ଭୁବନେଶ୍ୱର: ରାଜଧାନୀରେ ଲଭ ଜିହାଦ । କାଶ୍ମୀରରୁ ଆସିଥିବା ଯୁବକକୁ କାବୁକଲା ପୋଲିସ । ପୀଡିତା ଯୁବତୀଙ୍କ ତରଫରୁ ଆସିଲା ସଂଗୀନ ଅଭିଯୋଗ । ସମ୍ପୃକ୍ତ ଯୁବକ ତାଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରିବା ପରେ ପ୍ରେମ ଜାଲରେ ଫସାଇଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ଚରମ ସୀମାରେ ପହଞ୍ଚିବା ବେଳକୁ ଅଭିଯୁକ୍ତ କହିଥିଲା ଧର୍ମ ପରିବର୍ତ୍ତନ କରିବା ପାଇଁ । ଏହା ଶୁଣି ପୀଡିତା ଦୂରେଇ ଯିବାକୁ ଚାହିଁବାରୁ କରୁଥିଲା ବ୍ଲାକମେଲ ।
ଭୁବନେଶ୍ୱର ମହିଳା ଥାନାରେ କାଶ୍ମୀରର ଯୁବକ ଅଟକ । ଜଗତସିଂହପୁରର ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ସେହି ଯୁବକଙ୍କୁ ଗିରଫ କରିଛି । ଯୁବତୀଙ୍କ ଅଭିଯୋଗ କି ଏକ ଗେମିଂ ପ୍ଲାଟଫର୍ମରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ପରେ ଦୁହେଁ ଦୁହିଁଙ୍କୁ ପ୍ରେମ କରିଥିଲେ । ଏହା ପରେ ଯୁବକ, ଯୁବତୀଙ୍କୁ ଧର୍ମ ପରିର୍ତ୍ତନ କଲେ ହିଁ ବିବାହ କରିବା ସମ୍ଭବ ବୋଲି କହିବା ସହ ଧର୍ମ ବଦଳାଇବାକୁ ଚାପ ପକାଇଥିଲେ । ତା ନିକଟରେ ଥିବା ଯୁବତୀଙ୍କ କିଛି ଅସଂଯତ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିବ କହି ବ୍ଲାକ ମେଲ ମଧ୍ୟ କରୁଥିଲା ।
ବ୍ଲାକ ମେଲ କରି ସେ ଯୁବତୀଙ୍କ ପରିବାର ଠାରୁ ୫ ଲକ୍ଷ ନେଇଛି । ଏବେ ସେ ଯୁବତୀଙ୍କୁ ତା ସାଙ୍ଗରେ ନେବା ପାଇଁ ଭୁବନେଶ୍ୱର ଆସିଥିବା ବେଳେ ପୋଲିସ ତାକୁ ଗିରଫ କରିଛି । ଅଭିଯୁକ୍ତର ନାଁ ସମୀର ମନସୁର । ତାର ଘର ବିହାରରେ ଓ କାଶ୍ମୀରରେ କାମ କରୁଛି । ସମୀର ନାଁରେ ସେ ଅଭିଯୋଗକାରିଣୀଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲା । ଯେତେବେଳେ ସେ ଧର୍ମପରିବର୍ତ୍ତନ ପାଇଁ ବାଧ୍ୟ କଲା, ସେତେବେଳେ ଯୁବତୀ ଜାଣିଲେ କି ସେ ମୁସଲମାନ । ଏହି ଘଟଣାରେ ଯୁବତୀ ଜଣେ ମହିଳା ଆଇନଜୀବୀଙ୍କ ସହାୟତାରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିୟୁକ୍ତ ବିରୋଧରେ ଏକାଧିକ ମାମଲା ଦାୟର କରିଛି ।