ତମ୍ବାଖୁ ବର୍ଜନ କରିଥିବା ପ୍ରଥମ ଗାଁ, ଗୋଟିଏ ଦୋକାନରେ ବି ବିକ୍ରି ହେଉନି ଗୁଟଖା

ମେରଠ: ପିଲାଠାରୁ ବୁଢ଼ା, ସମସ୍ତେ ଏବେ ତମ୍ବାଖୁ ଖାଇବା ଆରମ୍ଭ କଲେଣି । ସହଜରରେ ବଜାରରେ ମିଳିବା କାରଣରୁ ସ୍କୁଲ ପଢ଼ା ପିଲା ମଧ୍ୟ ତମ୍ବାଖୁ ଖାଉଥିବା ଦେଖୁଛେ । ଯେତେବେଳେ ଦେଶର ପ୍ରତି ଗଳି କନ୍ଧିରେ ତମ୍ବାଖୁ ଖାଉଥିବା ଲୋକ ପୁଳା ପୁଳା ଦେଖାଯାଉଛନ୍ତି ଏଭଳିସ୍ଥିତିରେ ଉତ୍ତର ପ୍ରଦେଶର ଗୋଟିଏ ଏମିତି ଗାଁ ଠାବ ହୋଇଛି ଯେଉଁଠାରେ କେହି ବି ଗୁଟଖା, ଖଇନି ଇତ୍ୟାଦିର ସେବନ କରୁ ନାହାନ୍ତି । ମେରଠର ନଙ୍ଗଲି କିଠୋର ନାମକ ଏ ଗାଁ, ଯେଉଁଠାରେ ଲୋକେ ପାନ, ବିଡି, ଗୁଟଖା ଖାଉ ନାହାନ୍ତି । ରାଷ୍ଟ୍ରୀୟ ତମ୍ବାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଗ୍ରାମର ନାଁ ଘୋଷଣା କରାଯାଇଛି । ଗ୍ରାମ ସରପଞ୍ଚ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମିଳିତ ଭାବେ ଦେଢ଼ବର୍ଷ ହେବ ଏ ଦିଗରେ କାର୍ଯ୍ୟ କରୁଛନ୍ତି । ଗ୍ରାମବାସୀମାନେ ମଧ୍ୟ ଆଗ୍ରହର ସହିତ ସବୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି ।

ନଙ୍ଗଲି କିଠୋର ଗ୍ରାମର କୌଣସି ବର୍ଗର ଲୋକେ ଗୁଟଖା ଖାଉ ନ ଥିବାବେଳେ ସେଠାରେ ଥିବା ଦୋକାନୀ ମଧ୍ୟ ଏଭଳି ପଦାର୍ଥ ବିକ୍ରି କରୁ ନାହାନ୍ତି । ନଙ୍ଗଲି ଗାଁକୁ ହେଲଦି ଗାଁର ମାନ୍ୟତା ଦେବା ସହ ରାଜ୍ୟସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ମାନ୍ୟତା ମିଳିବା ନେଇ ଗ୍ରାମବାସୀ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ।