ନୂଆଦିଲ୍ଲୀ: କେଦାରନାଥକୁ ନେଇ ପରିବେଶବିଦମାନଙ୍କ ଚିନ୍ତା ବଢ଼ିଯାଇଛି । ନିକଟରେ RTI ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତର ଚାରି ଧାମ ମଧ୍ୟରୁ ଗୋଟିଏ ଧାମ କେଦାରନାଥରେ ଟନ୍ ଟନ୍ ପରିମାଣର ଅଳିଆ ଜିମୁଛି । ରିପୋର୍ଟ ଅନୁସାରେ ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ ଏହି ତିର୍ଥସ୍ଥାନରୁ ୪୯.୧୮ ଟନ୍ ପରିମାଣର ଅଶୋଧିତ ଅଳିଆକୁ ଦୁଇଟି ବଡ଼ ଗାତରେ ପୋତାଯାଇଛି ।
ବର୍ଷକୁ ବର୍ଷ କେଦାରନାଥରେ ଅଳିଆ ପରିମାଣ ବଢ଼ୁଥିବା ରାଜ୍ୟ ସରକାର ସ୍ୱୀକାର କରିଛନ୍ତି ।
୨୦୨୨ରେ ୧୩.୨୦ ଟନ୍ ଆବର୍ଜନା, ୨୦୨୩ରେ ୧୮.୪୮ ଟନ ଏବଂ ଚଳିତ ବର୍ଷ ୧୭.୫୦ ଟନ ଅଳିଆ ସଫା କରାଯାଇଛି । କେଦାରନାଥର ଚତୁର୍ପାଶ୍ୱ ପରିସ୍କାର ରଖିବା ପାଇଁ ସରକାରଙ୍କ ଦ୍ୱାରା କୌଣସି ପଦକ୍ଷେପ ନିଆଯାଇ ନାହିଁ । ଏଥିସହ ମନ୍ଦିର କର୍ତ୍ତୃପକ୍ଷ ମଧ୍ୟ ଅଶୋଧିତ ଆବର୍ଜନାକୁ ନେଇ ସାଚେତନ ନାହାନ୍ତି । ପ୍ରତିବର୍ଷ ଟନ ପରିମାଣର ଅଳିଆ ଗୋଟାଯାଉଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କେହି ଜଣେ ବି ଏ ସମ୍ପର୍କରେ ଅଭିଯୋଗ କରି ନାହାନ୍ତି । କେଦାରନାଥରେ ଜମୁଥିବା ଅଳିଆର ସ୍ଥାୟୀ ସମାଧାନ ବିଷୟରେ ଗତବର୍ଷ ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଷ୍ଟିପାତ କରିଥିଲେ । ଏ ନେଇ ଆର୍ଟିଆଇ କାର୍ଯ୍ୟକର୍ତ୍ତା ଅମିତ ଗୁପ୍ତା କହିଛନ୍ତି, ଯଦି ଏ ସମସ୍ୟାକୁ ଗୁରୁତ୍ୱର ସହ ନ ନିଆଯାଏ ତେବେ ୨୦୧୩ ଭଳି ପ୍ରଳୟ ପୁଣିଥରେ କେଦାରନାଥ ଭୋଗିବ । ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ, ପ୍ରତିବର୍ଷ କେଦାରନାଥକୁ ଆସୁଥିବା ପର୍ଯ୍ୟଟକ ପରିବେଶକୁ ପରିଷ୍କାର ରଖିବା କ୍ଷେତ୍ରରେ ଆଦୌ ସଚେତନ ନୁହଁନ୍ତି ।