ୱାସିଂଟନ: ଆମେରିକାରେ ଗତକାଲି ରାଷ୍ଟ୍ରପତି ନିର୍ବାଚନ ଚାଲିଥିବା ବେଳେ ଏକ ବଡ ଅଘଟଣ ଘଟିବା ଆଗରୁ ତାକୁ ଅଟକାଇଦେଇଛି ୟୁଏସ କ୍ୟାପିଟାଲ ପୋଲିସ । ଜଣେ ସନ୍ଦିଗ୍ଧଙ୍କୁ ଏଥିପାଇଁ ମଧ୍ୟ ଗିରଫ କରାଯାଇଛି । ବ୍ୟକ୍ତି ଜଣଙ୍କ ନିର୍ବାଚନ ଚାଲିଥିବା ବେଳେ ଆମେରିକା ସଂସଦ ଆଗରେ ଆତ୍ମାହୁତି କରିବାର ଉଦ୍ୟମ କରିଥିଲେ ।
ଘଟଣାକୁ ନେଇ ପୋଲିସ ତରଫରୁ କୁହାଯାଇଛି କି, ଭିତରେ ଭୋଟିଂ ପ୍ରକ୍ରିୟା ଚାଲିଥିଲା । ସଂସଦ ବାହାରେ ଜନଗହଳି ରହିଥିଲା । ତେବେ ହଠାତ୍ ପେଟ୍ରୋଲ ଗନ୍ଧ ହୋଇଥିଲା । ପୋଲିସ ତୁରନ୍ତ ସେହି ୱେଟିଂ ଏରିଆକୁ ବନ୍ଦ କରି, ଗନ୍ଧ ଆସୁଥିବା ଦିଗକୁ ଧାଇଁଥିଲେ । ଜଣେ ବ୍ୟକ୍ତି ଦେହରେ ପେଟ୍ରୋଲ ଢାଳିଥିବା ଦେଖିବାକୁ ମିଳିଥିଲା । ସେହି ଲୋକ ନିକଟରୁ ପୋଲିସ ଏକ ଫ୍ଲେୟାର ବନ୍ଧକ ମଧ୍ୟ ଜବତ କରିଥିଲା ।
ସେପଟେ ଆମେରିକାର ବିଭିନ୍ନ ରାଜ୍ୟରେ ମତଦାନ ସ୍ଥାନରେ ନକଲି ବୋମା ଧମକ ଆସିଥିବା ଏଫବିଆଇ ତରଫରୁ ସୂଚନା ଦିଆଯାଇଛି । ରୁଷର ଏକ ଇମେଲ ଡୋମେନରୁ ଏହି ମେଲ ପଠାଯାଇଥିବା ତଦନ୍ତରୁ ଜଣାପଡିଛି । ମୁଖ୍ୟତଃ ମିଶିଗନ, ୱିସ୍କୋସିନ ଓ ଜର୍ଜିଆକୁ ଏପରି ଧମକପୂର୍ଣ୍ଣ ମେଲ ଆସିଥିଲା । ତୁରନ୍ତ ସ୍ଥାନୀୟ ପୋଲିସ ସତର୍କ ହେବା ସହ ଆକ୍ସନ ମୋଡକୁ ଆସିଥିଲା । ତେବେ ଯାଞ୍ଚ ପରେ କୌଣସି ସ୍ଥାନରୁ କିଛି ସନ୍ଦିଗ୍ଧ ସାମଗ୍ରୀ ମିଳିନଥିଲା । ପୋଲିସ ଜାଣିବାକୁ ପାଇଥିଲା କି, ଏହି ଆଲର୍ଟ ଥିଲା ଗୁଜବ ।
ତେବେ ଆମେରିକାରେ ନିର୍ବାଚନରେ ପ୍ରରମ୍ଭିକ ସୂଚନା ମୁତାବକ ଡୋନାଲ୍ଡ ଟ୍ରମ୍ପ ଆଗରେ ରହିଛନ୍ତି । ଟ୍ରେମ୍ପ ୧୭୮ ଆସନରେ ଆଗରେ ଥିବା ବେଳେ କମଳା ହାରିସ ୯୯ ସିଟରେ ଅଟକି ଯାଇଛନ୍ତି । ପ୍ରାର୍ଥୀଙ୍କୁ ବିଜୟୀ ହେବାକୁ ୨୭୦ ଭୋଟର ଆବଶ୍ୟକତା ରହିଛି ।