ଓଡିଶା ଭାସ୍କର- ସୋସିଆଲ ମିଡିଆରେ ଏବେ ଏକ ଫଟୋ ଭାଇରାଲ ହେଉଛି । ଜଣେ ବୃଦ୍ଧ ଫୁଲ ଜୋସରେ ଡ୍ୟାନ୍ସ କରୁଛନ୍ତି । ଚାରି ପାଖରେ ଅନେକ ଲୋକ ଠିଆ ହୋଇ ତାଙ୍କ ନାଚ ଦେଖୁଛନ୍ତି, ଆଉ ସେହିଠାରେ ଏକ କଫିନ ରହିଛି ଶେଷ ଯାତ୍ରା ପାଇଁ । ଏହି ଭିଡିଓ ମନକୁ ଆନ୍ଦୋଳିତ କରିବା ପରି । ଜଣେ କେମିତି ଅନ୍ୟଜଣଙ୍କ ମୃତ୍ୟୁରେ ଏତେ ଖୁସି ହୋଇପାରେ, କେମିତି ତାର ଶେଷ ଯାତ୍ରାରେ ଖୁସିରେ ନାଚିପାରେ । ଜେଜେଙ୍କ ଜୀବନ ବା ହୋଇଥାନ୍ତି ନାତି ଓ ନାତୁଣୀ । କଣ ଏମିତି ଶତ୍ରୁତା ଥିଲା ଏମାନଙ୍କ ଭିତରେ?
ତେବେ ଏହି ବୃଦ୍ଧ ନାତିର କଫିନ ଆଗରେ ନାଚିବାର କାରଣ ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ । ହୃଦୟ ଭାରି ହୋଇଯିବ ଓ ଏହି ବୃଦ୍ଧ କେତେ କଷ୍ଟରେ ନାଚିଛନ୍ତି, ତାହା ଜାଣିହେବ । ଏହି ଭିଡିଓଟି ଇଟାଲୀର । ବୃଦ୍ଧ ଜିନୋ ଜେଣ୍ଟିଲିନଙ୍କ ୧୫ ବର୍ଷର ନାତିର ସଡକ ଦୁର୍ଘଟଣାରେ ମୃତ୍୍ୟୁ ହୋଇଥିଲା । ନାତିର ଶେଷକୃତ୍ୟ ଆଗରୁ ନାଚିଥିଲେ ଜେଜେ । ଏହି ଭିଡିଓ କେହି ସୋସିଆଲ ମିଡିଆ ଇନଷ୍ଟାରେ ପୋଷ୍ଟ କରିବା ପରେ ୟୁଜର୍ସଙ୍କ ରାଗ ଦେଖିବାକୁ ମିଳିଥିଲା । ଯିଏ ଯାହା ପାରିଥିଲେ କହିଥିଲେ ।
ତା ପରେ ବୃଦ୍ଧ କହିଥିଲେ ତାଙ୍କ ନାଚିବା ପଛର କାରଣ । ତାଙ୍କ ନାତି ଓ ତାଙ୍କ ଭିତରେ ଘନିଷ୍ଠତା ଥିଲା । ନାତି ତାର ସବୁ ଛୋଟ ବଡ କଥା କହୁଥିଲା, ଦରକାର ବେଳେ ସାହାଯ୍ୟ ନେଉଥିଲା । ତେବେ ନାତି ସବୁବେଳେ ଜେଜେଙ୍କୁ କହୁଥିଲା ତା ସହ ଡିସ୍କୋ ଯାଇ ନାଚିବାକୁ, ହେଲେ ବୃଦ୍ଧ ଏଥିପାଇଁ ମନାକରୁଥିଲେ ଆଉ କହିଥିଲେ, ଦିନେ ସେ ନାଚିବେ । ନାତି ଚାଲିଯିବା ପରେ ସେ ଭାଙ୍ଗିପଡିଥିଲେ । ତାଙ୍କ ଦୁନିଆ ଉଜୁଡି ଗଲାପରି ଅନୁଭବ କରିଥିଲେ । ଏତିକି ବେଳେ ତାଙ୍କୁ କଫିନ ଭିତରୁ ଶୁଭିଥିଲା ନାତିର କଣ୍ଠସ୍ୱର ଓ ସେ କହିଥିଲା, ଜେଜେ ତମେ କହିଥିଲ ନାଚିବ ।
ବୃଦ୍ଧଙ୍କ ଛାତି ଫାଟିଯିବା ପରେ ଲାଗୁଥିଲା । ପୁଅ ଓ ବୋହୂଙ୍କ ପାଖକୁ ଯାଇ ସେ ଏକଥା କହିବାରୁ ସେମାନେ ଥରେ ନାଚିବାକୁ ବୃଦ୍ଧଙ୍କୁ ଅନୁରୋଧ କରିଥିଲେ । ତା ପରେ ବୃଦ୍ଧ ନିଜ ଭିତରର ସବୁ ଦୁଃଖକୁ ଛାତିରେ ଧରି ନାତିର ଶେଷ ଇଛା ପୂରଣ କରିବାକୁ ନାଚିଥିଲେ । ତେବେ ତାଙ୍କୁ ଜଣା ନ ଥିଲା, କେହି ତାଙ୍କ ନାଚିବାର ଭିଡିଓ ସୁଟ କରି ସୋସିଆଲ ମିଡିଆରେ ଅପଲୋଡ କରିବେ ବୋଲି ସେ କହିଛନ୍ତି ।
View this post on Instagram