MUDA ଦୁର୍ନୀତି: କର୍ଣ୍ଣାଟକ ସିଏମ୍ ସିଦ୍ଦରମୈୟାଙ୍କୁ ଲୋକାୟୁକ୍ତ ସମନ୍, ଆସନ୍ତା ୬ରେ ପଚରାଉଚରା ପାଇଁ ହାଜର ହେବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ମହୀଶୂର ଅର୍ବାନ ଡେଭଲପମେଣ୍ଟ ଅଥୋରିଟୀ(ମୁଦା) ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ସମନ ଜାରିକରିଛି ଲୋକାୟୁକ୍ତ ପୋଲିସ । ଏଥିପାଇଁ ତାଙ୍କୁ ଅଧିକ ପଚରାଉଚରା ପାଇଁ ନଭେମ୍ବର ୬ରେ ହାଜର ହେବାକୁ କୁହାଯାଇଛି । କହିରଝୁଛୁ ଅକ୍ଟୋବର ୨୫ରେ ମୁଦା ଦୁର୍ନୀତି ଘଟଣାରେ ସିଦ୍ଦରମୈୟାଙ୍କ ପତ୍ନୀ ପାର୍ବତୀଙ୍କୁ ଜେରା କରାଯାଇଥିଲା ।
ମୁଦା ଦୁର୍ନୀତି ଅଭିଯୋଗ ପ୍ରସଙ୍ଗରେ ଅଧିକ ସ୍ପଷ୍ଟତା ପାଇଁ ଲୋକାୟୁକ୍ତ ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନଙ୍କୁ ଜେରା କରିବାକୁ ଚାହୁଁଛି । ପୂର୍ବରୁ ସିଦ୍ଦରମୈୟା ଏହି ପ୍ରସଙ୍ଗରେ ନିଜର ପକ୍ଷ ରଖିଥିଲେ କି ସେ କିମ୍ବା ତାଙ୍କ ପରିବାର କୌଣସି ଭୁଲ କରି ନାହାନ୍ତି । ବିରୋଧୀ ତାଙ୍କୁ ଡରୁଛନ୍ତି ଓ ଏଥିପାଇଁ ରାଜନୀତିକ ମାମଲା କରିଥିବା ସେ କହିଥିଲେ । ଅକ୍ଟୋବର ୨୯ରେ ମୁଦାର ପୂର୍ବତନ କମିଶନର ଡିବି ନତେଶଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲେ । ମହୀଶୂର ଜମି ଦୁର୍ନୀତି ମାମଲା ସହ ଜଡ଼ିତ ଗୋଟିଏ ମନି ଲଣ୍ଡରିଂ ମାମଲାରେ ଏପରି ଗିରଫଦାରୀ କରାଯାଇଥିଲା । ମୁଦା ପକ୍ଷରୁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପତ୍ନୀ ପାର୍ବତୀଙ୍କୁ ତାଙ୍କ ଭାଇ ମଲ୍ଲିକାର୍ଜୁନ ସ୍ୱାମୀଙ୍କ ଜରିଆରେ ୩.୨ ଏକର ଜମି ଦିଆଯାଇଥିଲା । ମୁଦା ପ୍ରଥମେ ପାର୍ବତୀଙ୍କ ଜମିକୁ ବିକାଶମୂଳକ କାର୍ଯ୍ୟ ପାଇଁ ଅଧିଗ୍ରହଣ କରିଥିଲା । ଏହାପରେ ପାର୍ବତୀ କ୍ଷତିପୂରଣ ମାଗିଥିଲେ । ଏହି ପରିପ୍ରେକ୍ଷୀରେ ସେପ୍ଟେମ୍ବର ୨୭ରେ ଲୋକାୟୁକ୍ତ ପୋଲିସ ସିଦ୍ଦରମୈୟା, ତାଙ୍କ ପତ୍ନୀ ପାର୍ବତୀ, ଶଳା ମଲ୍ଲିକାର୍ଜୁନ ସ୍ୱାମୀ ଓ ଦେବରାଜୁଙ୍କ ନାଁରେ ଏଫଆଇଆର ରୁଜୁ କରିଥିଲା । ପାର୍ବତୀଙ୍କୁ ମହୀଶୂର ଅଞ୍ଚଳର ସବୁଠାରୁ ଦାମୀ ଜାଗାରେ ବିଜୟନଗର ଫେଜ ୩ରୁ ୪ରେ ଏହି ୧୪ଟି ପ୍ଲଟ ମିଳିଥିଲା । ସହର ନିକଟରେ ଥିବା ଏକ ଗାଁରେ ୩.୧୬ ଏକର ଜମି ପାର୍ବତୀଙ୍କ ନାଁରେ ରହିଥିଲା । ଏହାକୁ ମୁଦା ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ଅଧିଗ୍ରହଣ କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଭାବେ ଜମି ଆବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଅନିୟମତତାକୁ ଯୋଗୁ ରାଜ୍ୟ ରାଜକୋଷକୁ ୪୫ କୋଟି ଟଙ୍କା କ୍ଷତି ହୋଇଥିବା କିଛି ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି । ଏହା ପରେ ଚାଲିଥିବା ବିବାଦ ଆଧାରରେ ସିଦ୍ଦରମୈୟାଙ୍କ ବିରୋଧରେ ଇଡି ଓ ଲୋକାୟୁକ୍ତ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିଲା ।