଲ କରନ୍ତି, ତେବେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହେବ ଏବଂ ଆପଣ ରୋଗରୁ ରକ୍ଷା ପାଇପାରିବେ । ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟ ଗୁଡିକ ବିଷୟରେ…
ହଳଦୀ:
ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ହଳଦୀ ଭଲ ବୋଲି ବିବେଚନା କରାଯାଏ । ହଳଦୀ ଅଷ୍ଟିଓଆର୍ଥ୍ରାଇଟିସ୍ ଏବଂ ରିମାଟଏଡ୍ ଆର୍ଥ୍ରାଇଟିସ୍ ଚିକିତ୍ସାରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଭାବରେ କାମ କରେ । ଅନେକ ଡାଏଟିସିଆନ୍ ଏହାକୁ ଡାଏଟ୍ ରେ ସାମିଲ କରିବାକୁ ପରାମର୍ଶ ଦିଅନ୍ତି । ହଳଦୀରେ କର୍କୁମିନ୍ ନାମକ ଏକ ଉପାଦାନ ମିଳିଥାଏ, ଯାହା ଆମ ଶରୀର ପାଇଁ ଇମ୍ୟୁନିଟି ବୁଷ୍ଟର ଭାବରେ କାର୍ଯ୍ୟ କରିଥାଏ । ହଳଦୀ ସହିତ ମିଶ୍ରିତ କ୍ଷୀର ପିଇବା ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।
ଅଦା:
ଶୀତଦିନେ ଆମ ସ୍ୱାସ୍ଥ୍ୟ ଠିକ ରଖିବା ପାଇଁ ଅଦା ଏକ ବରଦାନ ସଦୃଶ ହୋଇଥାଏ । ଅଦା ଗଳା ଯନ୍ତ୍ରଣା, ଥଣ୍ଡା ଏବଂ କାଶ ଭଳି ଅନେକ ରୋଗରୁ ମୁକ୍ତି ଦେଇଥାଏ । ଯେଉଁମାନଙ୍କର ବାନ୍ତି ହୁଏ ଏହି ସମସ୍ୟାରୁ ମଧ୍ୟ ଅଦା ମୁକ୍ତି ଦେଇପାରେ । ଅଦାରେ କ୍ୟାପସାଇସିନ୍ ନାମକ ଏକ ଉପାଦାନ ମିଳିଥାଏ, ଯାହା ଆମ ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ।
ରସୁଣ:
ରସୁଣ ଥଣ୍ଡା ଏବଂ କାଶରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏହା କେବଳ ଖାଦ୍ୟର ସ୍ୱାଦ ବଢ଼େ ନାହିଁ ବରଂ ଔଷଧ ଭାବରେ ମଧ୍ୟ କାମ କରେ । ରସୁଣ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ମଧ୍ୟ ସହାୟକ ହୋଇଥାଏ । ଏହାର ଔଷଧୀୟ ଗୁଣ ସିଜିନାଲ ଇନଫେକ୍ସନରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଶୀତ ଋତୁ ଆରମ୍ଭ ପୂର୍ବରୁ ଆପଣ ଏହାକୁ ନିଜ ଖାଦ୍ୟରେ ସାମିଲ କରିବା ନିହାତି ଜରୁରୀ ।
ଖଟା ଫଳ:
ଶୀତଦିନେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସାଇଟ୍ରସ୍ ଅର୍ଥାତ ଖଟା ଫଳ ଉପକାରୀ ହୋଇପାରେ । ଯେପରିକି କମଳା, ଲେମ୍ବୁ, ଅଙ୍ଗୁର ଇତ୍ୟାଦି । ଶୀତ ଋତୁ ପୂର୍ବରୁ, ପ୍ରଚୁର ପରିମାଣରେ ଫଳ ଏବଂ ପନିପରିବା ଖାଇବା ଉଚିତ୍ । ଏହା ଶରୀରକୁ ଭିଟାମିନ୍ ସି ଏବଂ ଅନେକ ଆଣ୍ଟିଅକ୍ସିଡାଣ୍ଟ ଯୋଗାଇଥାଏ, ଯାହା ଆମ ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରିଥାଏ ।
ବାଦାମ:
ଶୀତ ଋତୁରେ ଡ୍ରାଏ ଫ୍ରୁଟସ ଖାଇବା ମଧ୍ୟ ଭଲ ବୋଲି ବିବେଚନା କରାଯାଏ । ଶୀତ ଋତୁ ପାଇଁ ଆଲମଣ୍ଡ ସବୁଠାରୁ ଉପଯୁକ୍ତ ବୋଲି କୁହାଯାଏ । ଏହା ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରିଥାଏ ଏବଂ ଶରୀରକୁ ସୁସ୍ଥ ରଖେ । ଏହା ବ୍ୟତୀତ ଗୁଡ଼ ଏବଂ ମହୁ ଭଳି ଜିନିଷ ଖାଇବା ଦ୍ୱାରା ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଶୀତଦିନେ ଏହିଭଳି କିଛି ଖାଦ୍ୟକୁ ଆପଣ ନିଜ ଡାଏଟରେ ସାମିଲ କରିବା ଦ୍ୱାରା ଆପଣ ଅନେକ ରୋଗରୁ ମୁକ୍ତି ପାଇପାରିବେ ଏବଂ ଆପଣଙ୍କ ଇମ୍ୟୁନିଟି ସିଷ୍ଟମ ମଧ୍ୟ ମଜବୁତ ରହିବ ।