ନୂଆଦିଲ୍ଲୀ: ଅନେକ ସମୟରେ କିଛି ମହିଳାଙ୍କ ଗର୍ଭରୁ ଅସାଧାରଣ ଶିଶୁ ଜନ୍ତ ନେଇଥାନ୍ତି । ଏଭଳି ଶିଶୁଙ୍କୁ ନେଇ ଆଖପାଖରେ ବେଶ୍ ଚର୍ଚ୍ଚା ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ରାଜସ୍ଥାନର ବିକାନେର ଜିଲ୍ଲାରୁ ଆସିଛି ଏକ ଅଜବ ମାମଲା । ଏଲିଅନ୍ ପରି ଦେଖାଯାଉଥିବା ଯମଜ ସନ୍ତାନ ଜନ୍ମ ନେଇଛନ୍ତି । ଏହି ସନ୍ତାନଙ୍କୁ ଦେଖି ସେମାନଙ୍କୁ ଜନ୍ମ ଦେଇଥିବା ମହିଳା ଓ ହସ୍ପିଟାଲର ଡାକ୍ତର, ନର୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଶିଶୁମାନେ ଏକ ଦୁର୍ଲ୍ଲଭ ବିମାରୀର ଶିକାର ହେବା ସହ ସେମାନଙ୍କର ତ୍ୱଚା ପ୍ଲାଷ୍ଟିକ୍ ପରି ଦେଖାଯାଉଥିଲା । ଏଥିସହିତ ଯମଜ ସନ୍ତାନଙ୍କ ଶରୀରର ଚର୍ମ ବହୁତ ଶକ୍ତ ରହିଥିଲା । ଏକ ଘରୋଇ ହସ୍ପିଟାଲରେ ଏହି ଶିଶୁମାନେ ଜନ୍ମଗ୍ରହଣ କରିଥିଲେ ।
ଶିଶୁଙ୍କର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହେବା କାରଣରୁ ସେମାନଙ୍କୁ ବିକାନେର ସ୍ଥିତ ପିବିଏମ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ଓ ସେଠାରେ ସେମାନଙ୍କର ଅବସ୍ଥା ସ୍ଥିର ରହିଥିବା କୁହାଯାଉଛି । ଏହା ବୋଧହୁଏ ଦେଶର ପ୍ରଥମ ମାମଲା ବୋଲି ଡାକ୍ତର କହିଛନ୍ତି । ଏହି ବୀମାରୀ ବେଶ୍ ଦୁର୍ଲ୍ଲଭ ହୋଇଥିବା ବେଳେ ୩-୫ ଲକ୍ଷ ଶିଶୁଙ୍କ ମଧ୍ୟରୁ ଜଣେ ଏହି ରୋଗରେ ଶିକାର ହୋଇଥାନ୍ତି । ଲକ୍ଷ ଲକ୍ଷ ଶିଶୁଙ୍କ ମଧ୍ୟରୁ ଜଣଙ୍କ ଠାରେ ଏପରି ସ୍ଥିତି ଦେଖିବାକୁ ମିଳିଥାଏ । ଏହି ବୀମାରିରେ ପୀଡ଼ିତ ଶିଶୁମାନେ କେବଳ ଏକ ସପ୍ତାହ ପର୍ଯ୍ୟନ୍ତ ଜୀବିତ ରହିଥାନ୍ତି ଓ ସେମାନଙ୍କର ମୃତ୍ୟୁ ହାର ୫୦ ପ୍ରତିଶତ ପର୍ଯ୍ୟନ୍ତ ହୋଇଥାଏ । ପିତାମାତାଙ୍କ ଜୀନରେ ଗଡ଼ବଡ଼ି କାରଣରୁ ନବଜାତଙ୍କୁ ଏଭଳି ବୀମାରୀ ହୋଇଥାଏ ବୋଲି ଡାକ୍ତର କହିଥିଲେ ।