ICC ଆରମ୍ଭ କରିବ ଏକ ନୂଆ ଟୁର୍ଣ୍ଣାମେଣ୍ଟ: ୫୦ ବର୍ଷ ପରେ ଖେଳାଯିବ ଐତିହାସିକ ଟେଷ୍ଟ ମ୍ୟାଚ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପ୍ରତିବର୍ଷ ଏକ ନୂଆ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଲକ୍ଷ୍ୟ ରଖିଥିବା ବେଳେ ତା’ ଉପରେ କ୍ରମାଗତ କାମ ଜାରି ରଖିଛି । ପୁରୁଷ କ୍ରିକେଟରେ ୨୦୩୨ ମସିହା ପର୍ଯ୍ୟନ୍ତ ଏହାର ପ୍ରସ୍ତୁତି ସରିଛି । ଅନ୍ୟପକ୍ଷରେ ମହିଳା କ୍ରିକେଟରେ ମଧ୍ୟ ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆଇସିସି ନୂଆ ଟୁର୍ଣ୍ଣାମେଣ୍ଟ କରିବାକୁ ଯାଉଛି । ୨୦୨୭ରେ ଏହାର ପ୍ରଥମ ସଂସ୍କରଣ ଖେଳାଯିବ । ଆଇସିସିର ଏହି ନୂଆ ଟୁର୍ଣ୍ଣାମେଣ୍ଟ ଆଗାମୀ କିଛି ବର୍ଷ ପାଇଁ କ୍ରୀଡ଼ାପ୍ରେମୀଙ୍କୁ ବହୁମାତ୍ରାରେ ମନୋରଞ୍ଜନ କରିବ ।

ଏଥିସହିତ ପାଖାପାଖି ୫୦ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ଏକ ଖାସ୍ ଟେଷ୍ଟ ମ୍ୟାଚ ଖେଳାଯିବ । ୨୦୨୫ ମସିହା ନଭେମ୍ବର ୪ରୁ ୨୦୧୯ ପର୍ଯ୍ୟନ୍ତ ୱିମେନ୍ସ ଫ୍ୟୁଚର ଟୁର ପ୍ରୋଗ୍ରାମ (ଏଫଟିପି)ର ଘୋଷଣା କରାଯାଇଥିବା ବେଳେ ସେଥିରେ ମହିଳା କ୍ରିକେଟରେ ଟେଷ୍ଟ ମ୍ୟାଚ ସଂଖ୍ୟା ବୃଦ୍ଧି ସହିତ ଅନ୍ୟ କିଛି ଖାସ୍ ସିରିଜର ମଧ୍ୟ ଘୋଷଣା ହୋଇଛି । ଏହି ଏଫଟିପିରେ ଭାରତୀୟ ମହିଳା କ୍ରିକେଟ ଟିମର କିଛି ଗୁରୁତ୍ୱପୂର୍ଣ୍ଣ ମୁକାବିଲାର ମଧ୍ୟ ଖୁଲାସା ହୋଇଛି । ସେଥିରେ ଟିମ୍ ଇଣ୍ଡିଆ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିବ । ଏହି ଏଫଟିପିରେ ଭାରତ ମୋଟ ୪ଟି ଟେଷ୍ଟ ମ୍ୟାଚ ଖେଳିବ । ସେଥିମଧ୍ୟରୁ ୨୦୨୬ରେ ଦୁଇଟି ମ୍ୟାଚ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯିବ । ଅନ୍ୟ ୨ ଟେଷ୍ଟ ମ୍ୟାଚ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ ଖେଳିବ । ସବୁଠାରୁ ଖାସ୍ କଥା ହେଉଛି, ୨୦ ବର୍ଷର ବ୍ୟବଧାନ ପରେ ୱେଷ୍ଟଇଣ୍ଡିଜ ମହିଳା କ୍ରିକେଟ ଟିମ୍ ରେଡ୍ ବଲ କ୍ରିକେଟରୁ ଫେରୁଛି । ୧୯୭୬ରେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୫୦ ବର୍ଷ ପରେ ଐତିହାସି ଟେଷ୍ଟ ମ୍ୟାଚ ଖେଳାଯିବ । ୨୦୦୩-୨୪ରେ ଶେଷ ଥର ପାଇଁ ପାକିସ୍ତାନ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିଥିବା ୱେଷ୍ଟଇଣ୍ଡିଜ ମହିଳା ଟିମ୍ ପୁଣି ଥରେ ଟେଷ୍ଟ ଖେଳିବ । ୨୦୨୬ ଓ ୨୦୨୮ ମଧ୍ୟରେ ୱେଷ୍ଟଇଣ୍ଡିଜ ଟିମ୍ ୩ଟି ଟେଷ୍ଟ ମ୍ୟାଚ ଖେଳିବ ।

ଏହାଛଡ଼ା ଆଇସିସି ଏକ ନୂଆ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ଯାଉଛି । ଚାମ୍ପିୟନ୍ସ ଟ୍ରଫି ପୁରୁଷ କ୍ରିକେଟ ପରି ଏହା ଦିନିକିଆ ନୁହେଁ, ବରଂ ଟି-୨୯ ଫର୍ମାଟରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଏଡିସର ୨୦୨୭ରେ ଖେଳାଯିବ ଓ ଟୁର୍ଣ୍ଣାମେଣ୍ଟର ଆୟୋଜନ ଶ୍ରୀଲଙ୍କାରେ କରାଯିବ । ପୁରୁଷ ଚାମ୍ପିୟନ୍ସ ଟ୍ରଫି ପରି ଏଥିରେ କମ୍ ଟିମ୍ ଅଂଶଗ୍ରହଣ କରାଯିବ । ମୋଟ ୬ଟି ଟିମ୍ ମଧ୍ୟରେ ୧୬ଟି ମ୍ୟାଚ ଖେଳାଯିବ । ପ୍ରତିବର୍ଷ ଏକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଆଇସିସିର ଲକ୍ଷ୍ୟ ରହିଛି । ଏଥିସହିତ ଆଇସିସି ୨୦୨୬ରୁ ୨୦୨୯ ପର୍ଯ୍ୟନ୍ତ ୩ଟି ବଡ଼ ଟି-୨୦ ଲିଗ ପାଇଁ ୱିଣ୍ଡୋ ସ୍ଥିର କରିଛି । ଏହାର ବଡ଼ ପ୍ରଭାବ ବିସିସିଆଇର ଲିଗ ଡବ୍ଲ୍ୟୁପିଏଲ ଉପରେ ପଡ଼ଇବ ।